Eevents Prakash

Eevents Prakash Contact information, map and directions, contact form, opening hours, services, ratings, photos, videos and announcements from Eevents Prakash, Publisher, Pl No, 4555, VSS Nagar, Bhubaneswar.

ନଟର ଡାଏରୀ-୨ (୨/୩/୨୦୨୪)ରୋକ୍‌ଠୋକ୍‌......................................................................କଥା ପଡିଲେ ଆମେ କହିଥ...
02/03/2024

ନଟର ଡାଏରୀ-୨ (୨/୩/୨୦୨୪)
ରୋକ୍‌ଠୋକ୍‌......................................................................
କଥା ପଡିଲେ ଆମେ କହିଥାଉ - ସେ ଜଣେ ରୋକ୍‌ଠୋକ୍ ଲୋକ?
ରୋକ୍‌ଠୋକ୍ ମାନେ?
ମାନେ କୌଣସି ଭଣିତା ନକରି ଯିଏ ସିଧା ସଳଖ କଥାଟା କହି ପାରେ ସେ ହେଉଛି ରୋକ୍ ଠୋକ୍ ଲୋକ । ସମସ୍ତେ ଏମିତି କହି ପାରନ୍ତିନି । ସେମିତି କହିବାକୁ ସାହସ ଦରକାର । ସମସ୍ତଙ୍କର ସେ ସାହସ ନଥାଏ ।

