04/05/2023
#ନୃସିଂହାବତାରମ୍
#ଧ୍ୟାନଂ #ଆଦ୍ୟମନ୍ତ୍ର_ଯଥାର୍ଥରେ_ମଙ୍ଗଳାଚରଣ
ପ୍ରଥମେ "ଉଗ୍ର" ସ୍ଵରୂପ ଅମୃତ ପ୍ରତୀକ ,
ଦ୍ଵିତୀୟେ "ବୀର" ପୁଙ୍ଗବ ବିଶାଳ ସୌଷ୍ଠବ ।
ତୃତୀୟେ ସେ "ମହାବିଷ୍ଣୁ" ପରମ ପୁରୁଷ ,
ଚତୁର୍ଥେ "ଜ୍ୱଳନ୍ତ" କାୟା , ପ୍ରଚଣ୍ଡ ଯା' ବେଶ ।
ପଞ୍ଚମେ "ସର୍ବତୋମୁଖ" ସ୍ଵୟଂ ନାରାୟଣ ,
ଷଡେ "ନରସିଂହ" ରୂପ , ସପ୍ତମେ "ଭୀଷଣ" ।
ଅଷ୍ଟମେ "ଭଦ୍ର" , ନବମେ "ମୃତ୍ୟୁମୃତ୍ୟୋ" ନାମ ,
ଦଶମେ "ନମାମି" "ଅହଂ" ଏକାଦଶତମ ।
ଯା' ଗାଥା ବିସ୍ତୃତ , ସ୍ତୁତି କି' ଅବା କରିବି ..!
ତୁମ୍ଭ ଆଶୀର୍ବାଦ ଥିଲେ କିମ୍ପାଇଁ ଡରିବି ..?
ଚତୁର୍ଦ୍ଦଶୀ ତିଥି ବୋଲି ଚଉଦ ଧାଡ଼ିରେ ,
ଶ୍ରଦ୍ଧା ସୁମନ ଅରପେ ପତିତ ପଣରେ ।
ଆଗ୍ରହରେ ପରଂପ୍ରୀୟ ପଦ ବନ୍ଦନାରେ ,
ମୂଢ଼ ମୁଁ' ତୁମ୍ଭରି ପ୍ରତି-ନାମ ବ୍ୟାଖ୍ୟା କରେ ।। ୧୪ ।।
#ପ୍ରତିନାମ_ସ୍ମରଣଂ #ଶ୍ରୀନୃସିଂହ_ସର୍ବନାମ
ତୁମ୍ଭେ ହିଁ ଗୁହା , କରାଳ , ତୁମ୍ଭେ ହିଁ ମୃଗେନ୍ଦ୍ର ,
ତୁମ୍ଭେ ଯୋଗାନନ୍ଦ , ତୁମ୍ଭେ ଭୈରବଡମ୍ବର ।
ହେ ..! ପ୍ରଭୁ ସର୍ବତୋମୁଖ , ହେ ..! ଅଗ୍ନିଲୋଚନ ,
ପ୍ରହ୍ଲାଦବରଦା ତୁମ୍ଭେ , ହେ ..! ସିଙ୍ଘବଦନ ।
ହିରଣ୍ୟକଶିପୁଧ୍ଵଂସ , କ୍ରୋଧ ନରସିଂହ ,
ଲକ୍ଷ୍ମୀ ନରସିଂହ ତୁମ୍ଭେ ଭଦ୍ର ନରସିଂହ ।
ନମୋ ବୀର ନରସିଂହ , ଜ୍ଵାଳା ନରସିଂହ ,
ଭୀଷଣ , ମଲୋଳ , ମୃତ୍ୟୁମୃତ୍ୟୋ ନରସିଂହ ।। ୮ ।।
#ବିଷୟ_ବର୍ଣ୍ଣିତ_ଗ୍ରନ୍ଥ_ବିଶେଷମ୍
#ନୃସିଂହଚରିତ_ବର୍ଣ୍ଣିତ_ଥିବା_ଗ୍ରନ୍ଥ_ତଥା_ଶାସ୍ତ୍ରାଦିଙ୍କ_ସୂଚନା
ରାମାୟଣ , ହରିବଂଶ , ଭଗ୍ବତ୍ ପୁରାଣେ ,
ବ୍ରହ୍ମ , ବିଷ୍ଣୁ , ବାୟୁ , ଅଗ୍ନି , ବ୍ରହ୍ମାଣ୍ଡ ପୁରାଣେ ।
ବିଷ୍ଣୁଧର୍ମୋତ୍ତର , ମତ୍ସ୍ୟ , କୁରୁମ ପୁରାଣେ ,
ସ୍କନ୍ଦ , ପଦ୍ମ , ଶିବ , ଲିଙ୍ଗ ଅନେକ ପୁରାଣେ ।
ସପ୍ତପାଠ , ପଞ୍ଚବିଂଶ , ତୈତ୍ରୀୟା ବ୍ରାହ୍ମଣେ ,
ବଜସେନେଇ ସଂହିତା , ରସକଳ୍ପ ଦ୍ରୁମେ ।
ତାପନୀୟୋପନିଷଦ , ଶ୍ରୀ ଗୀତଗୋବିନ୍ଦେ ,
ତୁମ୍ଭ ନାମ ଗାଏ ମନ୍ଦେ ମନ୍ଦେ ତୋଳି ଛନ୍ଦେ ।
ଜଦୂର୍ବେଦ , ରିଗ୍ବେଦ ଏ ସମସ୍ତ ଗ୍ରନ୍ଥରେ ,
ପ୍ରାଞ୍ଜଳ ବର୍ଣ୍ଣିତ ପ୍ରଭୁ ତୁମ୍ଭ ବିଷୟରେ ।। ୧୦ ।।
#ଚରିତ୍ର_ଚିତ୍ର_ପ୍ରମାଣମ୍ #ବନ୍ଦନାରେ_ଆଦି_ତଥା_ଅଗ୍ରପୂଜ୍ୟ_ହେବା_ପ୍ରମାଣ
ଅବତାର ମଧ୍ୟେ ଶ୍ରେଷ୍ଠ ନୃସିଂହ ସ୍ୱରୂପ ,
ସର୍ବେସର୍ବା ମୂର୍ତ୍ତିଙ୍କର ବୀର୍ଯ୍ୟବନ୍ତ ରୂପ ।
ପ୍ରଜାପତି ବ୍ରହ୍ମାଙ୍କର ସର୍ଜନାର ସୂତ୍ର ,
ତାପନୀୟୋପନିଷଦେ ସର୍ବସ୍ୱ ବର୍ଣ୍ଣିତ ।
ସୃଷ୍ଟି ଯା' ପ୍ରଚ୍ଛଦେ , ଯେ' ସୃଷ୍ଟିରେ ସର୍ବୋତ୍ତମ ,
ଆଦି ବିଗ୍ରହ ବୋଲାନ୍ତି ରସକଳ୍ପ ଦ୍ରୁମ ।
ଅଖଣ୍ଡବ୍ରହ୍ମଙ୍କ ଇଚ୍ଛାଶକ୍ତିର ପ୍ରଭାବେ ,
ନିର୍ଗୁଣ , ସାକାର ତୁମ୍ଭେ ପ୍ରତ୍ୟେକ ଙ୍କ ଭାବେ ।
ଅଗ୍ର ସ୍ମରଣୀୟ ବ୍ୟାଖ୍ୟା ଅଛି ନାନା ମତେ ,
ସ୍ପଷ୍ଟ ଜଗନ୍ନାଥ କୃତ ଶ୍ରୀମଦ୍ଭାଗବତେ ।
" ନରସିଂହ ପଦ ବନ୍ଦି ବିଭିନ୍ନ ପ୍ରକାରେ
ଅନାଦି ପରମବ୍ରହ୍ମ , ପୂଜ୍ୟ ମାନସରେ "
ସମସ୍ତ ଗ୍ରନ୍ଥଙ୍କୁ ମାନେ ଅରପି ପ୍ରଣାମ ,
ଦିଅ ହୁଳହୁଳି ବୋଲ ଶ୍ରୀହରିଙ୍କ ନାମ ।। ୧୪ ।।
#ପ୍ରାରବ୍ଧ_ଅଭିଶାପ #ସତ୍ୟଯୁଗ_ପୂର୍ବାଭାସ
ଏକଦା ବ୍ରହ୍ମାଣ୍ଡ ସାରା ବିଚରିବା ପାଇଁ ,
ଜ୍ଞାନ ଆହରଣର ସାତ୍ୱିକ ଆଶା ନେଇ ।
ତ୍ରିଭୁବନ ପରିଭ୍ରମଣରେ ଯେବେ ଗଲେ ,
ଚତୁଃକୁମର ପ୍ରବଳ ବୀତସ୍ପୃହ ହେଲେ ।
ଚତୁର୍ଭୁଜ ଦର୍ଶନରେ ବଳାଇଲେ ଆଶା ,
ଅମୃତ ସିନ୍ଧୁ "ବୈକୁଣ୍ଠେ" ଚଳିଲେ ସହସା ।
ସଗର୍ବେ "ଜୟ" , "ବିଜୟ" ବିଷ୍ଣୁଙ୍କ ଦୁଆରୀ ,
ଜଗିଥିଲେ ଦ୍ଵାର ଯେହ୍ନେ ସତର୍କ ପ୍ରହରୀ ।
ଗରବେ କଡ଼ା ବଚନ କୁମାରଙ୍କୁ କହି ,
ପ୍ରୟାସ କରିଲେ ବ୍ରହ୍ମାପୁତ୍ରେ ଘଉଡାଇ ।
ଅବିଚଳିତ ରହଲେ ସନକାଦି ଋଷି ,
ମୂଢ଼ମତିଙ୍କୁ ଶ୍ରଦ୍ଧାରେ ସମ୍ମାନ ପରଷି ।
ପୁଚ୍ଛନ୍ତି ହେ ..! ଆର୍ଯ୍ୟ .. ତୁମ୍ଭେ ତାଙ୍କରି ଆଶ୍ରିତ ..!
ଆମ୍ଭ ଦର୍ଶନରେ କିଆଁ ଦେଉଛ ବ୍ୟାଘାତ ..?
ସମଦର୍ଶୀ ହୁଅ ତୁମ୍ଭ ପ୍ରଭୁଙ୍କ ସମାନ ,
କ୍ଷୁବ୍ଧ ହୋଇ କିମ୍ପା କର ଆମ୍ଭ ଅପମାନ..?
