NFID TV

NFID TV We focus on all kinds of ground reality information like social, economic, political , art ,culture,

ଭୁବନେଶ୍ୱର, ୨୭/୦୬ (NFID ବ୍ୟୁରୋ): ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ବାଧୀନ ଦଳ ବିଆର୍‌ଏସ୍‌ (ଭାରତ ରାଷ୍ଟ୍ର ସମି...
28/06/2023

ଭୁବନେଶ୍ୱର, ୨୭/୦୬ (NFID ବ୍ୟୁରୋ): ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ବାଧୀନ ଦଳ ବିଆର୍‌ଏସ୍‌ (ଭାରତ ରାଷ୍ଟ୍ର ସମିତି)ର ୧୨ରୁ ଅଧିକ ପୂର୍ବତନ ମନ୍ତ୍ରୀ, ବିଧାୟକ ଏବଂ କାର୍ଯ୍ୟକର୍ତ୍ତା ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ପୂର୍ବତନ ସଭାପତି ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ସୋମବାର ଦିନ କେସିଆରଙ୍କ ଦଳର ନେତାମାନେ କଂଗ୍ରେସରେ ମିଶିଛନ୍ତି।

ମିଳିଥିବା ସୂଚନାନୁଯାୟୀ ମୋଟ ୩୫ ଜଣ ନେତା ଆଗକୁ କଂଗ୍ରେସରେ ଯୋଗ ଦେଇପାରନ୍ତି। ବିଜେପିରୁ ମଧ୍ୟ କିଛି ନେତା କଂଗ୍ରେସରେ ଯୋଗ ଦେଇପାରନ୍ତି। ଉଲ୍ଲେଖଯୋଗ୍ୟ ଯେ ଚଳିତ ବ‌ର୍ଷ ଶେଷ ବେଳକୁ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ଶକ୍ତ ଝଟ୍‌କା ଲାଗିଛି। ପାଟନାରେ ଆୟୋଜିତ ବିରୋଧୀ ବୈଠକକୁ କେସିଆରଙ୍କ ଦଳ ବର୍ଜନ କରିବାପରେ ସୋମବାର ଦଳକୁ ଏହି ଝଟକା ଲାଗିଛି। କଂଗ୍ରେସ ଦଳରେ ଯୋଗ ଦେଇଥିବା ବିଆରଏସ୍‌ ନେତାମାନଙ୍କ ମଧ୍ୟ‌ରେ ଅଛନ୍ତି ପୂର୍ବତନ ସାଂସଦ ପୋଙ୍ଗୁଲେତି ଶ୍ରୀନିବାସ ରେଡ୍ଡି, ପୂର୍ବତନ ମନ୍ତ୍ରୀ ଜୁପାଲ୍ଲି କ୍ରୀଷ୍ଣା ରାଓ, ପୂର୍ବତନ ବିଧାୟକ ପଣ୍ୟମ ଭେଙ୍କଟେସ୍ବରଲୁ, କୋଟା ରାମ ବାବୁ, ରାକେଶ ରେଡ୍ଡି।

ଭୁବନେଶ୍ୱର, ୨୭/୦୬ (NFID ବ୍ୟୁରୋ): ପୁଣି ଭିଜିଲାନ୍ସ ଜାଲରେ ଆଉଜଣେ ସରକାରୀ ବାବୁ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜର କାହ୍ନୁ ଚରଣ...
28/06/2023

ଭୁବନେଶ୍ୱର, ୨୭/୦୬ (NFID ବ୍ୟୁରୋ): ପୁଣି ଭିଜିଲାନ୍ସ ଜାଲରେ ଆଉଜଣେ ସରକାରୀ ବାବୁ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକଙ୍କ ଦିଗପହଣ୍ଡି ସରକାରୀ କାର୍ଯ୍ୟାଳୟ, ସରକାରୀ ବାସଭବନ ଏବଂ ବ୍ରହ୍ମପୁର ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଉଛି। ବ୍ରହ୍ମପୁର ଭିଜିଲାନ୍ସର ୬ଜଣିଆ ଟିମ ଚଢ଼ଉ କରୁଥିବାର ସୂଚନା ରହିଛି।