ମୋ ନିଜ କଥା କହୁଛି । ଥରେ ବଡ ଭଉଣୀର ଦେଢଶୁରଙ୍କ ଘରକୁ ଯାଇଥିଲି କୁଜଙ୍ଗ । ପ୍ରବଳ ଭୋକ । ସେମାନେ କହିଲେ- କଣ ଟିକେ ଜଳଖିଆ ଦେଉଛି!
ମୁଣ୍ଡ ହଲାଇ କହିଲି- ନା,ନା,ନା ଜଷ୍ଟ ଏଇନା ଖାଇକି ଆସିଚି । ପେଟରେ ଇଞ୍ଚେ ଜାଗା ନାହିଁ ପରା! ସେମାନେ କିଛି ଦେଲେନି । କେବଳ ପାଣି ଗ୍ଲାସ୍‌ଟେ ମାଗି ପିଇଲି । ପାଣି ମାଗି ପିଇହେବ, ଜଳଖିଆ ନୁହେଁ । କାଳେ ଲୋକେ କାଙ୍ଗାଳ କହି ଦେବେ କି? ରୋକ୍‌ଠୋକ୍ ଲୋକ କହିଥାନ୍ତା- “ଦେବେ ବୋଲି କହୁଛନ୍ତି? ଠିକ୍ ଅଛି, ଦିଅନ୍ତୁ, ଦିଅନ୍ତୁ, ମୋତେ ବି ଭୋକ ଲାଗୁଛି ।”
ସମସ୍ତେ ସେମିତି କହି ପାରିବେନି । କାରଣ ସେମାନଙ୍କ ଦେବାର ପ୍ରତିଶ୍ରୁତି ସହ ନଦେଇ ପାରିବାର ସମ୍ଭାବନା ବି ରହିଛି । କିଏ ଜାଣେ ସେମାନଙ୍କ ଘରେ ଖାଇବା ନଥିବ, ଖାଲି େଓøପଚାରିକତା ଦୃଷ୍ଟିରୁ ସେମାନେ କହୁଥାଇ ପାରନ୍ତି । ଯାଚିଲେ ସାଧାରଣତଃ କେହି ମନା କରିବାଟା ଥୟ । ତେଣୁ ଯାଚିବାର ଉଦାରତା ଟିକେ ଦେଖାଯାଇ ପାରେ । କିନ୍ତୁ ଯଦି ସତରେ ସେମାନଙ୍କ ପାଖରେ କିଛି ଖାଇବାକୁ ଦେବାକୁ ନାହିଁ ଆଉ ତମେ ହଁ କରିଦେଲ, ତାହେଲେ ସେମାନଙ୍କ ଖାଇବାକୁ ଦେବାଠାରୁ, ଦେଇ ନପାରିବାର ହଟହଟାପଣ ବେଶି ବାଧିବ । ନଦେଇ ପାରୁଥିବା ଲୋକର ଲଜ୍ଜାଠାରୁ ମାଗିବା ଲୋକର ଲଜ୍ଜା ଭାରୀ ହୋଇ ପଡିବ ନି? ସେମାନଙ୍କ ଅସହାୟତାର ଉତ୍ସ ଯେ ତମେ, ଏକଥାଟା ଜଣକ ଭିତରେ ଗିଲ୍ଟି ଫିଲିଂସ୍ ଆଣି ଦେବନି କି? ସେଥିପାଇଁ ତ ରୋକ୍‌ଠୋକ୍ କହି ହୁଏନା । ବିବେକ ବାଧା ଦିଏ । ରୋକ୍ ଠୋକ୍ ଲୋକର କିନ୍ତୁ ବିବେକ ନଥାଏ, କେବଳ ବାଣୀ ଥାଏ । ‘ବାଣୀ’ ଶବ୍ଦଟା ‘ବାଣ’ (ଚାଇନିଜ୍ ବମ୍‌) ଶବ୍ଦରୁ ଆସିଛି ବୋଲି ସେମାନେ ଭାବିଥାନ୍ତି । ବିବେକୀ ଲୋକର ବି ବାଣୀ ଥାଏ, କିନ୍ତୁ ସେ ବାଣୀରେ ଥାଏ କୋମଳ ମୂର୍ଚ୍ଚନା (ଫୁଲଝରୀ ବାଣ)
ରୋକ୍‌ଠୋକ୍‌ର ଅର୍ଥ ଥରେ ବନ୍ଧୁ ଜନାର୍ଦ୍ଦନକୁ ପଚାରିଲି । ଜନାର୍ଦ୍ଦନ ତାର ଗୋଟେ ହୁଣ୍ଡାଳିଆ ଉତ୍ତର ଦେଲା । କହିଲା- ଯିଏ ଜଣକୁ ରୋକି ଦେଇ ତା ମୁଣ୍ଡକୁ ଠୁକେଇ ଦିଏ ସେ ହେଉଚି ରୋକ୍ ଠୋକ୍ । ମୁଁ ଜାଣିଛି ଜନାର୍ଦ୍ଦନଟା ଗୋଟେ ଜୋକର୍ । ତାକୁ ଗୁରୁଜ୍ଞାନ କଲେବି ତାର ସବୁ କଥାକୁ ମୁଁ ଗୁରୁତ୍ୱ ଦିଏନା । କିନ୍ତୁ ସେଇ ଜନାର୍ଦ୍ଦନ କିଛିଦିନ ତଳେ ଗୋଟେ କଥା କହିଥିଲା ଯେ ‘ରୋକ୍‌ଠୋକ୍ ଅନୁଭବ’ ଓ ‘ରୋକ୍‌ଠୋକ୍ ବଚନ’ ଭିତରେ ଫରକ ଅଛି । ‘ରୋକଠୋକ୍ ଅନୁଭବ’ ଭିତରେ ପ୍ରତ୍ୟୟ ଦିଶେ । କିନ୍ତୁ ‘ରୋକ୍‌ଠୋକ୍ ବଚନ’ରୁ ଅହଂକାରର ଗନ୍ଧ ଆସେ । ପଚାରିଥିଲି- ଜନାର୍ଦ୍ଦନ, ରୋକ୍‌ଠୋକ୍ ଅନୁଭବଟି କଣ? କହିଲା- କଂକ୍ରିଟ୍ ବୁଝିବା, କ୍ଲିଅର୍ ବୁଝିବାରେ ରୋକ୍‌ଠୋକ୍ ଅନୁଭବଟି ଆସେ । କହିଲି- ଜଣେ ଯଦି କଂକ୍ରିଟ୍ ବୁଝିଛି, କ୍ଲିଅର୍ ବୁଝିଛି ତେବେ ସେ କାହିଁକି କଂକ୍ରିଟ୍ କ୍ଲିଅର୍ କହି ପାରିବନି? ଜନାର୍ଦ୍ଦନ ଆଖିମିଟିକା ମାରି କହିଲା- ଗିଳିଲେ ଖାଦ୍ୟ, ଓଗାଳିଲେ ପରା ବାନ୍ତି । ଗିଳିବା ଓଗାଳିବା ସମାନ କେମିତି ହେବ? ଜାଣିନ!! ଚୈତନ୍ୟ ଗିଳେ, ଅହଂକାର ଓଗାଳେ ।
ତଥାପି କଥାଟା କ୍ଲିଅର୍ ହେଲାନି ।
ଜନାର୍ଦ୍ଦନ ବୁଝେଇ ଦେଲା । କହିଲା ଦେଖ, ସମ୍ବେଦନଶୀଳତା ଘେନେ, କିନ୍ତୁ ଦେଲାବେଳେ ଜଦି ସେଇ ସମ୍ବେଦନଶୀଳତା ନରହିଲା ତେବେ କଥା ଓଲଟି ଯାଏ । ଘେନିଲା ବେଳକୁ କଅଁଳ ଜିଭ, କହିଲା ବେଳକୁ ଲୁହା ଜିଭ? ବାଙ୍କି କଥା ମନେ ପଡୁଛି ନା ନାଇଁ?