ପ୍ରଭୁଙ୍କ ସ୍ଵଭାବ ଅଟେ ଶାନ୍ତଶିଷ୍ଟ ଭାରି ,
ତୁମ୍ଭେ ବ୍ୟତିକ୍ରମ କିଆଁ ତାଙ୍କରି ପ୍ରହରୀ ..!
ଅଶିଷ୍ଟ ସ୍ୱରୂପ ତୁମ୍ଭ ପ୍ରଦର୍ଶନ କରି ,
କାହିଁ ଲୋଡ଼ ଅହଙ୍କାରୀ ..? ଆମ୍ଭରି ବଇରୀ ..?
ଭ୍ରୁକ୍ଷେପ ନଥାଇ ବ୍ରହ୍ମାପୁତ୍ରଙ୍କ ବାଣୀରେ ,
ତାତ୍ସଲ୍ୟେ ମାତିଲେ ଦୁହେଁ ହୀନ ପ୍ରକୃତିରେ ।
କଦର୍ଯ୍ୟ ପ୍ରବୃତ୍ତି , ହିନ ଅସଦାଚରଣେ ,
କୁପିତ ହୋଇଲେ ଋଷିପୁତ୍ରେ ଅକାରଣେ ।
ଦେଲେ ଘୋର ଅଭିଶାପ ଉଭୟଙ୍କୁ ତହିଁ ,
ଭାଗ୍ୟ ବଦଳିଲା , ଦୁହେଁ ରହିଥିଲେ ଚାହିଁ ।
ତିନି ଯୁଗ , ତିନି ଜନ୍ମ ଅସୁରଙ୍କ ଯୋନୀ ,
ପାଇବେ ଧରା ରେ ଏହା ସନକାଦି ବାଣୀ ।
ଭୁଲ ନିଜ ବୁଝିପାରି ଶରଣକୁ ଗଲେ ,
ମୁନିଗଣ ଚରଣରେ ମଥା ବାଡେଇଲେ ।
କ୍ଷମା ଦିଅ ବୁଝିବାରେ ହୋଇଗଲା ଡେରି ,
ଅନୁନୟ ହୋଇ କେତେ କରିଲେ ଗୁହାରି ।
ଅପମାନ କଦାଚିତ ନୁହଁ କ୍ଷମଣୀୟ ,
ତିରସ୍କାର କ୍ରୋଧାଗ୍ନି ଜଳାଏ ମୁନି ମୁହଁ ।
ଯେଉଁ ମୂଢ଼ ଅହଙ୍କାରେ କିଛି ନ ଜାଣିଲେ ,
ଭୋଗିବେ ଉଚିତ୍ ଶାପ ଏହି ମହି ତଳେ ।
ଶ୍ରୀବିଷ୍ଣୁ ସଙ୍ଗତେ ମାତା ଲକ୍ଷ୍ମୀ ସେହି ସ୍ଥଳେ ,
ପ୍ରକଟିବା ଦେଖି ଦ୍ବୟ କାନ୍ଦିଲେ ବିକଳେ ।
ମୁନୀଶ୍ୱର ବଚନେ ଅବଜ୍ଞା ଜ୍ଞାତ ହେଲା ,
ଧୃଷ୍ଟତାର ଅଭିଶାପ ସେ'ଲାଗି ମିଳିଲା ।
ହେଉ .. ହେଲା ଯଦ୍ୟପି ଏ ଘଟିବାର ଥିଲା ,
ବିଧିର ବିଧାନ କି'ବା ବଦଳିବ ଭଲା ..!
ଯଦିଚ ବ୍ରାହ୍ମଣ ଶାପ ପଡ଼ି ସାରିଲାଣି ,
ପ୍ରତିକାର ଆମ୍ଭକୁ କରିବା ହେବ ପୁଣି ।
ଏମନ୍ତ ବୋଇଲେ ଯେବେ ତ୍ରିଲୋକ ଗୋସାଇଁ ,
ମାନିଲେ ଅଧୀନ ସ୍ବାମୀଙ୍କର ଆଜ୍ଞା ପାଇ ।
ଯାହାର ପ୍ରଚ୍ଛଦେ ପ୍ରଭୁ ଡରିବେ କିମ୍ପାଇ ..?
ବରିନେଲେ ଅଭିଶାପ ତିନି ଯୁଗ ପାଇଁ ।
ସ୍ଥିର ହେଲା ଜନମିବେ ପୃଥିବୀ ପୃଷ୍ଠରେ ,
ଭିନ୍ନ ଭିନ୍ନ ନାମେ ପୁଣି ବିଭିନ୍ନ ଶରୀରେ ।
ସତ୍ୟ , ତ୍ରେତୟା , ଦ୍ଵାପର ଏ ତିନି ଯୁଗରେ ,
ତାରିବେ ତ୍ରିଲୋକପତି ନୂଆ ଅବତାରେ ।। ୫୨ ।।
#କାଳଯୋଗ #ଦୈତ୍ୟଜନ୍ମ_ଗ୍ରହଯୋଗ
କଶ୍ୟପନନ୍ଦନ ଭ୍ରାତଦ୍ୱୟଙ୍କର ବ୍ୟାଖ୍ୟା ,
ବରାହବତାରେ ସ୍ପଷ୍ଟ ବିସ୍ତୃତ ସମୀକ୍ଷା ।
ହେ ..! ମୋ' ବିଜ୍ଞ , ପ୍ରାଜ୍ଞ , ଗୁଣି , ବିବୁଧ ପ୍ରବର ,
ସମ୍ପୂର୍ଣ୍ଣ କରିବେ ପାଠ ଅନୁରୋଧ ମୋ'ର ।
ତେବେ ଯାଇ କଶ୍ୟପ ନନ୍ଦନ ଗୁଢ଼ ଗାଥା ,
ସହଜେ ହୋଇବ ଜ୍ଞାତ ପୌରାଣିକ କଥା ।
ଆଶିଷ ମାଗେ ପାଠକେ ହୋଇ ସବିନୟ ,
ଏଇଠୁ ପଢ଼ିବା ଉପରାନ୍ତ ଯା' ବିଷୟ ।
ସତ୍ୟଯୁଗେ ଦୁଗ୍ଧାହୂତି ପଶ୍ଚାତ କଶ୍ୟପ ,
ଅଗ୍ନିଶାଳେ ଧ୍ୟାନମଗ୍ନେ କଲେ ଯେବେ ତପ ।
ଭୁତ , ପ୍ରେତ , ଯକ୍ଷ , ରକ୍ଷ , ପିଶାଚଙ୍କ ଗଣ ,
ବାବା ଭୂତନାଥଙ୍କ ସେ ବିଚରିବା କ୍ଷଣ ।
ବୃଷଭଙ୍କ ପୃଷ୍ଠେ ପ୍ରଭୁ ବିରାଜିତ ହୋଇ ,
ଅତିଷ୍ଠ କାଳରେ ମର୍ତ୍ତ୍ୟ ଭ୍ରମୁଥିଲେ ଯାଇ ।
ଏ ତ' ସାୟଂକାଳ , କାଳ ବିଚରିବା ବିଧି ,
ଉଲଂଘନେ ନିନ୍ଦା ପ୍ରାପ୍ତି ଏକମାତ୍ର ସିଦ୍ଧି ।
ଏମନ୍ତ ସମୟେ କେ'ବା ହୁଏ କାମରତ ..?
ଦିତି କିଆଁ ବ୍ୟତିକ୍ରମ ସାଜିଲେ ତୁରିତ ..!
ସନ୍ଧ୍ୟାବନ୍ଦନାର ବେଳେ ସନ୍ତାନ ପ୍ରାପ୍ତିକୁ ,
ମନ ବଳାଇ ବସିଲେ ରତୀଙ୍କ ଶକ୍ତିକୁ ।
ନିଷ୍କାମ ସମ୍ଭୋଗେ ସିନା ଦେବତାଙ୍କ ଜାତ ,
କାମନା ନିଆଁରେ ମଚେ ରାକ୍ଷସ ଉତ୍ପାତ ।
ପ୍ରାଣପ୍ରିୟା ପ୍ରୀତିବାସ୍ନା ସର୍ତ୍ତେ ଜର୍ଜରିତ ,
ବିବଶ ହୋଇଲେ ସାଧୁ , ହେଲେ ପ୍ରେମ ରତ ।
ତେଜସ୍ଵୀ ପୁତ୍ର ନିମିତ୍ତ ବରଦାନ ଆଜି ,
ଅଶୁଭ ଲଗ୍ନରେ ମାରିବାକୁ ହେବ ବାଜି ।
ନିର୍ଲଜ କାମ କ୍ରୀଡ଼ାରେ ଦୁହେଁ ଥିବେ ମାତି ,
କ୍ରିୟାଶୀଳ ରହିଥିବେ ପିଶାଚ ପ୍ରବୃତ୍ତି ।
ସାକାର ହେବ ଏଇଠି ବିଧି ଖେଳ ମାନ ,
ସୁନିଶ୍ଚିତ ହେବ ଦୈତ୍ୟ ଦୁହିଙ୍କର ଜନ୍ମ ।
ଅଚେତନ ମତି ଯେବେ ଚେତନାକୁ ଛୁଏଁ ,
ବାସ୍ତବତା ଅନୁଭବ ସର୍ବସ୍ବ କରାଏ ।
ଜାଣିଲ କି ଦିତି ଅପକର୍ମ କି' ହୋଇଲା ..?
ବୋଇଲେ ଅବେଳେ ଗର୍ଭେ ଅସୁର ରହିଲା ।
ଆକୁଳ ହୋଇଲେ ଦିତି ସ୍ବାମୀ ବାଣୀ ଶୁଣି ,
କ୍ଷମା ଆଚରନ୍ତେ ଋଷି କୁହନ୍ତି ସେ'କ୍ଷଣି ।
ଏବେ କ୍ଷମା ଆଚରିଲେ କିସ ଯେ' ହୋଇବ ..?
ବିଧର୍ମୀ, ପାମର ସତ୍ତା ସାତ୍ୱିକ ନୋହିବ ।
ସହସ୍ର ବାରଣ ସତ୍ତ୍ୱେ କଲ ରତିକ୍ରିୟା ,
କାମ କୋପୁ ନିବୃତ ନୋହିଲ କୁହ କିଆଁ ..?