ମିଳିଥିବା ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଦିଗପହଣ୍ଡି ସରକାରୀ କାର୍ଯ୍ୟାଳୟରୁ ଘରକୁ ଫେରୁଥିବା ବେଳେ ଗଣିଆନାଳ ଛକରେ ଦିଗପହଣ୍ଡି ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ଟିମ ଧରିଥିଲା। ତାଙ୍କ ଗାଡ଼ିରେ ନଗଦ ଟଙ୍କା ଥିବା ଭିଜିଲାନ୍ସ ଟିମ୍ ଦେଖିବାକୁ ପାଇଥିଲା। ଏହାପରେ ସରକାରୀ ବାସଭବନରୁ ବି ଟଙ୍କା ମିଳିଥିବା କୁହାଯାଉଛି। ତେବେ ଏନେଇ ଏଯାଏ ଭିଜିଲାନ୍ସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।

ଦିଗପହଣ୍ଡି କାର୍ଯ୍ୟାଳୟ ଏବଂ ସରକାରୀ ବାସଭବନରେ ଭିଜିଲାନ୍ସର ଟିମ ଚଢ଼ଉ ସାରି ରାତି ୨ଟା ବେଳେ ଫେରିଥିଲେ। ଏହାପରେ ତାଙ୍କର ବ୍ରହ୍ମପୁର ତୁଳସୀ ନଗର ୭ ନମ୍ବର ଲାଇନରେ ଥିବା ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ପ୍ରକ୍ରିୟା ଜାରି ରହିଛି।

ଭୁବନେଶ୍ୱର, ୨୭/୦୬ (NFID ବ୍ୟୁରୋ): ଆଗାମୀ ୨୪ ଘଣ୍ଟାରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବି...
28/06/2023

ଭୁବନେଶ୍ୱର, ୨୭/୦୬ (NFID ବ୍ୟୁରୋ): ଆଗାମୀ ୨୪ ଘଣ୍ଟାରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଉତ୍ତର ଓଡିଶାର କିଛି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏନେଇ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

ତେବେ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡିକରେ ଅନେକ ସ୍ଥାନରେ ହଳୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି।
ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି । ଏଥିସହ ଲଘୁଚାପ ପ୍ରଭାବରେ ମଧ୍ୟ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ଲାଗି ରହିଛି। ରାଜ୍ୟରେ ଆହୁରି ଦୁଇଦିନ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଇ ଦିଆଯାଇଛି।

ସୂଚନା ଅନୁସାରେ, ଲଘୁଚାପ ପ୍ରଭାବରେ ଆସନ୍ତା ୨୯ ତାରିଖ ଯାଏ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଉ ଆଜି ଝାରସୁଗୁଡା, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ନୂଆପଡ଼ା ଜିଲ୍ଲାରେ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ବଲାଙ୍ଗିର, ବୌଦ୍ଧ, ଅନୁଗୋଳ, ସୋନପୁର, ଦେବଗଡ଼ ଏବଂ କେଉଁଝର ଜିଲ୍ଲାରେ ମଧ୍ୟପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ପକ୍ଷରୁ ସୂଚନା ଦିଆଯାଇଛି।

ଲଘୁଚାପ କ୍ଷେତ୍ର ସକ୍ରିୟ ରହିଥିବାରୁ ସମୁଦ୍ର ମଧ୍ୟରେ ପବନର ବେଗ ୪୫-୫୫ କିମି ବେଗ ରହିବାର ପୂର୍ବାନୁମାନ କରାଯାଉଛି। ଏଣୁ ୨୭ ତାରିଖ ସକାଳ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। ବର୍ଷାର ସ୍ଥିତି ଦେଖିଲେ ତଳିଆ ଅଞ୍ଚଳରେ ପାଣି ଜମି ରହିବାର ସମ୍ଭବନା ରହିଛି। ବିଶେଷ କରି ସହରମାନଙ୍କରେ ଏହି ସ୍ଥିତି ଅଧିକ ହେବା ସହିତ ଟ୍ରାଫିକ ସମସ୍ୟା ସୃଷ୍ଟି ହେବ। ସେହିପରି ଖାଲୁଆ ଅଞ୍ଚଳରେ ପାଣି ଜମି ରହିବାରୁ ସମ୍ଭାବନା ଥିବାରୁ ଚାଷୀ ଭାଇମାନଙ୍କୁ ଏଥିପାଇଁ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।

ଭୁବନେଶ୍ୱର, ୨୭/୦୬ (NFID ବ୍ୟୁରୋ): ଚାକିରିରୁ ବିଦାହେଲେ ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ। ପ୍ରଶାନ୍ତଙ୍କୁ ଚାକିରିରୁ ବ...
28/06/2023