ମନେ ପଡିଗଲା ।
ଗତ ଜାନୁୟାରୀ ଏକୋଇଶ୍‌ରେ ଆମେ ଗୋଟେ ବୁକ୍‌ଲଞ୍ଚ୍ ପାଇଁ ବାଙ୍କି ଯାଇଥିଲୁ । କାର୍‌ରେ ଥିଲୁ ୪ ଜଣ । ସରୋଜ, ଦେବ, ଆଶିଷ ଓ ମୁଁ । ସ୍ୱାଗତିକା ସ୍ୱାଇଁଙ୍କ ବହି ଉନ୍ମୋଚିତ ହେବାକୁ ଥିଲା । ଆମେ ଗଲାବେଳକୁ ପ୍ରାୟ ଗୋଟେ ବାଜିଲାଣି । ମଞ୍ଚରେ କବିତା ପାଠ ସରି କବିତା ସମୀକ୍ଷା ଚାଲିଛି । ପରୀକ୍ଷାଗାରରେ ବେଙ୍ଗ କାଟିଲା ଭଳି ସମୀକ୍ଷକ ସମୀକ୍ଷା କରି ଚାଲିଛନ୍ତି । ସେଇ ସମୀକ୍ଷାର ଛୁରିରେ କଟିଗଲେ କି ଜଣେ ସୁନ୍ଦରୀ ଭଦ୍ର ମହିଳା! ଖାଲି କଟି ଗଲେନି କଟି ଲହୁଲୁହାଣ ହେଲେ । କବିତାଟିର ଆଲୋଚନା କରିବାକୁ ଯାଇ ସମୀକ୍ଷକ ନାକଟେକି କହିଲେ- ଏ କବିତାର ସୌନ୍ଦର୍ଯ୍ୟ କାହିଁ, ରସ କାହିଁ? ବ୍ୟାପ୍ତି କାହିଁ? ଅପ୍ରବାହିତ ଜଡ କବିତା । କବିତାଟି ପୋଲିଓ ରୋଗଗ୍ରସ୍ତ ଗ୍ରହଣଖଣ୍ଡିଆ ଶିଶୁ । । ସରିଗଲା କଥା । କୋହସିକ୍ତା ଭୁତଗ୍ରସ୍ତା ସୁନ୍ଦରୀ ମଞ୍ଚକୁ ଉଠିଲେ । ଡବଡବ ଆଖିରେ ଅଡିଆନ୍‌ସକୁ ଦେଖିଲେ । ତାପରେ “ମୋ ପିଲାଟାକୁ ମାରିଦେଲେ ଲୋଓଓଓଓ... ଧିକ୍‌, ଏ ସମୀକ୍ଷକଙ୍କୁ ଧିକ୍‌!” ବୋଲି ଭୋ ଭୋ ବୋବାଳି ଛାଡିଲେ । ସଭାରେ ହାହାକାର ମଚିଗଲା । ଚପଲ୍‌ଚୋର ଭଳି ସମୀକ୍ଷକ ମଞ୍ଚରେ ଛିଡା ହୋଇଥିଲେ । ବୟସ୍କ ଲୋକ । ଭାଙ୍ଗି ପଡିଥିଲେ । ଖାଇ ବସିଲାବେଳେ ମୋ ପାଖରେ ବସି ମତେ ଶୁଣେଇଲା ଭଳି କହିଲେ- “ଅପ୍ରିୟ ସତ୍ୟଂ, ସଦା ନିନ୍ଦିତମ୍ । କିଛି ଭୁଲ୍ କରିନି, କିଛି ଭୁଲ୍ କହିନି, କିନ୍ତୁ ନିନ୍ଦିତ ହେଲି...... ।”