ଅସୁର ଜନ୍ମର ଅପବାଦ ଚିନ୍ତା କରି ,
ଗର୍ଭ ନଷ୍ଟ କରିବାକୁ କରୁଛ ଗୁହାରି ..!
ବୁଝାଇ କୁହନ୍ତି ଋଷି ବିଧିର ବିଧାନ ,
ସନକାଦି ଶାପ ଏଠୁ ପ୍ରାରମ୍ଭିବ ଜାଣ ।
ରାକ୍ଷସଙ୍କ କୁକର୍ମରେ କାନ୍ଦିବ ସଂସାର ,
ତୁମ୍ଭ ପୁତ୍ର ବିଶ୍ୱେ ପ୍ରସାରିବେ ଅତ୍ୟାଚାର ।
ଯେବେ ସ୍ଵହସ୍ତରେ ପ୍ରଭୁ ନେବେ ଦ୍ବୟ ପ୍ରାଣ ,
ସେବେ ଯାଇ ହୋଇପାରେ ଜଗତ କଲ୍ୟାଣ ..!
ଜନମିବେ ଗୃହେ ଯେବେ ଦେବଙ୍କ ସ୍ୱରୂପ ,
ସେବେ ଅମରତ୍ଵ କୁଳ ମର୍ଯ୍ୟାଦା ପାଇବ ।
ସତ୍ୟ ଶୁଣି ଦିତି ମୁଖେ ଝଲସିଲା ହସ ,
ପ୍ରସନ୍ନ ହୋଇଲେ ଶୁଣି କଶ୍ୟପ ସନ୍ଦେଶ ।
ବ୍ରାହ୍ମଣ ଶାପରେ ଆତ୍ମା ନର୍କମୁଖୀ ହୋଇ ,
ନିଧନ ହୋଇଲେ ପ୍ରାଣ ବୈକୁଣ୍ଠ ଲଭଇ ।
ପୁତ୍ରଙ୍କ ଭାଗ୍ୟ ପ୍ରାରମ୍ଭୁ ଯଦି ନିର୍ଦ୍ଧାରିତ ,
ପ୍ରଭୁଙ୍କ ହସ୍ତରେ ଦୁହେଁ ହୁଅନ୍ତୁ ନିହତ ।
ଉତ୍ପନ୍ନ ହୋଇବେ ପୌତ୍ର ଯେବେ ଏ ବଂଶରେ ,
ହରିନାମ ଭକତି ପ୍ରସାରିବେ ଧରା ରେ ।
କଶ୍ୟପ କୁଳର କୀର୍ତ୍ତି ରହିବ ଅକ୍ଷୁର୍ଣ୍ଣ ,
ଯେବେ ନେବେ ମହି ତଳେ ହରିଭକ୍ତ ଜନ୍ମ ।। ୬୦ ।।
#ହିରଣ୍ୟ_ଜନ୍ମ
ଅବିରତ ବିତୁଥିବ ବିକରାଳ କାଳ ,
ରାଶି ନକ୍ଷତ୍ରାଦି ହେବେ ବିଧିରେ ପ୍ରଚଳ ।
ବଦଳିବ ଗ୍ରହ ସଙ୍ଗେ ନକ୍ଷତ୍ରଙ୍କ ଗତି ,
ରାକ୍ଷସ ଯମଜ ଯେବେ ହୋଇବେ ଉତ୍ପତ୍ତି ।
ଗର୍ଭରୁ ଉତ୍ପନ୍ନ ହେବେ ଭୟଙ୍କର ଦୈତ୍ୟ ,
ହିରଣ୍ୟକଶ୍ୟିପୁ ସଙ୍ଗେ ହିରଣାକ୍ଷ ଭ୍ରାତ ।
ଭୟଙ୍କର ଉତ୍ପାତରେ କମ୍ପନ ହୋଇବ ,
ଉପଦ୍ରବେ ତିନିପୁର ଥରହର ହେବ ।
ବନ୍ୟା ବିଭୀଷିକା , ବାତ୍ୟା ଅଞ୍ଚାଷ ପବନ ,
ସ୍ଵର୍ଗ , ମର୍ତ୍ତ୍ୟ , ପାତାଳରେ ବହିବ ସଘନ ।
ଆକାଶରେ ସୂର୍ଯ୍ୟ , ଚନ୍ଦ୍ର ଲୁଚି ଯାଉଥିବେ ,
ପ୍ରବାହମାନ ନଦୀରୁ ବରୁଣ ଶୁଖିବେ ।
ଘନ ବର୍ଷା , ବିଜୁଳି ଚଡ଼କା ମାରୁଥିବ ,
ଶିଆଳ, ଉଲ୍ଲୁକାଦିଙ୍କ ରୋଦନ ଶୁଭିବ ।
ଗାଭି ସ୍ତନ ମଧ୍ୟ ଦେଇ ରକ୍ତସ୍ରାବ ହେବ ,
ଦୈତ୍ୟ ଦୁହିଁଙ୍କର ଜନ୍ମ ଏପରି ହୋଇବ ।
ଯେବେ ଭ୍ରାତ ଦ୍ୱୟ ନେବେ ଜନମ ମହିରେ ,
ଅଲୌକିକ ଘଟଣା ଦେଖିବେ ତ୍ରିଲୋକରେ।
ରୋମାଞ୍ଚିତ କାୟା , ଛାୟା ପର୍ବତ ସମାନ ,
ଜନ୍ମରୁ ଉଚ୍ଚତା ହେବ ଆକାଶ ଯେସନ ,
କହୁଣୀ , ବାଜୁବନ୍ଧରେ ଅଳଙ୍କାର ପୂର୍ଣ୍ଣ ,
ସ୍ୱର୍ଣ୍ଣ କବଚ , କୁଣ୍ଡଳ କରି ପରିଧାନ ।
ଭୟଙ୍କର ଉଭୟଙ୍କ ଆକୃତି ଦିଶିବ ,
ସକଳ କୁଳ ଭୟରେ ଥରହର ହେବ ।। ୨୪ ।।
୍ରାପ୍ତି #ଅସାଧ୍ୟ_ହେବାର_ପ୍ରଥମ_ପ୍ରର୍ଯାୟ
କେବଳ ଅସୁର ଗୁଣେ ସନ୍ତୁଷ୍ଟ ନରହି ,
ଅଧିକ ଆଶାରେ ଅଗ୍ରସର ଭ୍ରାତ ଦୁଇ ।
କଠୋର ସାଧନା ପରେ ସାନୂଜ ଫେରିଲା ,
ଭାଇର ତପସ୍ୟା କାଳେ ରାଜ୍ୟ ସମ୍ଭାଳିଲା।
ଅସାଧ୍ୟ ଲକ୍ଷ୍ୟ ସାଧନେ ତପସ୍ୟା ଯାହାର ,
ବ୍ରହ୍ମା ସାକ୍ଷାତାଭିଳାଷେ ମନ ହିରଣ୍ୟର ।
ମନ୍ଦ୍ରାଞ୍ଚଳେ ସହସ୍ରାବ୍ଦ କଠୋର ଧ୍ୟାନରେ ,
ପରଂପିତା ଭଜୁ ଥାଏ ସଭକ୍ତି ମନରେ ।
ଅମର ହୋଇବା ଲକ୍ଷ୍ୟ ସାଧିବା ଆଶାରେ ,
ଅକଳ୍ପନୀୟ ଯୋଗକୁ ହିରଣ୍ୟ ଆଚରେ ।
ସନ୍ତୁଷ୍ଟ ହୋଇ ବିଧାତା ଦର୍ଶନ ଦିଅନ୍ତି ,
ବର ମାଗ ହେ ..! ହିରଣ୍ୟ ଶ୍ରଦ୍ଧାରେ କୁହନ୍ତି ।
ଅମରତ୍ଵ ପ୍ରାପ୍ତି ପାଇଁ ଦୈତ୍ୟ ବାଢ଼େ ଆଶା ,
ଜଗଦ୍ପିତା ମନା କରି ଦିଅନ୍ତି ସହସା ।
ଅନେକ ସର୍ତ୍ତରେ ମାଗି ପାରିବୁ ନିର୍ଡର ,
ଅକ୍ଷମ ଦେବାକୁ ଦାନ ମୁଁ' ଅମର ବର ।
ଏଣୁ କୂଟ ପାଞ୍ଚି ଦୈତ୍ୟରାଜ ବର ମାଗେ ,
ବ୍ରହ୍ମା ତଥାସ୍ତୁରେ ଉଲ୍ଲସିତ ମୁଖ ଜାଗେ ।
ହିରଣ୍ୟକୁ ପ୍ରାପ୍ତ ହୁଏ ବିଶ୍ୱପିତା ବର ,
ନା ଦିବସ କାଳରେ ନା ଯାମିନୀ ପ୍ରହର ।
ଗୃହ ମଧ୍ୟରେ କି ଗୃହ ବହିର୍ଦେଶେ ନୁହଁ ,