ଭୁବନେଶ୍ୱର, ୨୭/୦୬ (NFID ବ୍ୟୁରୋ): ଚାକିରିରୁ ବିଦାହେଲେ ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ। ପ୍ରଶାନ୍ତଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର । ୨ଦିନ ତଳେ ପ୍ରଶାନ୍ତଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍‌ ବେଳେ ପ୍ରଶାନ୍ତଙ୍କ ଘରୁ ନଗଦ ୩ କୋଟି ଟଙ୍କା ସହ ୫ କୋଟିରୁ ଅଧିକ ସମ୍ପତ୍ତି ମିଳିଥିଲା। ତାଙ୍କର ଆୟଠାରୁ ୫୦୦ ପ୍ରତିଶତ ଅଧିକ ସମ୍ପତ୍ତି ଠାବ ହୋଇଥିଲା ।

ସୂଚନାଯୋଗ୍ୟ ଯେ, ୨୭ ବର୍ଷ ଚାକିରି କାଳରେ ପ୍ରଶାନ୍ତ ରାଉତ କୋଟି କୋଟି କଳା ଟଙ୍କା ଠୁଳ କରିଥିଲେ । ୧୯୯୬ ଜୁଲାଇ ୧ ତାରିଖରୁ ସେ ଓଏଏସ୍ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ । କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ବର, ବରଗଡ଼ ଜିଲ୍ଲାରେ ତହସିଲଦାର ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ । ଏହା ପରେ ଯାଜପୁର, କଟକ, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼ରେ ବିଡିଓ ଭାବେ କାର୍ଯ୍ୟ କରିଥିଲେ ।

ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ ବିଡିଓ ଥିବା ବେଳେ ୨୦୧୮ ନଭେମ୍ବର ୬ ତାରିଖରେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ । ଲାଞ୍ଚ ମାମଲାରେ ଗିରଫ ହେବା ପରେ ସେହି ଦିନ ଠାରୁ ୨୦୨୦ ଜାନୁଆରୀ ୧୮ ତାରିଖ ପର୍ଯ୍ୟନ୍ତ ନିଲମ୍ବିତ ହୋଇଥିଲେ । ଏହା ପରେ ତାଙ୍କୁ ନବରଙ୍ଗପୁର ଅତିରିକ୍ତ ଉପ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରା ଯାଇଥିଲା ।

ଭୁବନେଶ୍ୱର, ୨୭/୦୬ (NFID ବ୍ୟୁରୋ): ଆରମ୍ଭ ହେବ କ୍ରିକେଟ ମହାକୁମ୍ବ । ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କଲା ବିସିସିଆଇ । ୧୫ ଅକ୍ଟୋବ...
28/06/2023

ଭୁବନେଶ୍ୱର, ୨୭/୦୬ (NFID ବ୍ୟୁରୋ): ଆରମ୍ଭ ହେବ କ୍ରିକେଟ ମହାକୁମ୍ବ । ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କଲା ବିସିସିଆଇ । ୧୫ ଅକ୍ଟୋବରରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଅକ୍ଟୋବର ୫ରେ ବିଶ୍ୱକପର ପ୍ରଥମ ମୁକାବିଲା ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅହମ୍ମଦାବାଦରେ ଖେଳାଯିବ ।

ସେପଟେ ଅକ୍ଟୋବର ୮ରେ ବିଶ୍ୱକପରେ ଭାରତ ନିଜର ଅଭିଯାନ ଅଷ୍ଟ୍ରେଲିଆ ବିପକ୍ଷରେ ଆରମ୍ଭ କରିବ। ଆଫଗାନିସ୍ତାନ ବିପକ୍ଷରେ ଦ୍ୱିତୀୟ ମ୍ୟାଚ ଅକ୍ଟୋବର ୧୧ରେ, ତୃତୀୟ ମ୍ୟାଚ୍ ପାକିସ୍ତାନ ବିପକ୍ଷରେ, ଚତୁର୍ଥ ମ୍ୟାଚରେ ବାଂଲାଦେଶକୁ ଭେଟିବ ଭାରତ । ସେହିଭଳି ୫ମ ମ୍ୟାଚରେ ନ୍ୟୁଜିଲାଣ୍ଡ, ୬ଷ୍ଠ ମ୍ୟାଚରେ ଇଂଲଣ୍ଡ ଓ ଅଷ୍ଟମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଭେଟିବ । ସେହିଭଳି ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଅନ୍ୟ ଦୁଇ ଦଳ ସହ ସପ୍ତମ ଓ ନବମ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ । ମୁ୍ମ୍ବାଇ ଓ କୋଲକାତାରେ ବିଶ୍ୱକପର ସେମିଫାଇନାଲ ମୁକାବିଲା ଖେଳାଯିବ । ଫାଇନାଲ ମୁକାବିଲା ନଭେମ୍ବର ୧୯ରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ।