ଜନାର୍ଦ୍ଦନର କହିବା କଥା ଯେ- ଏଇ ଶାଳୀ ଜିଭାଟା ହେଉଛି ମହା ହାରାମ୍‌ଜାଦୀ, ବିଟପୀ ନାରୀ । ତିହାର ଜେଲ୍‌ର କଏଦୀମାନେ ଯେମିତି ନିବୁଜ୍ ସେଲ୍ ଭିତରେ ଥାଇ ବି ନାନା ଅପକର୍ମ ଘଟାନ୍ତି, ଏଇ ଜିଭ ବି ସେମିତି ବତିଶଟି ନିବୁଜ ଦାନ୍ତର ଘେରରେ ଥାଇ ବି ନାନା ଅପକର୍ମ ଘଟାଏ । ନାନା ଅଖାଦ୍ୟ ଖାଏ, ନାନା ଅକଥା କହେ । ମଣିଷର ସକଳ ଇନ୍ଦ୍ରିୟ ଭିତରୁ କେବଳ ଏକମାତ୍ର ଇନ୍ଦ୍ରିୟ (ରସନେନ୍ଦ୍ରିୟ) ଏଇ ଜିଭ, ହେଉଛି ସକଳ ଦଣ୍ଡର ଭିଆଣକ । ଆପଣମାନେ ନିଜେ ହିସାବ କରନ୍ତୁ ନା, ଆପଣ ଜୀବନରେ ଯାହା ଯାହା ଦଣ୍ଡ ଭୋଗିଛନ୍ତି ତା ଭିତରୁ ଅଧିକାଂଶ ଏଇ ଜିଭ ଲାଗି ।

ଅପ୍ରିୟ ସତ୍ୟଂ, ସଦା ନିନ୍ଦିତମ୍‌?
ସତ୍ୟ କେମିତି ନିନ୍ଦିତ ହେବ? ଯଦି ସତ୍ୟଟି ନିନ୍ଦିତ ହେଉଛି ତେବେ ଭାବି ନେବାକୁ ହେବ ଯେ ତାହା ସତ୍ୟ ନାମରେ ଅନ୍ୟକିଛି ଗୋଟେ କଥା । ରୋକ୍ ଠୋକ୍ ଭାବେ ଚୋରକୁ ଚୋର କହିବାର, ବେଶ୍ୟାକୁ ବେଶ୍ୟା କହିବାର ସ୍ପର୍ଦ୍ଧା ଯେଉଁମାନେ ରଖନ୍ତି ସେମାନେ ସତ୍ୟବାଦୀ ଭଳି ଦେଖାଗଲେ ମଧ୍ୟ କେବେହେଲେ ସତ୍ୟବାଦୀ ନୁହଁନ୍ତି । ବରଂ ନିଜ ଅହଂକାରକୁ ସାବ୍ୟସ୍ତ କରିବାରେ ସତ୍ୟକୁ ଏକ ମାଧ୍ୟମ ଭାବେ ସେମାନେ ବ୍ୟବହାର କରନ୍ତି । ଉଦ୍ଦେଶ୍ୟ କାହାକୁ ସତ୍‌ପଥକୁ ଆଣିବା ନୁହେଁ, ଆଘାତ ଦେବା । ଆଉ ସବୁ ଆଘାତର ତ ପ୍ରତିଘାତ ରହିବ ଭାଇ! ସେଥିପାଇଁ ଅପ୍ରିୟ ସତ୍ୟ କହୁଥିବା ଲୋକ ଜୀବନ କାଳରେ କିଛି କମ୍ ଥର ଧୂଲେଇ ହୁଏନି । ଲୋକଲଜ୍ଜାକୁ ନକହିଲେ ମଧ୍ୟ ଧୂଲେଇଟା ପକ୍କା । ସମୀକ୍ଷକ ମହାଶୟ ବି ଧିକ୍କାର ଧୂଲେଇ ହେଲେ । ଯାହା କହିଲେ ତାହା ଅନ୍ୟବାଗରେ ବି କୁହାଯାଇ ପାରିଥାନ୍ତା । କତୁରୀ ଜିଭରେ ନକହି ଲହୁଣୀ ଜିଭରେ କୁହାଯାଇ ପାରିଥାନ୍ତା ଯେ- “ଆରେ ମା, କି ସୁନ୍ଦର ଲେଖୁଛୁ? ଏ କବିତାରେ କେତେ ସମ୍ଭାବନା ଥିଲା? ତାକୁ ରୂପ ଦେଇ ପାରିଥିଲେ ଏ କବିତା ସ୍ରୋତସ୍ୱିନୀ ଭଳି ପ୍ରବାହିତ ହୋଇ ପାରିଥାନ୍ତା । ଏଣିକି ମା ଯତ୍ନବାନ ହେବୁ ।” ସେତିକିରେ ସେ ଦେବତା ପାଲଟି ଯାଇଥାନ୍ତେ । ସେତିକି ନହେବା ଯୋଗୁଁ ଅସୁର ପାଲଟି ଗଲେ । ‘ଅ’ ଖସିଗଲେ ‘ସୁର’, ‘ଅ’ ଲାଗିଗଲେ ‘ଅସୁର’ । ରୋକ୍‌ଠୋକ୍‌ପଣ ଏଇ ‘ଅ’ଟି ଲଗେଇ ଦେଲା । ଆହା....