ଅସ୍ତ୍ର , ଶସ୍ତ୍ର କାଟିବନି ରାକ୍ଷସର ଦେହ ।
କାଟିବନି ବ୍ରହ୍ମାଣ୍ଡରେ କୌଣସି ଶକତି ,
ଜିତି ପାରିବେନି କେହି କୌଣସି ବି ଯୁକ୍ତି ।
ତତ୍ପରେ ତପସ୍ୟା କରେ ପୁନଶ୍ଚ ଶଙ୍କର ,
ପ୍ରସନ୍ନ ହୁଅନ୍ତି ଶିବ ମହାକାଳେଶ୍ଵର ।
ଧନୁ ଚାଳନାର ଧୁରନ୍ଧର କଳା ପାଇଁ ,
ପୁତ୍ର ତୁଲ୍ୟ ଅଳି କରେ ମହାଦେବ ଧ୍ୟାୟୀ ।
ସନ୍ତୁଷ୍ଟ ହୁଅନ୍ତି ଶିବ ତଥାସ୍ତୁ କୁହନ୍ତି ,
ଇନ୍ଦ୍ର ସମ ବଜ୍ର ଶକ୍ତି ପ୍ରଦାନ କରନ୍ତି ।
ଯମ ସମ କାଳ ରୂପୀ ପାରିବ ସେ ସାଜି ,
କୁବେରଙ୍କ ସମ ଧନ ହେବ ଶୋଭାରାଜି ।
ଅଗ୍ନି ସମ ତେଜ ସୋମ ସମ ଶିତଳତା ,
ସୂର୍ଯ୍ୟ ସମ ଶକ୍ତି ବାୟୁ ସମ ଗୁଣବତ୍ତା ।
ବରୁଣ ସମ ପ୍ରଳୟ ପ୍ରବଳ ପ୍ରକାର ,
ପ୍ରତି ଶକ୍ତି ଇଚ୍ଛାମତେ ସାଧିବ ଅସୁର ।
ମହାଦେବ ଅନ୍ତର୍ଦ୍ଧାନ ହେଲେ ବର ଦେଇ ,
ଉତ୍ସାହେ ହିରଣ୍ୟ ମନ ପବନେ ଉଡ଼ଇ ।
ଏସନ ବର ପ୍ରାପତେ ରାକ୍ଷସ କୁମର ,
ଚଳିଗଲା ତ୍ରିଭୁବନେ ନ ମାନି ଈଶ୍ୱର ।
ନିଜକୁ ଈଶ୍ୱର କହି ସାଧି ସୁଧିଜନେ ,
ଅତ୍ୟାଚାର କଲା ସାଧୁସନ୍ଥଙ୍କ ପ୍ରାଙ୍ଗଣେ ।
ନିର୍ଡର କରିଲା ଆକ୍ରମଣ ପ୍ରତି ପୁରେ ,
ତ୍ରାହି ତ୍ରାହି ଜୀବ ଗୁରାଳିଲେ ଆତଙ୍କରେ ।
ଫେରି ଆସେ ନଅରକୁ ନକରି ଖାତିର ,
କର୍ଣ୍ଣରେ ବାଜେ ସାନୂଜ ହତ୍ୟାର ଖବର ।
କ୍ରୋଧେ ଅଗ୍ନିବାଣ କେହି କରିଲେ ସଂଯୋଗ ,
ଯେମନ୍ତ ହୁଏ ସେମନ୍ତ ସୃଷ୍ଟି ହେଲା ରାଗ ।
ପ୍ରତିଶୋଧ ପରାୟଣ ହୁଅଇ ଅସୁର ,
ବିଷ୍ଣୁ ଦ୍ରୋହୀ ଆଚରଣ କରଇ ସତ୍ୱର ।। ୫୦ ।।
#ସମୟାନୁକ୍ରମ ଂଯୋଗ
ଅପର ପକ୍ଷେ ଦୈତ୍ୟର ଧ୍ୟାନ ସମୟରେ ,
ଆକ୍ରମନ୍ତି ଇନ୍ଦ୍ର ଦେବ ହିରଣ୍ୟ ରାଜ୍ୟରେ ।
ଆସୁରିକ ଶକ୍ତି ବିପକ୍ଷରେ ଦେବସେନା ,
ପ୍ରେରନ୍ତି , ହରି କୟାଧୁ ଦିଅନ୍ତି ଯାତନା ।
ଅନ୍ତଃସତ୍ୱା ରାଣୀ ହ୍ୱନ୍ତି ଭୟରେ ବ୍ୟାକୁଳ ,
ସହସା ଦେବର୍ଷି ପ୍ରକଟନ୍ତି ସେହି ସ୍ଥଳ ।
ସ୍ୱର୍ଗରାଜେ ବାରଣ ସେ କରନ୍ତି ବୁଝାଇ ,
ଗର୍ଭବତୀ ପକ୍ଷେ ଦଣ୍ଡ ଅପରାଧ ହୋଇ ।
ବତାନ୍ତି ଇନ୍ଦ୍ର ଦେବତା ଭୟର କାରଣ ,
ରାକ୍ଷସ ଫେରିଲେ ମୋ'ର ପ୍ରାଣ ଯିବ ଜାଣ ।
ସେଲାଗି ମାରିବି ରାଣୀ , ଗର୍ଭସ୍ଥ ସନ୍ତାନ ,
ନହେଲେ ରାକ୍ଷସ ରାଜା ସ୍ବର୍ଗ ନେବ ପୁଣ ।
କୁହନ୍ତି ନାରଦ ସବୁ ବିଧିର ବିଧାନ ,
ହସ୍ତକ୍ଷେପ କଲେ ପାପୀ ହୋଇବ ରାଜନ ।
ଅମୃତ ପରିକଳ୍ପନା ବିଶ୍ଵନିୟନ୍ତାଙ୍କ ,
ବିଧି ବିଧାନ ପାଳିବା ସୃଷ୍ଟିର ସନ୍ତକ ।
ସମର୍ପି ଅସ୍ଥିତ୍ଵ ରଖ ପ୍ରୁଭଙ୍କ ଠି ଲୟ ,
ମୁକ୍ତ କର ଅନ୍ତସତ୍ୱା, ବାରେ କ୍ଷମା ଦିଅ ।
ତୁମ୍ଭର ଯା' ଆଶ ତାହା ସମୟ କହିବ ,
ପ୍ରକୃଷ୍ଟ ସମୟେ ତୁମ୍ଭ ଭାଗ୍ୟୋଦୟ ହେବ ।
ଗର୍ଭ ମଧ୍ୟେ ବିଷ୍ଣୁ ଭକ୍ତ ହୋଇବ ଉଦୟ ,
ତୁମ୍ଭ ମନୋବାଞ୍ଛା ସେବେ ପୂର୍ଣ୍ଣ ହେବା ଥୟ ।
ଏମନ୍ତ ଶୁଣିବା ପରେ ସ୍ଵୟଂ ଦେବରାଜ ,
ମୁକ୍ତ କରି ରାଣୀ ସମର୍ପନ୍ତି ରୁଷିହସ୍ତ ।
ମନ ମଧ୍ୟରେ ସୁମରି ଶ୍ରୀହରି ଶ୍ରୀହରି ,
ଫେରନ୍ତି ସ୍ବର୍ଗ ଭୁବନେ ଦେବସେନା ଧରି ।
ସେହି ଆଶ୍ରମେ ନାରଦ କୟାଧୂଙ୍କୁ ନେଇ ,
ନିଜ ଶିଶ୍ୟେ ଭାଗବତ ଜ୍ଞାନ ଶିକ୍ଷା ଦେଇ ।
ଗର୍ଭସ୍ଥ ପ୍ରହ୍ଲାଦ ଶୁଣେ ଉଦର ମଧ୍ୟରେ ,
ପ୍ରଭାବିତ ହେଉଥାଏ ବିଶେଷ ଭାବରେ ।
ପୁନଶ୍ଚ ହୁଳହୁଳୀରେ ଯଜ୍ଞ ସ୍ଥଳ କମ୍ପୁ
କଲ୍ୟାଣ କରନ୍ତୁ ପ୍ରଭୁ ସକଳ ଜନଙ୍କୁ ।। ୩୨ ।।
#ପ୍ରାରବ୍ଧ #ପ୍ରହ୍ଲାଦ_ପୂର୍ବଜନ୍ମ_ରହସ୍ୟ
କାହାଣୀ କଥନ ପୂର୍ବ କିଛି ପୂର୍ବାଭାସ ,
ବୁଝାଇ ଲେଖିବି ବୋଲି ବାନ୍ଧିଛି ସାହସ ।
ତ୍ରୁଟି ଥିଲେ ମାର୍ଜନା କରିବେ ଗୁଣି ଗୁଣେ ,
ନୃସିଂହାବତାର କଥା ମୁଢ଼ ମୁଁ' କି' ଜାଣେ ..?