ଚଳିତଥର କାର୍ଯ୍ୟସୂଚୀ ପ୍ରକାଶ ପାଇବାରେ ବିଳମ୍ବ ହେବାର ବଡ କାରଣ ସାଜିଥିଲା ପାକିସ୍ତାନ କ୍ରିକେଟ ବୋର୍ଡ। ବିଶ୍ୱକପର ମ୍ୟାଚକୁ କୌଣସି ନିରପେକ୍ଷ ସ୍ଥାନରେ କରିବାକୁ ପାକିସ୍ତାନ ଦାବି କରିଥିଲା । ତେବେ ଆଇସିସି ପକ୍ଷରୁ ଏହାକୁ ଖାରଜ କରିବା ପରେ ଷ୍ଟାଡିୟମରେ ଖେଳିବାକୁ ନେଇ କେଁ ପୂରାଇଥିଲା । ତେବେ ଆଇସିସି ପକ୍ଷରୁ ପିସିବିର କୌଣସି ସର୍ତ୍ତକୁ ଗ୍ରହଣ କରାଯାଇନଥିଲା । ଫଳେରେ ବାଧ୍ୟ ହୋଇ ମୁଣ୍ଡ ନୁଆଁଇଥିଲା ପାକିସ୍ତାନ । ଏପରିକି ହାଇବ୍ରିଡ ମଡେଲରେ ବିଶ୍ୱକପ ମ୍ୟାଚ ଖେଳାଯିବା ନେଇ ପାକିସ୍ତାନ ଦେଇଥିଲେ ମଧ୍ୟ ଏହାକୁ ମାନିନଥିଲା ଆଇସିସି । ଆଇସିସିର ଏଭଳି ଆଭିମୁଖ୍ୟ ଦେଖିବା ପରେ ଭାରତରେ ମ୍ୟାଚ୍ ଖେଳିବାକୁ ପାକିସ୍ତାନ ରାଜି ହୋଇଥିଲା । ଫଳରେ କାର୍ଯ୍ୟସୂଚୀ ପ୍ରକାଶ ପାଇବା ନେଇ ବାଟ ଫିଟିଥିଲା ।

ଭୁବନେଶ୍ୱର, ୨୭/୦୬ (NFID ବ୍ୟୁରୋ): ଓଡିଶା କ୍ୟାଡରର ଜଣେ ଆଇଏଏସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାରଙ୍...
28/06/2023

ଭୁବନେଶ୍ୱର, ୨୭/୦୬ (NFID ବ୍ୟୁରୋ): ଓଡିଶା କ୍ୟାଡରର ଜଣେ ଆଇଏଏସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ | ସମ୍ପୃକ୍ତ ଅଧିକାରୀ ଜଣକ ଅଲଇଣ୍ଡିଆ ସର୍ଭିସ କଣ୍ଡକ୍ଟ ରୁଲସର ଉଲଂଘନ କରିଥିବା ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ମନମୋହନ ସାମଲ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟରେ ଅଭିଯୋଗ କରିଥିଲେ | ଏହି ଅଭିଯୋଗକୁ ଗ୍ରହଣ କରି କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ସମ୍ପୃକ୍ତ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିବା ନିଜେ ଅପରାଜିତା ଟ୍ୱିଟ କରି ସୂଚନା ଦେଇଛନ୍ତି |

କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟର ଏହି ନିର୍ଦ୍ଦେଶ ସଂକ୍ରାନ୍ତ ଚିଠିକୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ନିଜ ଟ୍ୱିଟ୍ ମାଧ୍ୟମରେ ସାର୍ବଜନୀନ କରି କହିଛନ୍ତି ଯେ, ଓଡ଼ିଶା କ୍ୟାଡ଼ରର ଜଣେ ଅଫିସରଙ୍କ ଦ୍ୱାରା ଅଲଇଣ୍ଡିଆ ସର୍ଭିସ ରୁଲସର ଖୋଲା ଉଲ୍ଲଘଂନକୁ ଭାରତ ସରକାର ଗୁରୁତ୍ୱର ସହ ନେଇଛନ୍ତି । ରାଜ୍ୟ ସରକାର ଆଇଏଏସଙ୍କ କ୍ୟାଡ଼ର କଣ୍ଟ୍ରୋଲିଂ ଅଥରିଟି ହୋଇଥିବାରୁ ଉଲ୍ଲଘଂନର ସ୍ପଷ୍ଟ ତଥ୍ୟପ୍ରମାଣ ମିଳିବା ଆଧାରରେ ଏ ଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ସଚିବଙ୍କୁ କୁହାଯାଇଛି । ଆଇନ ଏ ଦିଗରେ କାର୍ଯ୍ୟ କରିବାକୁ ଅନୁମତି ମିଳିବ ବୋଲି ଶ୍ରୀମତୀ ଷଡ଼ଙ୍ଗୀ ଆଶା ବ୍ୟକ୍ତ କରିଛନ୍ତି ।

ତେବେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ(ଡିଓପିଟି) ଗତକାଲି ରାଜ୍ୟ ମୁଖ୍ୟ ସଚିବଙ୍କୁ ଲେଖିଥିବା ଏହି ଚିଠିରେ କହିଛନ୍ତି ଯେ, ଓଡ଼ିଶା କ୍ୟାଡ଼ରର ଜଣେ ଆଇଏଏସ ଅଫିସରଙ୍କ ବିରୁଦ୍ଧରେ ଗତ ଜୁନ୍ ୨୪ତାରିଖରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ମନମୋହନ ସାମଲ ଏକ ସିଡି ଓ ପେନଡ୍ରାଇଭରେ ତଥ୍ୟ ସମ୍ବଳିତ ଅଭିଯୋଗ ଦେଇଛନ୍ତି । ଏ ସଂକ୍ରାନ୍ତରେ ସମ୍ପୃକ୍ତ ଆଇଏଏସ୍ ଅଫିସରଙ୍କ ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଜୁନ୍ ୨୬ତାରିଖ(ଗତକାଲି) ରାଜ୍ୟ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛି ।

ତେବେ ଅପରାଜିତା ଓ ମନମୋହନ ନିଜ ଅଭିଯୋଗର ଚିଠି ସାର୍ବଜନୀନ କରି ନଥିବାବେଳେ କିଏ ସହି ଓଡିଶା କ୍ୟାଡରର ଅଫିସର ତାହା ମଧ୍ୟ ସ୍ପଷ୍ଟ କରି ନାହାନ୍ତି | ସେପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ଲେଖାଯାଇଥିବା ଚିଠିରେ ମଧ୍ୟ ସେହି ଅଫିସରଙ୍କ ନାଁ ଉଲ୍ଲେଖ ନାହିଁ |

ଭୁବନେଶ୍ୱର, ୨୮/୦୬ (NFID ବ୍ୟୁରୋ): ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ନବଦିନାତ୍ମକ ଲୀଳା ଶେଷ ହୋଇଛି । ଆଜି ଶ୍ରୀକ୍ଷେତ୍ରରେ ବାହୁଡା ଯା...
28/06/2023

ଭୁବନେଶ୍ୱର, ୨୮/୦୬ (NFID ବ୍ୟୁରୋ): ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ନବଦିନାତ୍ମକ ଲୀଳା ଶେଷ ହୋଇଛି । ଆଜି ଶ୍ରୀକ୍ଷେତ୍ରରେ ବାହୁଡା ଯାତ୍ରା ଅନୁଷ୍ଠିତ ହେବ । ନବଦିନାତ୍ମକ ଯାତ୍ରାରେ ବାହୁଡା ଯାତ୍ରା ଆଉ ଏକ ପର୍ବ ।ଆଜି ଶ୍ରୀମନ୍ଦିରକୁ ବାହୁଡିବେ ଶ୍ରୀଜୀଉ । ଶ୍ରୀଗୁଣ୍ଡିଚା ମନ୍ଦିରରୁ ଭାଇଭଉଣୀଙ୍କୁ ସାଥୀରେ ଧରି ବଡଦେଉଳକୁ ବାହୁଡିବେ କାଳିଆ ଠାକୁର । ଏଥିପାଇଁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାରରେ ଦାରୁବ୍ରହ୍ମଙ୍କ ଅପେକ୍ଷାରେ ରହିଛନ୍ତି ତିନିଥର ।