ମୋର ଜଣେ ବଡ ଭାଇ, ସେ ବହୁତ ଜ୍ଞାନୀ ଗୁଣୀ ଲୋକ । ସଦାବେଳେ କୁହନ୍ତି- ନଟ, ଯାହା ଭଲ ତାକୁ ଛାତିପିଟି ପ୍ରଶଂସା କରିବୁ । ଆଉ ଯାହା ଖରାପ ତାକୁ ରୋକ୍‌ଠୋକ୍ ନିନ୍ଦା କରିବୁ । କାରଣ କଣ ଜାଣିଛୁ?
“କଣ?”
“ସେମିତି କଲେ ଏ ମିଛ ପୃଥିବୀ ସୁଧୁରି ଯିବ । ସତ୍ୟ ପ୍ରତିଷ୍ଠା ପାଇବା ସହ ସଚେତନତା ବୃଦ୍ଧି ପାଇବ ।”

ମୁଁ ତାହା ମଧ୍ୟ ପରୀକ୍ଷା କରିଛି । କିନ୍ତୁ ଫଳ ଓଲଟା ହୋଇଛି । ‘ଧିକ୍କାର ଧୂଲେଇ’ ହୋଇଛି । ମୋର ଗୋଟେ ବହି ଅଛି- ଜର୍ଣ୍ଣାଲ୍ ୨୦୧୧, ସେଥିରେ ମୁଁ ବହୁ ଅପ୍ରିୟ ସତ୍ୟକୁ ରୋକ୍‌ଠୋକ୍ କହିବାର ପ୍ରୟାସ କରିଛି, ସେ ବହି ପଢି ବହୁଲୋକ ପ୍ରଶଂସା କରିଛନ୍ତି କିନ୍ତୁ ସମୟକ୍ରମେ ମୁଁ ନିଜ ଆଖିରେ ନ୍ୟୁନ ହୋଇ ଯାଇଛି । ଅନୁଭବକୁ ଆସିଛି ଯେ-ସତ୍ୟ ମୋର ଲକ୍ଷ୍ୟ ନଥିଲା, ଆଘାତ କରିବା ହିଁ ଲକ୍ଷ୍ୟ ଥିଲା । ସତ୍ୟୋକ୍ତିର ପରମ ଅନୁଭବଟି ହେଲା- ସତ୍ୟଂ ବଦ, ପ୍ରିୟଂ ବଦ । ସତ୍ୟ ସଦା ଚିତ୍ରିତ ହେଉ କରୁଣାର କାନ୍‌ଭାସ୍‌ରେ । ଏତିକି ତ ଅର୍ଥ!
ସମୟ କ୍ରମେ ନିଜକୁ ସମ୍ବରଣ କରି ନେଇଛି ।