ପୂର୍ବଜନ୍ମ ବୃତ୍ତାନ୍ତ ଏ ପ୍ରହ୍ଲାଦ ଜନ୍ମର ,
ଜନମିବେ ଧରାପୃଷ୍ଠେ ବିଷ୍ଣୁ ଅବତାର ।
ଅବନ୍ତୀ ନଗ୍ରେ ବିବୁଧ ବ୍ରାହ୍ମଣ ପ୍ରବର ,
ପିତା ବସୁ ଶର୍ମାଙ୍କର ଏକମାତ୍ର ପୁତ୍ର ।
ଅଧ୍ୟୟନୁ ବିରତ ସେ .. ସୁରାପାନେ ରତ ,
ଗଣିକାଳୟ ଗମନେ .. କୁକର୍ମରେ ଲିପ୍ତ ।
ଭ୍ରୁକ୍ଷେପ ନଥାଏ ଯା'ର ସଂସାର କଥାରେ ,
ରୁଷେ ସେ ଏକଦା ବାରଙ୍ଗନା କଳହରେ ।
ଉଜାଗରେ , ଉପବାସେ କଟାଏ ସେ ରାତି ,
ସାଥିରେ ଥାନ୍ତି ବିଟପି , ଧ୍ୟାନ କରୁଥାନ୍ତି ।
ଯୋଗକୁ ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ତିଥି ,
ଅଜ୍ଞାତେ ନୃସିଂହ ବ୍ରତ ଉଭୟେ ପାଳନ୍ତି ।
ପୁଣ୍ୟାର୍ଜନେ ସମସ୍ତ ପାପରୁ ମୁକ୍ତି ପାଇ ,
ଅପ୍ସରା ରୂପେ କୁଳଟା ସ୍ୱର୍ଗ ବାହୁଡ଼ଇ ।
ପୂର୍ବ ଜନ୍ମ ଶାପ ମର୍ତ୍ତ୍ୟେ ଫଳାଇବା ପାଇଁ ,
ପୁତ୍ର ରୂପେ ପ୍ରହଲ୍ଲାଦ ଜନମ ହୁଅଇ ।। ୨୦ ।।
#ବିଧିର_ବିଧାନ #ନୀୟତି_ନିୟମ_ଆଗେ_କାଳ_ବି_ବିବଶ
ସ୍ପଷ୍ଟ ଏଠି ବିଧି ତା' ବିଧାନ ପାଳିବାର ,
ରହସ୍ୟମୟ ବିଷ୍ଣୁଙ୍କ ଚତୁର୍ଥାବତାର ।
ତ୍ରାହି ତ୍ରାହି ଡାକୁଥିବେ ଯେବେ ତ୍ରୟଲୋକ ,
ବିଧର୍ମୀ ବିନାଶେ ରକ୍ଷା ପାଇବେ ଧାର୍ମିକ ।
ପ୍ରାପ୍ତ ବର ପ୍ରକାରକୁ ରହସ୍ୟ ଭେଦିବ ,
ରାକ୍ଷସ କବଳୁ ଧରା ଉଦ୍ଧାର ହୋଇବ ।
ପଞ୍ଚଜନ୍ୟ ନାଦେ ଦୈତ୍ୟ ସଂହାରି ଶ୍ରିହରୀ ,
ହସ୍ତେ କିଞ୍ଜ୍ୱଳିନୀ , କୌମୁଦୁକି ଥିବେ ଧରି ।
ସୁଦର୍ଶନ ପାଣି ଭର୍ଗୋଦେବ ନାରାୟଣ ,
କରିବେ ସୃଷ୍ଟିରେ ପୁନଃ ଧର୍ମ ସଂସ୍ଥାପନ ।
ସୁମରଣା କରି ପାଦେ ପୂଜ ଚକ୍ରପାଣି
ହୁଳହୁଳି ହରିବୋଲ ଦିଅ ମା' ଭଗିନୀ ।। ୧୨ ।।
#ଅହଙ୍କାର #ମତଗର୍ବେ_ବିନାଶୋଭିମୁଖି
ତତ୍ସମୟେ କ୍ରୋଧ ଜର୍ଜରିତ ନୃପବର ,
ସ୍ଵୟଂକୁ ପ୍ରଭୁ ମନାଇ ସାଧେ ଅତ୍ୟାଚାର ।
ସମସ୍ତ ଲୋକେ ଈଶ୍ୱର ହେବା ଦ୍ୱାହି ଦେଇ ,
ଆକ୍ରମେ ଦେବ - ମାନବେ , ଶୁଭେ ତ୍ରାହି ତ୍ରାହି ।
ଯକ୍ଷ , ରକ୍ଷ , ନର , ନାଗ ବିକଳେ - ଆକୁଳେ ,
ଭୟେ ଥରହର ସର୍ବେ , ଲୁଚନ୍ତି ସକଳେ ।
ତପଶକ୍ତି ମତ୍ତେ ଅହଙ୍କାର ଯାଏ ବଢ଼ି ,
ବାହୁବଳେ ଦୈତ୍ୟ ତିନିପୁର ଯାଏ ମାଡ଼ି ।
ପତ୍ନୀ , ସନ୍ତାନର କଥା ମନରେ ସୁମରି ,
ନିର୍ଦ୍ଦୟ ସ୍ୱଭାବେ ନିର୍ଯାତନା ଦିଏ ଭାରି ।
ଭାତୃହନ୍ତା ବୋଲି ଦ୍ରୋହ କରଇ ବିଷ୍ଣୁଙ୍କୁ ,
ଯେ' ପୂଜେ ପ୍ରଭୁ ପ୍ରତିମା , ହତ୍ୟା କରେ ତା'କୁ ।
ସ୍ବର୍ଗ , ମର୍ତ୍ତ୍ୟ , ପାତାଳକୁ କରି ଅକ୍ତିଆର ,
ବନ୍ଦୀ କରେ ଯେ ବିଷ୍ଣୁଙ୍କୁ ପୁଜନ୍ତି ଈଶ୍ୱର ।
ନିର୍ଯାତିତ ନୟନୁ ରୁଧିର ବର୍ଷା ଝରେ ,
ରକ୍ଷା କର ରକ୍ଷା କର ଶୁଭେ ପୁରେ ପୁରେ ।
ଏମନ୍ତ ସମୟେ ପୁତ୍ର ପ୍ରହ୍ଲାଦ ଜନ୍ମିଲା ,
କ୍ଷଣେ କ୍ଷଣେ ନାରାୟଣ ବୋଲି ଡାକ ଦେଲା ।। ୧୮ ।।
#ଆଶ୍ରମୈତିହାସ_ପ୍ରହ୍ଲାଦର_ଶିକ୍ଷାର୍ଜନ
#ସଣ୍ଡ_ଅମାରକ_ଗୁରୁଭ୍ରାତ_ଦ୍ବୟଙ୍କ_ଚରିତ
ପିତୃ ପଣେ ମଥା , ଶତ୍ରୁ ପଣେ ମତି ଘୁରେ ,
ପୁତ୍ର କିମ୍ପା ଡାକ ଦେଇ ବିଷ୍ଣୁ ନାମ ସ୍ମରେ ..?
ଅନେକ ବୁଝାଇ ଯେବେ ପୁତ୍ରେ ନ ପାରିଲା ,
କେଡ଼େ କଥା ହେଲା ବୋଲି ମୁଣ୍ଡେ ହାତ ଦେଲା ..!
ଦୁଇ ପୁତ୍ର ଥିଲେ ଗୁରୁ ଶୁକ୍ରାଚାର୍ଯ୍ୟଙ୍କର ,
ଶ୍ୱାନସମ ବିଶ୍ବାସୀ ସେ ହିରଣ୍ୟ ରାଜାର ।
ସମର୍ପି ପୁତ୍ରକୁ ଦୈତ୍ୟ ଦିଅନ୍ତି ଦାୟିତ୍ଵ ,
ଡକାଇ ବିଶ୍ୱାସେ ଗୁରୁଭ୍ରାତ ଦ୍ବୟ ହସ୍ତ ।
ସଣ୍ଡ , ଅମାରକେ ଗୁରୁ ନିୟୋଜିତ କରି ,
ଆରାଧ୍ୟ ନାମ ଘୋଷାଏ , ଭୁଲାଇ ଶ୍ରୀହରୀ ।
ଶୁକ୍ରାଚାର୍ଯ୍ୟ ପୁତ୍ର ବହୁବାର ଚେଷ୍ଟା କଲେ ,
ପ୍ରହ୍ଲାଦ ଭକ୍ତି ସମୀପେ ସମର୍ପିତ ହେଲେ ।
କହିଲେ ପିତାଙ୍କ ଠାରେ ଅକ୍ଷମତା ନିଜ ,
ଶୁକ୍ରାଚାର୍ଯ୍ୟ ଦୃଶ୍ୟ ଦେଖି ହୋଇଲେ ଚକିତ ।
ନିରୀହପଣେ କୁମର ଧ୍ୟାନ ଶିକ୍ଷା ଦିଏ ,
ଆଶ୍ରମେ ତାହାଙ୍କୁ ଘେରି ରୁହନ୍ତି ପିଲାଏ ।
ସମସ୍ତ ଶିଷ୍ୟ ପ୍ରହ୍ଲାଦ ପାଶେ ଥାନ୍ତି ଲାଖି ,
ଗୁରୁ ଦ୍ବୟ ବାଳୁତର ବିଷ୍ଣୁ ଭକ୍ତି ଦେଖି ।
ପ୍ରଚଣ୍ଡ ଜ୍ଞାନରେ ତା'ର ଆଶ୍ଚର୍ଯ୍ୟ ହୋଇଲେ ,
ପଚାରନ୍ତି ବ୍ରହ୍ମ ତତ୍ତ୍ଵ ବୁଝାଅ ହେ..! ଭଲେ ।
ପ୍ରହ୍ଲାଦ କୁହନ୍ତି ଗୁରୁ ଭ୍ରାତ ଦ୍ବୟ ଶୁଣ ,
ଶରଣ ପଶିବା ନୁହଁ ବ୍ରାହ୍ମଣ ଲକ୍ଷଣ ।
ଯେମନ୍ତ ପଶିଛ ତୁମ୍ଭେ ଆମ୍ଭ ପିତୃ ପାଦ ,
ଶୁକ୍ରରୁ ବ୍ରାହ୍ମଣ ତୁମ୍ଭେ , ପ୍ରବୃତ୍ତିରୁ ବାଦ ।
ହିରଣ୍ୟ ଅର୍ଥ ସୁବର୍ଣ୍ଣ , କଶିପୁ ପ୍ରମୋଦ ,
ଭୌତିକ ଶିକ୍ଷାରେ ପ୍ରାଣ ନହୁଏ ଆହ୍ଲାଦ ।
ପ୍ରତିକ୍ଷଣ ଉଲ୍ଲସିତ ରହିବାର ଶିକ୍ଷା ,
ପ୍ରହ୍ଲାଦ ନାମରେ ଅଛି ବିସ୍ତୃତ ସମୀକ୍ଷା ।
ରାଜାଙ୍କ ଆଦେଶେ ଶିଖାଉଛ ଭୂତ ବାଦ ,
ଆଧ୍ୟାତ୍ମିକ ଚିନ୍ତା କର ଛାଡ଼ି ଶୂନ୍ୟ ନାଦ ।
ବସ୍ତୁ ଚିନ୍ତାରେ ଯେ' ଜନ ସୁଖ ଖୋଜୁଥାନ୍ତି ,
ପ୍ରକୃତ ଖୁସିର ସଂଜ୍ଞା କେବେ ନ ପାଆନ୍ତି ।
ପରମ ପୁରୁଷ ପାଦେ ଯେଉଁ ଜନ ମନ ,
ପରମାନନ୍ଦ ପ୍ରାପତ ହୁଏ ପ୍ରତିକ୍ଷଣ ।
ଏତାଦୃଶ ବ୍ରହ୍ମଜ୍ଞାନ ବାଳୁତ କଣ୍ଠରୁ ,
ଶୁଣି ଚକିତ ହୋଇଲେ ପ୍ରହଲ୍ଲାଦ ଗୁରୁ ।
ଧିକ୍କାରି ଉଭୟ ଜନ ନିଜ ଗୁରୁ ପଣେ ,
ଲଜ୍ଜିତ ହୁଅନ୍ତି ସେହି ସମୟେ ତତ୍କ୍ଷଣେ ।
ଭାବନ୍ତି ସ୍ଵୟଂକୁ କେତେ ପାରିଥିଲେ ଠକି ,
ସହସା ଉଠନ୍ତି ପୁଣି ଅନ୍ତରେ ଚମକି ।
ମହାରାଜ ଦଣ୍ଡ ଦେବେ ଭାଳି ଭୀତ ହେଲେ ,
ରାଜଦରବାର ଆଡେ ତୁରନ୍ତ ଚଳିଲେ ।
ତତ୍କ୍ଷଣ ପହଞ୍ଚି ଦୈତ୍ୟରାଜ ସମ୍ମୁଖରେ ,
ଶିକ୍ଷାଦାନ ଅକ୍ଷମତା କୁହନ୍ତି ବିସ୍ତାରେ ।
ଏମନ୍ତ ବାକ୍ୟରେ ରୁଷ୍ଟ ହୁଏ ଦୈତ୍ୟପତି ,
ପୁତ୍ରକୁ ଡକାଇ କେତେ ଗେଲରେ ବୁଝାନ୍ତି ।
ଅନେକ ଯତ୍ନ କରନ୍ତି ମତି ବଦଳାଇ ,
ତଥାପି ପ୍ରହ୍ଲାଦ ଯେବେ କିଛି ନ ବୁଝଇ ।
ଭୀଷଣ କ୍ରୋଧରେ ରାଜା ପିତୃପଣେ ଝୁଲେ ,
ଦୈତ୍ୟ ପ୍ରକୃତିରେ ହିତାହିତ ଜ୍ଞାନ ଭୁଲେ ।
ଭୟଭୀତ କରେ ପୁତ୍ରେ ଅନେକ ବାକ୍ୟରେ ,
ତଥାପି ..! ଭକ୍ତ ପ୍ରହ୍ଲାଦ ନାରାୟଣ ସ୍ମରେ ।
ଆପଣ ମାନେବି ଭଜୁଥିବେ ଶ୍ରୋତାଗଣ ,
ଉଚ୍ଚାରଣ କରି ନାରାୟଣ ନାରାୟଣ ।। ୫୪ ।।
#ସିଂହିକା_ଉପାଖ୍ୟାନ
ଦେଖି ପ୍ରହ୍ଲାଦର ଭକ୍ତି ରାଜା ହିରଣ୍ୟର ..