ଆଜି ଆଷାଢ ଶୁକ୍ଳପକ୍ଷ ଦଶମୀ ତିଥିରେ ପବିତ୍ର ବାହୁଡା ଯାତ୍ରା ଅନୁଷ୍ଠିତ ହେବ । ଏହି ଯାତ୍ରାକୁ ଦକ୍ଷିଣାଭିମୁଖୀ ଯାତ୍ରା ମଧ୍ୟ କୁହାଯାଏ । ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ ଶ୍ରୀଜିଉ । ଶରଧାବାଲିରେ ପ୍ରସ୍ତୁତ ହୋଇ ରହିଛନ୍ତି ତିନିରଥ । କେବଳ ନୀଳାଦ୍ରିନାଥଙ୍କ ଆଗମନକୁ ଅପେକ୍ଷା । ପବିତ୍ର ବାହୁଡା ଯାତ୍ରା ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ବିଶେଷ ନୀତି ଅନୁଷ୍ଠିତ ହେବ । ପ୍ରଭାତରୁ ମଙ୍ଗଳ ଆଳତୀ ସରିବା ପରେ ସମସ୍ତ ନୀତି 11ଟା 45 ମିନିଟରେ ସରିବ । ଏହା ପରେ 12ଟାରେ ପହଣ୍ଡି ଆରମ୍ଭ ହେବ । ଶ୍ରୀବିଗ୍ରହଙ୍କ ପହଣ୍ଡି ସରିବା ପରେ ଅପରାହ୍ନ 4ଟାରୁ ରଥଟଣା ଆରମ୍ଭ ହେବା ନେଇ ନୀତିନିର୍ଘଣ୍ଟ ହୋଇଛି । ଆଜି ମାଉସୀ ମା’ ମନ୍ଦିରରେ ପୋଡ ପିଠା ଖାଇବେ ଶ୍ରୀଜିଉ । ଖେଚେଡି ଭୋଗ ଖାଇ ବାହୁଡା ଯାତ୍ରାରେ ବାହାରିବେ ତିନିଠାକୁର ।

ତେବେ ସଦ୍ୟ ସୂଚନା ଅନୁସାରେ ଶ୍ରୀଜୀଉମାନଙ୍କର ଧାଡି ପହଣ୍ଡି ଆରମ୍ଭ ହୋଇଯାଇଛି। ପ୍ରଥମେ ଚକ୍ରରାଜ ସୁଦର୍ଶନ ଏବେ ରଥକୁ ବିଜେ କରୁଛନ୍ତି ।

ସେପଟେ ମହାପ୍ରଭୁଙ୍କ ବାହୁଡା ଯାତ୍ରାକୁ ଶୃଙ୍ଖଳିତ କରିବାକୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ରଥ ଉପରେ ଶୃଙ୍ଖଳା ରକ୍ଷା ପାଇଁ କଟକଣା କରାଯାଇଛି । ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ପଞ୍ଚସ୍ତରୀୟ ସୁରକ୍ଷା ବଳୟରେ ରହିଛି ପୁରୀ ସହର । ଆସନ୍ତାକାଲି (ଗୁରୁବାର) ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ । ରଥ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରା ମହଣ ମହଣ ସୁନାରେ ସଜେଇ ହେବେ । ମହାପ୍ରଭୁଙ୍କ ଏହି ଦୁର୍ଲଭ ଏବଂ ଆକର୍ଷଣୀୟ ବେଶ ଦେଖିବାକୁ ସୁଯୋଗ ପାଇବେ ଭକ୍ତ । ଆସନ୍ତାକାଲି ସୁନାବେଶ ଥିବାରୁ ଆଜି ସନ୍ଧ୍ୟା ସୁଦ୍ଧା ସିଂହଦ୍ବାର ସମ୍ମୁଖରେ ତିନି ରଥ ଲାଗିବ ।

ଭୁବନେଶ୍ୱର, ୨୭/୦୬ (NFID ବ୍ୟୁରୋ): ପତ୍ନୀ ହତ୍ୟା ଅଭିଯୋଗରେ ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ କାରାଦଣ୍ଡରେ ଦଣ...
28/06/2023

ଭୁବନେଶ୍ୱର, ୨୭/୦୬ (NFID ବ୍ୟୁରୋ): ପତ୍ନୀ ହତ୍ୟା ଅଭିଯୋଗରେ ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ସ୍ୱତନ୍ତ୍ର ଏଡିଜେ -୩ ଏମ ଏଲ ଏ ଏମପି କୋର୍ଟ।