“ଭଲ ମନ୍ଦକୁ ରୋକ୍‌ଠୋକ୍ ଛାତି ପିଟିକି କହ,” ଏ କଥାଟି ଭିତରେ ଲୁଚି ରହିଛି କେତେ ପିଲାଳିଆମୀ? କେତେ ବାଚାଳତା? କେମିତି ଏତେ ନିଧାର୍ଯ୍ୟ ଭାବେ ଜାଣି ପକେଇବ କୋଉଟା ଭଲ କୋଉଟା ମନ୍ଦ । ‘ଧମ୍ମପଦ’ରେ ତଥାଗତ ବୁଦ୍ଧ କୁହନ୍ତି ସତ୍ୟ ବି ବେଳେବେଳେ ମେଘାଚ୍ଛାଦିତ ହୋଇ ଅସତ୍ୟର ଭ୍ରମ ସୃଷ୍ଟିକରେ ଆଉ ଅସତ୍ୟ ବି ବେଳେବେଳେ ସତ୍ୟର ମୁଖା ପିନ୍ଧି ଆସେ । କେମିତି ଜାଣିବ କୋଉଟା ଠିକ୍ କୋଉଟା ଭୁଲ୍‌? ସିଦ୍ଧିପ୍ରାପ୍ତ ଯୋଗୀର ତ ଭ୍ରମ ସୃଷ୍ଟିହେବ । ମିଥ୍‌ରେ ବିଶ୍ୱାମିତ୍ରଙ୍କ ଉଦାହରଣ କଣ ଯଥେଷ୍ଟ ନୁହେଁ?

ସିଧା କଥାରେ ଗୋଟେ ପ୍ରବାହହୀନ ବ୍ୟକ୍ତିତ୍ୱ ହିଁ ଆବସଲ୍ୟୁଟ୍ ଷ୍ଟେଟ୍‌ମେଣ୍ଟ୍ (ରୋକ୍ ଠୋକ୍‌) ଦେଇ ପାରେ । ଅନ୍ୟଥା ସମ୍ଭବ ନୁହେଁ । ଗୋଟେ ସୃଜନର କଳାତ୍ମକତା ଉପରେ ସନ୍ଦେହ ଆସିଲେ ଜଣେ ନିଜକୁ ପ୍ରଥମେ ପ୍ରଶ୍ନ କରିବା ଉଚିତ୍ ଯେ “ମୋ ଦୃଷ୍ଟି, ଦୋଷଦୃଷ୍ଟି ସମ୍ପନ୍ନ ନୁହେଁ ତ?” ଦ୍ୱିତୀୟ କଥା ଆସିବ ଯେ- “ମୋ ବିଚାର କୌଣସି ନିହିତ ଉଦ୍ଦେଶ୍ୟ କିମ୍ବା ସ୍ୱାର୍ଥ ଦ୍ୱାରା ପଥଭ୍ରଷ୍ଟ ନୁହେଁ ତ!”

ମୋର ଅନୁଜପ୍ରତୀମ କନିଷ୍ଟ କବିମାନଙ୍କ କବିତା ପଢିଲା ବେଳେ ମୁଁ ସେମାନଙ୍କ ସହ ଟେଲିଫୋନ୍ ଯୋଗେ ବାର୍ତ୍ତାଳାପ କରିଛି । ମୋର ସନ୍ତୋଷ ଓ ଅସନ୍ତୋଷକୁ କୁଣ୍ଠାର ସହ ବ୍ୟକ୍ତ କରିଛି । କିଏ ଜାଣେ ମୋ ବୁଝିବା ବାହାରେ ହୁଏତ ଆଉ କିଛି ଅର୍ଥ ରହିଥାଇପାରେ! କିନ୍ତୁ ମୁଁ ଦେଖିଛି କିଛି ପ୍ରବୀଣ କବି ମଞ୍ଚ ଉପରେ ହିଁ ଆଉ ଜଣେ କବିର କାବ୍ୟ ପ୍ରତିଭାକୁ ନିଜ ଅହଂକାରର ରୋକ୍‌ଠୋକ୍ ଛୁରିରେ ନିହତ କରନ୍ତି । ଉଦାହରଣ ଦେଉ ନାହିଁ, ଶବ୍ଦାଡମ୍ବର ବଢିଯିବ । ତେବେ ଏଇ ନିକଟରେ ଜଣେ ବୟୋଜ୍ୟେଷ୍ଠ କବିଙ୍କ କଥା କହୁଛି । ସେ ଆଉଜଣେ ଚର୍ଚ୍ଚିତ କବିଙ୍କୁ ନିଜର ସଦ୍ୟ ପ୍ରକାଶିତ ବହିଟି ଦେଇଥିଲେ ପଢିବା ପାଇଁ । ରୋକ୍ ଠୋକ୍ ପ୍ରତ୍ୟୁତ୍ତର ମିଳିଥିଲା- “ବ୍ୟାଡ୍ ପୋଏଟ୍ରି ।”
“ଆପଣଙ୍କ ସୃଜନ ସାମର୍ଥ୍ୟ ଆଗରେ ଏ କବିତା ହେଲାନାହିଁ” ଏତିକି ଅନ୍ତତଃ କୁହାଯାଇଥିଲେ ଅସୁବିଧା କଣ ହୋଇଥାନ୍ତା? ଅବଶ୍ୟ ସେମିତିରେ ନିଜର ଅହଂକାର ପ୍ରତିଷ୍ଠିତ ହୋଇ ନଥାନ୍ତା । ଏ ଅହଂକାର କଣ ଜ୍ଞାନୀହେବାର ଅହଂକାର?
ଟାଣପଣ ଗୋଟେ ମୂର୍ଖଲୋକର ଗାରିମା ହୋଇପାରେ, ନମନୀୟତା ନଥିଲେ ସେ କେଉଁ ଜ୍ଞାନୀରେ ବା ଗଣା? ମୁଁ ନିଜକୁ ଠିକ୍ ଜାଣିଛି କହୁଥିବା ଲୋକଟି ହିଁ ଅହରହ ଭ୍ରମାତ୍ମକ ଉତ୍ତେଜନାରେ ରହେ । କାରଣ ମୋର ‘ମୁଁ’ ହିଁ ମୋର ସକଳ ଭ୍ରମର ଆଧାର । ‘ମୁଁ’ ହିଁ ନିଦ୍ରା ‘ମୁଁ’ ହିଁ ଅଜ୍ଞାନ । ମୋର ‘ମୁଁ’ ହିଁ ମୋର ବେହୋସୀ । ତା ଛଡା ନିଜ ଶୂନ୍ୟପଣକୁ ଯେ ଅନୁଭବିନି ସେ କି ଜ୍ଞାନୀ? ନିଜ ଅଜ୍ଞାନତାର ଇଲାକାକୁ ଯେ ଦେଖିନି ସେ କି ଜ୍ଞାନୀ?