ମସ୍ତକ ଘୂରେ ଚିନ୍ତାରେ ପାଗଳ ପ୍ରକାର ।
ସୁମରଣ କଲା ଭଗ୍ନୀ ଉପସ୍ଥିତି ପାଇଁ ,
ହୋଲିକା ଆସନ୍ତେ କ୍ରୁର ନିର୍ଦ୍ଦେଶକୁ ଦେଇ ।
କୁହଇ ପାଇଛୁ ବର ଅଗ୍ନି ଦେବ ଠାରୁ ,
କିଛି କ୍ଷତି ହେବ ନାହିଁ ଜଳନ୍ତା ନିଆଁରୁ ।
ଅପରାଧ ପାଇଁ ଦଣ୍ଡ ବିଚାର ମହିରେ ,
ଏ ମୂର୍ଖ ପାମର ଧରି ଚଢ଼ ତୁ ଯୁଇରେ ।
ନିର୍ଦ୍ଦେଶ ଦେଉଛି ଆଜି ବଡ଼ ଭାଇ ତୋ'ର ,
ଭାତୃହନ୍ତା ଭକ୍ତକୁ ତୁରନ୍ତ ହତ୍ୟା କର ।
ଅଗ୍ରଜଙ୍କ କଥା ମାନି ଭୁଲେ ବର ସନ୍ଧି ,
ନ୍ୟାୟ ବିରୁଦ୍ଧରେ ଗଲେ ନିଜେ ହେବ ଛନ୍ଦି ।
ନିଷ୍କ୍ରିୟ ହୋଇବ ବର କରିବନି କାମ ,
କି' ହୋଇବ କ୍ଷତି ଯେହୁ ସ୍ମରେ ପ୍ରଭୁ ନାମ ..?
କୂଟ ଚିନ୍ତା ସାଥେ ପ୍ରହ୍ଳାଦର ହସ୍ତ ଧରି ,
ଗରବେ ବସେ ରାକ୍ଷସୀ ଅଗ୍ନିଙ୍କୁ ସୁମରି ।
ହୁତୁହୁତୁ ଜଳେ ଯୁଇ ଅଗ୍ନିକାଣ୍ଡ ସମ ,
ବିଷ୍ଣୁ ଭକ୍ତ ଜପୁଥାଏ ଜୟ ନାରାୟଣ ।
ଏମନ୍ତ ସମୟେ ବର ଓଲଟା ହୋଇଲା ,
ପ୍ରହ୍ଲାଦ ବ୍ୟତୀତ ଯୁଇ ସର୍ବସ୍ୱ ଜାଳିଲା ।
ହୋଲିକା କୂଟନୀତିର ବିଶ୍ଵ ହେଲା ସାକ୍ଷୀ ,
ଭସ୍ମ ହୋଇଲା ରାକ୍ଷସୀ କୂଟ ଅନ୍ତେ ରଖି ।। ୨୨ ।।
#ଦଣ୍ଡ #ଭକ୍ତ_ଉପରେ_ରାକ୍ଷସର_ଅତ୍ୟାଚାର
ହୋଲିକା ମରିବା ପରେ ଦେବାପାଇଁ ଭୟ ,
ପୁତ୍ର ବଧ ପାଇଁ ଦୈତ୍ୟ ପାଞ୍ଚଇ ଉପାୟ ।
ସମସ୍ତ ଉପାୟ ଯେବେ ନିଷ୍ଫଳ ହୁଅଇ ,
ଚେତାବନୀ ଦିଏ ପୁତ୍ର ପ୍ରହ୍ଲାଦେ ବୁଝାଇ ।
ଜୀବନ ନେବାକୁ କେତେ ପ୍ରଯତ୍ନ କରିଲା ,
ମଲ୍ଲ ଡାକି , ମତ୍ତ ହସ୍ତୀ ପଦରେ ଦଳିଲା ।
ଉତ୍ତପ୍ତ ତେଲରେ ଛାଣିବାର ଅଭିପ୍ରାୟେ ,
ଯେତେ ତୈଳ ଢାଳେ .. ତୈଳ ପୁଷ୍ପ ସାଜୁଥାଏ ।
ପର୍ବତ ଶିଖରୁ ଠେଲି ପାଦ ଦେଶ ଯାଏଁ ,
ବିଷଧର ସର୍ପ ଦନ୍ତେ ପୁତ୍ରକୁ ଦଂଶାଏ ।
ଧ୍ୟାନରେ ବସାଇ ଅସ୍ତ୍ରେ କରଇ ପ୍ରହାର ,
ଶ୍ରୀହରି ଉଚ୍ଚାରେ ଯେ' କି' କ୍ଷତି ହେବ ତା'ର ..!
ସହସ୍ର ପ୍ରଚେଷ୍ଟା ଯେବେ ବିଫଳ ହୋଇଲା ,
କ୍ରୋଧ ଜର୍ଜରିତ ହୋଇ ଆଗଭର ହେଲା ।
ଧରିଲା ପୁତ୍ର କଟିକୁ ପ୍ରବଳ ପ୍ରକାର ,
କାହିଁ ତୋ'ର ପ୍ରଭୁ ମତେ ଦେଖାରେ ପାମର ..?
ଏମନ୍ତ ବୋଲିଣ ପୁତ୍ରେ ଅଗ୍ନିବାଣ ସମ ,
ପ୍ରକଟ କରେ ଆତ୍ମାରେ କାଳକାୟା ଭ୍ରମ ।
ନିର୍ଭୟ ପ୍ରହ୍ଲାଦ ବୋଲେ , ହେ ..! ମୋ' ପ୍ରିୟ ପିତା ,
ପାମର ପରାୟେ କିମ୍ପା ପୁଚ୍ଛ ପ୍ରଭୁ କଥା ..?
ଯିଏ ସ୍ଵୟଂ ପରମବ୍ରହ୍ମ .. ସାକାର ଯା' କାୟା ..!
ଆକାର ନଥାଇ ସର୍ବବ୍ୟାପ୍ତ ଯା'ର ମାୟା ..!
" କାହାନ୍ତି ମୋ' ପ୍ରଭୁ " ଏହି ପ୍ରଶ୍ନ ଅବାନ୍ତର ,
ଚଉଦ ବ୍ରହ୍ମାଣ୍ଡେ ବିଦ୍ୟମାନ ସେ' ସର୍ବତ୍ର ।
ପୁତ୍ରର ଏମନ୍ତ ବାଣୀ ବିଚଳିତ କଲା ,
ଅଗ୍ନି ସମ କ୍ରୋଧେ ଦୈତ୍ୟ ପ୍ରଖର ହୋଇଲା ।
ରୁଷ୍ଟ ହୋଇ ନିକଟସ୍ଥ ସ୍ତମ୍ବକୁ ଦର୍ଶାଇ ,
ପୁତ୍ର ସମୀପରେ ମାଗେ ପ୍ରମାଣ ଦେ' ତୁହି ।
ସର୍ବତ୍ର ଯେ' ବିଦ୍ୟମାନ ଥିବ କି' ସ୍ତମ୍ବରେ ..?