ଦଫା ୩୦୨ ପାଇଁ ଆଜୀବନ କାରାଦଣ୍ଡ ଆଦେଶ ସହ ୫୦ ହଜାର ଜରିମାନା ଏବଂ ଅନାଦେୟ ହେଲେ ୧ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଏହାଛଡ଼ା ଦଫା ୨୦୧ ପ୍ରମାଣ ନଷ୍ଟ ପାଇଁ ୧୦ ହଜାର ଟଙ୍କା ଜରିମାନା ଅନାଦେୟ କ୍ଷେତ୍ରରେ ୬ ମାସ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ।

ସୂଚନାଯୋଗ୍ୟ, ଭୁବନେଶ୍ୱର କୋର୍ଟରେ ଅଭିଯୁକ୍ତ ହାଜର ହେବା ପରେ ଆଜି ଦଣ୍ଡ ବିଧାନର ଶୁଣାଣି ହୋଇଥିଲା। ହତ୍ୟାକାଣ୍ଡର ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ପୂର୍ବରୁ ପୂର୍ବତନ ବିଧାୟକ ରାମ ମୂର୍ତ୍ତି ଗମାଙ୍ଗ ଦୋଷୀ ସାବ୍ୟସ୍ତ ହୋଇଥିଲେ।

ଉଲ୍ଲେଖଯୋଗ୍ୟ ଯେ, ୧୯୯୫ରେ ରାମମୂର୍ତ୍ତିଙ୍କ ପତ୍ନୀ ଶଶିରେଖା ଗମାଙ୍ଗଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଖାରବେଳ ନଗରର ଏମ୍‌ଏଲଏ କଲୋନୀରେ ଥିବା ଘରୁ ତାଙ୍କ ପତ୍ନୀଙ୍କ ପୋଡ଼ା ମୃତଦେହ ମିଳିଥିଲା। ସେତେବେଳେ ସେ ଗର୍ଭବତୀ ଥିଲେ। ଏହି ଘଟଣାରେ ପ୍ରଥମେ ୟୁଡି ଓ ପରେ ହତ୍ୟା ମାମଲା ରୁଜୁ କରିଥିଲା ପୁଲିସ।

୧୯୯୫ ମସିହା ଅଗଷ୍ଟ ମାସ ୨୯ ତାରିଖ ଦିନ ୧୦ଟା ୪୫ ମିନିଟରେ ରାମମୂର୍ତ୍ତି ଗମାଙ୍ଗ ପୁଲିସକୁ ଖବର ଦେଇଥିଲେ ଯେ ତାଙ୍କ ପତ୍ନୀ ଆତ୍ମହତ୍ୟା କରିଛନ୍ତି। ସେହିଦିନ ସକାଳ ୯ଟାରେ ତାଙ୍କ ପତ୍ନୀ ବାଥରୁମ୍‌ ଭିତରେ ଆତ୍ମହତ୍ୟା କରିଥିବା ସେ ପୁଲିସକୁ କହିଥିଲେ। ତେବେ ତଦନ୍ତ ବେଳେ ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ଜଣାପଡ଼ିଥିଲା। ରାମମୂର୍ତ୍ତି ଗମାଙ୍ଗଙ୍କର ଏଥିରେ ସଂପୃକ୍ତି ଥିବା କଥା ସାମ୍ନାକୁ ଆସିଥିଲା। ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ସେ ପ୍ରୟାସ କରିଥିଲେ। ଘଟଣା ଘଟିବାର ୨୮ ବର୍ଷ ପରେ କୋର୍ଟରେ ଏହା ପ୍ରମାଣିତ ମଧ୍ୟ ହୋଇଥିଲା। ୧୧ ଜଣ ସାକ୍ଷୀ ଓ ୧୫ଟି ଦସ୍ତାବିଜ୍ ଆଧାରରେ ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ଦୋଷୀ ସାବ୍ୟସ୍ତ ହୋଇଥିଲେ।

୧୯୯୦ରେ ରାମମୂର୍ତ୍ତି ଗମାଙ୍ଗ ଜନତା ଦଳ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ପରେ ୨୦୦୦ ମସିହାରେ ବିଜେପି ଟିକେଟରେ ଦ୍ୱିତୀୟ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ଭୁବନେଶ୍ୱର, ୨୭/୦୬ (NFID ବ୍ୟୁରୋ): ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଜାଗାରେ ୨୦୨୪ ନିର୍ବାଚନ ଲଢିବେ ସାନ ପୁଅ ମନ୍ମଥ ରାଉତରାୟ । ଜଟଣୀ ବିଧାୟ...
28/06/2023