ଖାସ୍ କରି ଜନାର୍ଦ୍ଦନ ଓ ମୁଁ ଏଇ ବିଜ୍ଞାପିତ ଜ୍ଞାନୀମାନଙ୍କଠାରୁ ଶଏ ହାତ ଦୁରରେ ରହୁ । ଜନାର୍ଦ୍ଦନ କହେ- କିଏ ଜ୍ଞାନ ଦେଖେଇଲାଣି ମାନେ ସେ ଜ୍ଞାନ ହଜମ ହୋଇନାହିଁ । ଯେମିତି ଖାଦ୍ୟ ଦିଶୁଛିମାନେ ଖାଦ୍ୟ ହଜମ ହୋଇନାହିଁ । ହଜମ ହୋଇ ରକ୍ତରେ ମିଶିଲା ପରେ ଆଉ ଖାଦ୍ୟ କାହିଁ? ତା ଛଡା ଖାଇବା ଲୋକ କଣ ଛାତିରେ ଖାଦ୍ୟର ତାଲିକା ଝୁଲେଇ ବୁଲେ? ଜ୍ଞାନ ଚେତନାରେ ମିଶିଲା ପରେ ଆଉ ଜ୍ଞାନର ଭିନ୍ନ ସ୍ୱରୂପ କାହିଁ? ଯେଉଁ ତତାକଥିତ ପରମ ଜ୍ଞାନୀମାନେ ଆମେ ଅମୁକ ବହି ପଢିଛୁ, ସମୁକ ବହି ପଢିଛୁ, ଏତେ ବହି ପଢିଛୁ, ସେତେ ବହି ପଢିଛୁ ବୋଲି କହି ବୁଲନ୍ତି, ସେମାନେ ସବୁ ଖାଦ୍ୟର ତାଲିକା ଛାତିରେ ଝୁଲେଇ ବୁଲୁଥିବା ବୁଭୂକ୍ଷୁ ଭିକାରୀ । ସେମାନେ ଚିର ଅସନ୍ତୁଷ୍ଟ, ଅନ୍ୟର ଘେନାରେ କାଳ କାଟୁଥିବା ବ୍ୟକ୍ତି । ସେମାନେ ଭୟାର୍ତ୍ତ ଚଢେଇ ଅଖିରେ ନିଜ ପ୍ରତିଫଳିତ ଚେହେରାକୁ ଦେଖି ନିଜକୁ ଜୀବନ୍ତ ଭାବୁଥିବା କିଆରୀ ଜଗାଳି, ନଡାକୁଟାର ପାଳଭୁତ । ଏ ଜ୍ଞାନୀ ପଣ୍ଡିତମାନେ ଆମ୍‌ଜନତା ଭିତରେ ଏତେ ହୀନମନ୍ୟତା ଭରି ଦିଅନ୍ତି ଯେ ସେ ବିଚରା ଅନନ୍ୟୋପାୟ ତାଙ୍କ ପାଖେ ଆଣ୍ଠୁମାଡି ଚତୁଷ୍ପଦ ପାଲଟିଯାଏ । ନିଜର ନିଜତ୍ୱ ନେଇ ଗର୍ବ କରେନା, ଅନ୍ୟର ଶିଷ୍ୟତ୍ୱ ନେଇ ଗର୍ବ କରେ ।