ଏମନ୍ତ ପ୍ରଶ୍ନ ପଚାରି ମୁଦ୍ଗର ପ୍ରହାରେ ।
ଅହଙ୍କାର ବଢ଼ିଗଲେ .. ବୁଦ୍ଧି ଯାଏ ନାଶ
ବ୍ୟାପ୍ତ ମାର୍ଗେ ଅଗ୍ରସର ହୁଅଇ ବିନାଶ ,
ଯୁଗଟିଏ ଅବସାନ ହେବାର ଏ କ୍ଷଣ ,
ଏଇଠି ଦର୍ଶନ ଦେବେ ପୂଜ୍ୟ ଭଗବାନ ।
ମାତୃ ଭଗ୍ନୀ ପାଶୁ ହୁଳହୁଳି ନାଦ ଲୋଡ଼ି ,
ଶ୍ରୀହରୀ ସ୍ଵରୂପ ବିଗ୍ରହଙ୍କୁ ହସ୍ତ ଯୋଡ଼ି ।
ଅକିଞ୍ଚନ ଲେଖନୀରେ ସାହସ ମୁଁ' ଭରେ ,
ଆଶୀର୍ବାଦ ଦିଅ ପ୍ରଭୁ ସୁମରଣା କରେ ।
ସୁଧିଜନେ ନାରାୟଣ କର ଉଚ୍ଚାରଣ ,
ପରବର୍ତ୍ତୀ ଘଟଣାକୁ କରିବି ବର୍ଣ୍ଣନ ।। ୩୮ ।।
#ବଧ #ରାକ୍ଷସ_ଯୁଗାବସାନ
ମହାଦୈତ୍ୟ ଧମକରେ ଭକ୍ତ ଶିରୋମଣି ,
ମନାସନ୍ତି ସ୍ତୁତି , ମାନସରେ ଚକ୍ରପାଣି ।
ଏମନ୍ତ ସମୟେ କ୍ରୋଧ ଜର୍ଜରିତ ପିତା ,
ପୁତ୍ର ପ୍ରତି ପ୍ରକଟନ୍ତି ଯେତେ ହିନ କଥା ।
ମନ୍ଦମତି , କରାଧମ , କୁଳଭେଧି କହି ,
ସିଂହାସନରୁ କ୍ରୋଧରେ ଆସନ୍ତି ଓହ୍ଲାଇ ।
ପ୍ରହାରନ୍ତି ଖମ୍ୱେ ନିଜ ଗଦା ପୂର୍ଣ୍ଣ ବଳେ ,
ତ୍ରିଲୋକରେ ବଜ୍ରପାତ ସମ ଶବ୍ଦ ଚଳେ ।
ଭୟଙ୍କର ଶବଦେ କମ୍ପଇ ତ୍ରିଭୁବନ ,
ଅଞ୍ଚାଶ ବେଗେ ପବନ ବହେ ଘନ ଘନ ।
ଧ୍ଵଂସ ସ୍ତମ୍ବ ଧୂମାଳ ପାର୍ଶ୍ୱର ବକ୍ଷ ଚିରି ,
ସ୍ଥୂଳକାୟାରେ ଭୀଷଣ ଗର୍ଜନ୍ତି ଶ୍ରୀହରି ।
ଏ ଦୃଶ୍ୟେ ହିରଣ୍ୟ ବକ୍ଷେ ହୁଅଇ କମ୍ପନ ,
ପ୍ରକଟନ୍ତି ପ୍ରଭୁ ଭକ୍ତେ ଦେବାକୁ ଦର୍ଶନ ।
ନର ଅବୟବ ସଙ୍ଗେ ସିଂହର ବଦନ ,
ଜ୍ୱଳନ୍ତ ମୁଖ ସଂହାର କରିବ ଯେସନ ।
ପ୍ରଶସ୍ତ ଛାତି , ବିସ୍ତୀର୍ଣ୍ଣ ବାଜୁ ଦ୍ବୟ ଦେଖି ,
ଛାନିଆପଣେ ରାକ୍ଷସ କରେ ବଡ଼ ଆଖି ।
ସୁଦୀର୍ଘ ଉପାସ୍ଥି ଅଙ୍ଗୁଷ୍ଠିର ଅଗ୍ରଭାଗେ ,
ଦିବ୍ୟ ଝଟକେ ଜାଯୁଲ୍ୟ ଦିଶନ୍ତି ସର୍ବାଙ୍ଗେ ।
ଦେଖି ମହକାଳ ରୁପ ଦେବକୁଳ ଭୀତ ,
ପାପୀ ଦୈତ୍ୟ ପରିଶେଷେ ହୋଇବ ନିହତ ।
ନୁହେଁ ଦିବା ନୁହେଁ ନିଶି ଏ'ତ ସାୟଂ କାଳ ,
ଦେବ କି' ମାନବ ନୁହଁ ଏ ରୂପ କରାଳ ।
ବହିର୍ଭାଗ ନୁହଁ , ନୁହଁ ଗୃହର ଅନ୍ତର ,
ରାଜବାଟି ପରିପାଟୀ ଏ ପ୍ରବେଶ ଦ୍ଵାର ।
ତିନିଲୋକେ ନୁହେଁ ଜାନୁ ଉପରେ ରଖିବେ ,
ଅସ୍ତ୍ର ନୁହେଁ ଶସ୍ତ୍ର ନୁହେଁ ନଖେ ବିଦାରିବେ ।
ବ୍ରହ୍ମାଙ୍କ ବର ର ସବୁ ସର୍ତ୍ତ ହରିବାକୁ ,
ହରିଙ୍କ ଅଦ୍ଭୁତ ରୂପ ଦୈତ୍ୟ ତାରିବାକୁ ।
ଗୋଟିଏ କ୍ଷଣରେ ମୂଢ ହେଲା ବିର୍ଯ୍ୟହୀନ ,
କବଳୁ ଫିଟାଇ ପାରିଲାନି କଟି ମାନ ।
ତନ୍ତୁ ପ୍ରାୟ ଟେକି ନିଜ ଜାନୁରେ ରଖିଲେ ,
ସାକ୍ଷୀ ଥିଲା ସୃଷ୍ଟି ଦୈତ୍ୟ ବକ୍ଷ ବିଦାରିଲେ ।
ରୁଧିରେ ଧୋଇଲେ ମୁଖ ଶାନ୍ତ କରି ଜ୍ଵାଳା ,
ପଇତା କରି ପିନ୍ଧିଲେ ଦୈତ୍ୟ ଅନ୍ତନଳା ।
ତଥାପି ଉଗ୍ର ସ୍ୱରୂପ ସରଳ ନୋହିଲା ,
ପ୍ରଚଣ୍ଡ ରୂପ କ୍ରୋଧାଗ୍ନି ବିଶ୍ଵ ଥରାଇଲା ।
ଅତିଶୟ କ୍ରୋଧ ଦେଖି ବାଳୁତ ଡରଇ ,
ସକଳ ଦେବ ବିନତି କରନ୍ତି ଗୋସାଇଁ ।00
ପ୍ରହ୍ଲାଦ ଅମୃତେ ପଦ ପ୍ରକ୍ଷାଳନ କaରେ
ଶାନ୍ତ ହୁଅ ପ୍ରଭୁ ବୋଲି ମନରେ ସୁମରେ ।
ନିରୀହ ବାଳୁତ ଅଭିପ୍ରାୟ ଜାଣି ସାରି ,
ଅଭୟ ପ୍ରଦାନ ତାକୁ କରନ୍ତି ଶ୍ରୀହରି ।। ୪୨ ।।
#ପଞ୍ଚ_ନରସିଂହ
ପଞ୍ଚ ନରସିଂହ କଥା କରୁଅଛି ବ୍ୟାଖ୍ୟା ,
ହୁଳହୁଳି ଦେବେ ଶୁଣି ବିସ୍ତୃତ ସମୀକ୍ଷା ।। ୦୨ ।।
#୧ #ଗିରିଜା_ନରସିଂହ
ଉତକଟିକ ମୁଦ୍ରାରେ ଆୟପା ଯେସନେ ,
ଆଣ୍ଠୁ ମାଡ଼ି ବସି ରହିଥିବେ ସିଂହାସନେ ।
ପ୍ରହ୍ଲାଦ କି ମାତାଲକ୍ଷ୍ମୀ ନଥିବେ ପାଖରେ ,
ପଦ ଦ୍ବୟ ବନ୍ଧା ଥିବ ଯୋଗପଟ୍ଟାଧାରେ ।
ଉଦାହରଣ ରହିଛି ହମ୍ପିର ମୂରତି ,
ଗିରିଜା ନୃସିଂହ ରୂପେ ରହି ଅଛି ଖ୍ୟାତି ।। ୦୬ ।।
#୨ #ଉଗ୍ର_ନରସିଂହ
ହିରଣ୍ୟକଶିପୁ ବକ୍ଷ ଚିରୁଥିବେ ନଖେ ,
ମାତା ନଥିବେ ସାଥିରେ , ଜଳୁଥିବେ ମୁଖେ ।
ପ୍ରଭୁ ଯେବେ ପ୍ରତ୍ୟୟ ହେବେ ହିଂସ୍ର ଭାବରେ ,
ପ୍ରହ୍ଲାଦ , ଗରୁଡ଼ ଥିବେ ଅଞ୍ଜଳୀ ମୁଦ୍ରାରେ ।
ବେଲୁର ଠାରେ ଦେଖିବେ ଏମନ୍ତ କୀରତି ,
ହଲେବିରୁଡ଼ରେ ଉଗ୍ର ନରସିଂହ ମୂର୍ତ୍ତୀ ।। ୦୬ ।।
#୩ #ସ୍ଥୌଣ_ନରସିଂହ
ସ୍ତମ୍ବରୁ ପ୍ରକଟି ପ୍ରଭୁ ଛିଡ଼ା ହୋଇଥିବେ ,
ହିରଣ୍ୟ କିରଟି ହସ୍ତେ ଉତାରି ଧରିବେ ।
ଗରୁଡ଼ , ପ୍ରହ୍ଲାଦ ଥିବେ ଅଞ୍ଜଳୀ ମୁଦ୍ରାରେ ,
ମାତା ମହାଲକ୍ଷ୍ମୀ କିନ୍ତୁ ନଥିବେ ସେ ସ୍ଥାନେ ।
ବାଦାମୀ ଗୁମ୍ଫାର ପ୍ରଭୁ ବିଗ୍ରହ ପ୍ରମାଣ ,
ସ୍ଥୌଣ ନରସିଂହ ନାମ ପ୍ରଚଳିତ ଜାଣ ।। ୦୬ ।।
#୪ #ଯାନକ ନରସିଂହ
ବାହନ ଉପରେ ଉଭା ହୋଇବାର ରୂପ ,
ନୃସିଂହାବତାରେ ସାକ୍ଷାତ୍ ବିଷ୍ଣୁଙ୍କ ସ୍ୱରୂପ ।
ଗରୁଡ଼ଙ୍କ କାନ୍ଧରେ ଆରୁଢ଼ ରହିଥିବେ ,
ଆଦିନାଗ ଶେଷଙ୍କ ଫଣାରେ ବସିଥିବେ ।
ବେଲୁର ମନ୍ଦିର ଦ୍ୱାରେ ଏବେ ମଧ୍ୟ ସ୍ଥିତ ,
ଯାନକ ନରସିଂହଙ୍କ ବିଗ୍ରହ ପ୍ରସିଦ୍ଧ ।। ୦୬ ।।
#୫ #ଲକ୍ଷ୍ମୀ ନରସିଂହ
ସିଂହାସନ ହେଉ ଅବା ହେଉ ପଦ୍ମାସନ ,
ପଦ ଛନ୍ଦି ବସିଥିବେ ପ୍ରଭୁ ଭଗବାନ ।
ବାମ ଊରୁ ରେ ମା'ଲକ୍ଷ୍ମୀ ବିରାଜିତ ଥିବେ ,
ପ୍ରହ୍ଲାଦ , ଗରୁଡ଼ ଅଞ୍ଜଳୀମୁଦ୍ରା ଘେନିବେ ।
ସୋମନାଥପୂରେ ପୁଣି ଅନେକ ସ୍ଥାନରେ ,
ଯୁଗଳ ମୂରତି ପୂଜାପା'ନ୍ତି ମାନସରେ ।
ହେବା ପାଇଁ ସଫଳ ସକଳ ମନସ୍କାମ ,
ଲକ୍ଷ୍ମୀ ନାରାୟଣ ନାମ କର ଉଚ୍ଚାରଣ
।। ୦୮ ।।
#ନିରାକାର_ରୁ_ନରାକାର
#ଶ୍ରୀମନ୍ଦିର_ରେ _ଶ୍ରୀଜଗନ୍ନାଥଙ୍କ_ସହ_ଶ୍ରୀନୃସିଂହଙ୍କ_ସମ୍ପର୍କ
ଶ୍ରୀମନ୍ଦିରେ ରୋଷଘର କୂପର ଜଳକୁ ,
ଶୋଧ ପାଇଁ ପାଠ ହୁଏ ନୃସିଂହ ମନ୍ତ୍ରକୁ ।
ବଇଶାଖ ଶୁକ୍ଳ ଚତୁର୍ଦ୍ଦଶୀ ପୁଣ୍ୟ ଦିନେ ,
ସନ୍ଧ୍ୟା ଆଳତି ପୂର୍ବରୁ ଦକ୍ଷିଣ ଭବନେ ।
ନୂଆଲୁଗା ଲାଗି ସଜ ହୁଅଇ ସର୍ବାଙ୍ଗ ,
ଚକ୍ରତୀର୍ଥ ନୃସିଂହ ପାଶେ ଖେଟନ୍ତି ବିଜ୍ଞ ।
ସନ୍ଧ୍ୟାଧୂପ ଲାଗି ଜଳ ପଡ଼ିବାର ପରେ ,
ଆଜ୍ଞାମାଳ ପାଇ ମୁକ୍ତି ମଣ୍ଡପ ଉପରେ ।
ଶ୍ରୀ ନୃସିଂହ ମୁକ୍ତ ନରସିଂହଙ୍କ ସମ୍ମୁଖେ ,
ଖଟୁଳି ଉପରେ ବିଜେ ହୋଇଥାନ୍ତି ସୁଖେ ।
ପୂଜାପଣ୍ଡା , ପତିମହାପାତ୍ର , ସାଧୁ ଜନ ,
ପାଳନ୍ତି ଉଭୟ ନରସିଂହଙ୍କର ଜନ୍ମ ।
ଜଣେ କେହି ସେବକ ନୃସିଂହ ରୂପ ଧରି ,
ମାର୍କଣ୍ଡେଶ୍ଵର ସାହିରୁ ଆସଇ ବାହାରି ।
ଜଗନ୍ନାଥ ବଲ୍ଲଭ ପାଖରେ ପ୍ରଭୁ ଲୀଳା ,
ପ୍ରଦର୍ଶନେ ଉତ୍ସବ ମୁଖର ହୁଏ ମେଳା ।
ବିମାନରେ ବିରାଜିତ ଥାନ୍ତି ପ୍ରଭୁ ମୂର୍ତ୍ତି ,
ତତ୍ ସଙ୍ଗେ ନୃସିଂହ ମୁଖା ଭ୍ରମଣେ ଯାଆନ୍ତି ।
ଦାରୁ ଦିଅଁ ସଙ୍ଗେ ସ୍ତମ୍ଭଜାତ ନରସିଂହ ,
ତେଜଶାଳୀ ମହାକାଳ ସ୍ୱରୂପ ନିଶ୍ଚୟ ।
ଶ୍ରୀନୃସିଂହ ହିଁ ସକଳ ଦୁଃଖର ହରତା ,
ମଙ୍ଗଳମୟ ଠାକୁର ବିଧିର ବିଧାତା ।
ଯାହାଙ୍କ ସ୍ମରଣ ମାତ୍ର ସର୍ବ ପୀଡ଼ା ହରେ ,
ଷଡ଼ ଐଶ୍ୱର୍ଯ୍ୟ ପ୍ରାପତ ହୁଅଇ ସତ୍ୱରେ ।
ନୃସିଂହ ଦର୍ଶନେ ମହାପ୍ରଭୁ ଦର୍ଶନର ,
ଫଳ ପ୍ରାପ୍ତ ହୁଏ ପ୍ରାପ୍ତ ହୋଇଥାଏ ବର ।
ନରସିଂହ ଜଗନ୍ନାଥ ଯୁଗେ ଯୁଗେ ଏକ ,
ଭକ୍ତର ମାନ ଉଦ୍ଧାର ଏକମାତ୍ର ଲକ୍ଷ୍ୟ ।
ନିରାକାରୁ ନରାକାର ହୁଅନ୍ତି ଉତ୍ପତ୍ତି ,
ସକଳ ବ୍ରହ୍ମାଣ୍ଡ ଗର୍ଭେ ଯାହାଙ୍କ ଥାଆନ୍ତି ।
ତୁମେ ଆଦି ତୁମେ ଅନ୍ତ ଜଗତ ଠାକୁର ,
ଆପଣଙ୍କ ଠାରୁ ସୃଷ୍ଟ ସବୁ ଅବତାର ।
ମହାପ୍ରଭୁ ତୁମ୍ଭେ ନିତ୍ୟ ଚିରନ୍ତନ ସତ୍ୟ ,
ମୁଁ' ଅଜ୍ଞ ଅଧମ ପ୍ରଭୁ କରେ ପ୍ରଣିପାତ ।
ହେ ..! ଦେବେଶ କୃପା କର ପାମର ମୋ' ଠାରେ ,
କଳୁଷ ଯାଉ ମୋ' ତବ ନେତ୍ର ଅଗ୍ନି ଧାରେ ।
ନଖ ଦ୍ୱାରା ସକଳ ମୋ' ଗର୍ବ , ଅହଂକାର ,
ବିଦାରି ଦେଇ ହେ ..! ପ୍ରଭୁ ହରିହର ହର ।
ଶ୍ରୀପୟରେ ପୂଜେ ପ୍ରହଲ୍ଲାଦ ଭାବ ଦେଇ ,
ଏ ଭୃତ୍ୟକୁ ରଖ ପ୍ରଭୁ ଚରଣେ ମଡାଇ ।। ୪୨ ।।
#ନୃସିଂହ_ବ୍ରତ_ପାଳନ_ବିଧି
ନୃସିଂହଙ୍କ ବ୍ରତବିଧି ପାଳନ ପ୍ରକ୍ରିୟା ,
ଏକାଦଶୀ ବ୍ରତ ଉପବାସ ଭଳି କ୍ରିୟା ।
ବୈଶାଖ ଶୁକ୍ଳପକ୍ଷର ଚତୁର୍ଦ୍ଦଶୀ ତିଥି ,
ପୁଣ୍ୟ ବାସରେ ପାଳିତ ନୃସିଂହ ଜୟନ୍ତୀ ।
ସାୟଂକାଳେ ପ୍ରଭୁ ଆବିର୍ଭାବ ଥିଲେ ହୋଇ ,
ଜଗତ ଜନଙ୍କୁ ଦରଶନ ଥିଲେ ଦେଇ ।
ଦିନକ ପୂର୍ବରୁ ବ୍ରତ ମାନସିକଧାରୀ ,
ଦିବସେ ଭୋଜନ ମାତ୍ର ଥରେ ଭୋଗ କରି ।
ମଧ୍ୟାହ୍ନେ ସଂକଳ୍ପ , ସାୟାହ୍ନରେ ପୂଜାର୍ଚ୍ଚନା ,
ଆତ୍ମା-ଚିତ୍ତେ ରଖିଥିବେ ନିର୍ମଳ ଭାବନା ।
ସମସ୍ତ ଶସ୍ୟ ସେବନ ବାରଣ ମାତର ,
ସମ୍ପୂର୍ଣ୍ଣ ରାତ୍ରୀ ରହିବେ ପାଳି ଉଜାଗର ।
ଅପର ଦିବସେ ପୂଜା କରି ବିସର୍ଜନ ,
ଉପାସ ଭାଙ୍ଗିବେ ଦେଇ ବ୍ରାହ୍ମଣ ଭୋଜନ ।। ୧୪ ।।
#ଉପସଂହାର
ନରସିଂହ ଉପାଖ୍ୟାନ ବିସ୍ତୃତ ବିଷୟ ,
ଅସରନ୍ତି ଗାଥାକୁ ବର୍ଣ୍ଣିବା ସାଧ୍ୟ ନୁହଁ ।
ଅକିଞ୍ଚନ ମୂଢ଼ ମୁଁ' କି ଜାଣଇ ପୁରାଣ ..!
ନୃସିଂହ ଚରିତ ବର୍ଣ୍ଣିବାକୁ ନାହିଁ ଜ୍ଞାନ ।
ସଂଗୃହିତ ତଥ୍ୟ ଯାହା ସୀମିତ ଜ୍ଞାନରେ ,
ମୁଁ' ଅଧମ ଲେଖେ ପାଠକ ଙ୍କ ଉଦ୍ଦେଶ୍ୟରେ ।
ତ୍ରୁଟି ଥିବ ଯଦି କ୍ଷମା ଆଚରେ ବିବୁଧେ ,
ଦୋଷ ତ୍ରୁଟି କ୍ଷମା ଦେବ ପାଠକେ ସହୃଦେ ।
ବେନି କରପତ୍ର ଯୋଡ଼ି କରେ ନିବେଦନ ,
ନୃସିଂହ ସୁମରି ପୂର୍ଣ୍ଣ କରେ ମୋ' ଲିଖନ ।
ହେ ..! ପ୍ରଭୁ ପରମ ପିତା ପାଠକ ହୃଦୟେ ,
ବଞ୍ଚାଇ ରଖ ମୋ' ସୃଷ୍ଟି ଭକ୍ତିରସ ଲୟେ ।
ସୁମରି ପ୍ରଭୁ ପୟର ମୁଁ' ରାଇରଞ୍ଜନ ,
ନରସିଂହ ଉପାଖ୍ୟାନ କରୁଛି ସଂପୂର୍ଣ୍ଣ ।। ୧୪ ।।
©️®️ #ରାଈରଞ୍ଜନ ™️
ସୌଜନ୍ୟ - ପ୍ରତିଭା