ଆଉ କିଛି ରୋକ୍‌ଠୋକ୍ ମାନସିକତାର ବ୍ୟକ୍ତିଙ୍କୁ ଦେଖିଛି, ସେମାନେ ନିଜକୁ ପରଫେକ୍ଟ ବୋଲି ଭାବନ୍ତି । ଏଇଟା ଗୋଟେ ମାନସିକ ବିକୃତି । ଏକଥାଟା ମୁଁ କହୁନି, ମନୋବିଶ୍ଳେଷକମାନେ କୁହନ୍ତି । ଜୀବନ ମାନେ ଇମ୍‌ପର୍‌ଫେକ୍ସନ୍‌ରୁ ପର୍‌ଫେକ୍‌ସନ୍‌କୁ ଯାତ୍ରା । ପର୍‌ଫେକ୍‌ସନ୍ ହେଉଛି ମୃତ୍ୟୁ । କାରଣ ମୃତ୍ୟୁର ଆଉ ବିବର୍ତ୍ତିତ ହେବାର ନାହିଁ । ଇମ୍‌ପର୍‌ଫେକ୍‌ସନ୍ (ଜୀବନ) ହିଁ ସଦାବେଳେ ବିବର୍ତ୍ତିତ ହୋଇ ପର୍‌ଫେକ୍‌ସନ୍ (ମୃତ୍ୟୁ) ରେ ପହଁଚେ । ତେଣୁ ନିଜକୁ ପର୍‌ଫେକ୍ଟ ଭାବୁଥିବା ଲୋକ ନ୍ୟାୟତଃ ମୃତ । କାରଣ ନିଜକୁ ପର୍‌ଫେକ୍ଟ ଭାବିଦେଲା ମାନେ ସେ ପରିବର୍ତ୍ତନ ଓ ବିବର୍ତ୍ତନଠାରୁ ମାନସିକଭାବେ ବିଚ୍ଛିନ୍ନ । ଏହି ମୃତ ମାନସିକତାର ବ୍ୟକ୍ତିମାନେ ହିଁ ବଞ୍ଚିଥିବାର ଭ୍ରମରେ ରୋକ୍‌ଠୋକ୍ ପାଲଟି ଯାନ୍ତି । ଏ ସବୁ ରୋକ୍‌ଠୋକ୍ ଲୋକମାନେ ଗୋଟେ ଗୋଟେ କୁକୁର ଲାଞ୍ଜ, ଯାହାକୁ ବାରବର୍ଷ ନଳରେ ପୂରେଇ ବି ଯୁଝେଷ୍ଟି ସିଧା କରି ପାରିବେନି ।
ଶେଷରେ ଜନାର୍ଦ୍ଦନ କହିଥିବା କଥାଟି ଦୋହରାଉଛି-

“ଅବିବର୍ତ୍ତିତ ପ୍ରତ୍ୟୟ ପଚି ଯେତେବେଳେ ଅହଂକାରର ରୂପନିଏ (ଠିକ୍ ଅଙ୍ଗୁର ପଚି ମଦ ହେଲାଭାଳି) ସେତେବେଳେ ସେ ନିଜତ୍ୱ ହରାଇ ମାତାଲ୍ ହୋଇଯାଏ । ଆଉ ଛାଗଲ୍ କି ନା ଖାଏ, ମାତାଲ୍ କି ନା ବଲେ?”

19/11/2020

Address

Pl No, 4555, VSS Nagar
Bhubaneswar
751007

Website

Alerts

Be the first to know and let us send you an email when Eevents Prakash posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Eevents Prakash:

Share

Category