ଭୁବନେଶ୍ୱର, ୨୭/୦୬ (NFID ବ୍ୟୁରୋ): ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଜାଗାରେ ୨୦୨୪ ନିର୍ବାଚନ ଲଢିବେ ସାନ ପୁଅ ମନ୍ମଥ ରାଉତରାୟ । ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ହେଉଛନ୍ତି ମନ୍ମଥ ରାଉତରାୟ । ଏଥିପାଇଁ ସେ ଚାକିରିରୁ ଇସ୍ତଫା ଦେଇଛନ୍ତି। ଏୟାର ଇଣ୍ଡିଆ କ୍ୟାପଟେନ୍ ପଦରୁ ଇସ୍ତଫା ଦେଇଛନ୍ତି ମନ୍ମଥ । ଚାକିରି ଛାଡ଼ିଥିବା ନେଇ ନିଜେ ମନ୍ମଥ ସୂଚନା ଦେଇଛନ୍ତି ।

ତେବେ ଚାକିରି ଛାଡ଼ିବା ପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ମଥ । ସେ କହିଛନ୍ତି ଯେ, ୨୦୨୪ରେ ବାପା ଆଉ ନିର୍ବାଚନ ଲଢିବେନି । ଲୋକଙ୍କ ସେବା କରିବା ପାଇଁ ଚାକିରି ଛାଡ଼ିଲି । ସମସ୍ତଙ୍କ ସହ ଆଲୋଚନା ପରେ ମୁଁ ନେଇଛି ନିଷ୍ପତ୍ତି ।

ସୂଚନା ଥାଉକି, ଜଟଣୀ ବିଧାୟକ ସୁର ରାଉତରାୟ ଫେବୃଆରୀ ୨୩ରେ ରାଜନୈତିକ କ୍ୟାରିଅରରୁ ଅବସର ନେଇ ଘୋଷଣା କରିଥିଲେ । ସେ କହିଥିଲେ ଯେ, ମୁଁ ଆଉ ନିର୍ବାଚନ ଲଢିବିନି । ମୋ ପୁଅ ମନ୍ମଥ ରାଉତରାୟ ଜଟଣୀରୁ ନିର୍ବାଚନ ଲଢିବ। ମୋତେ ୮୦ ହେଲାଣି । ମୋ ପୁଅ କଂଗ୍ରେସ ଟିକେଟରୁ ଲଢିବ ।

ଭୁବନେଶ୍ୱର, ୨୭/୦୬ (NFID ବ୍ୟୁରୋ): ଆସନ୍ତା ଜୁଲାଇ ୩ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବ। ଏହି ପରୀକ୍ଷା ଜୁଲାଇ ୮ ତାରିଖ ଯାଏଁ...
28/06/2023

ଭୁବନେଶ୍ୱର, ୨୭/୦୬ (NFID ବ୍ୟୁରୋ): ଆସନ୍ତା ଜୁଲାଇ ୩ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବ। ଏହି ପରୀକ୍ଷା ଜୁଲାଇ ୮ ତାରିଖ ଯାଏଁ ଚାଲିବ। ରାଜ୍ୟବ୍ୟାପି ୮୦ଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବା ନିମନ୍ତେ ଆବଶ୍ୟକ ଆଡମିଟ୍ କାର୍ଡ www.bseodisha.ac.in ରୁ ପାଇପାରିବେ। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷାରେ ୧୩୧୧ ଛାତ୍ରଛାତ୍ରୀ ଫେଲ୍ ହୋଇଥିଲେ। ଏମାନଙ୍କ ସମେତ ୮୧୯୫ ଜଣ ଷ୍ଟେଟ୍‌ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷାର୍ଥୀ ନିଜ ଭାଗ୍ୟକୁ ପୁଣି କଷିବେ। ପରୀକ୍ଷା ଫଳ ତତ୍କାଳ ଘୋଷଣା ପରେ ସେମାନଙ୍କୁ ଚଳିତ ବର୍ଷ ଯୁକ୍ତ ଆଡମିସନ ପ୍ରକ୍ରିୟାରେ ମଧ୍ୟ ସୁଯୋଗ ମିଳିବ ବୋଲି ଜଣାପଡ଼ିଛି। ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ମେ’ ୨୬ ତାରିଖରୁ ଫର୍ମ ଫିଲଅପ୍‌ ଆରମ୍ଭ ହୋଇ ଜୁନ୍‌ ୧ ତାରିଖ ପର୍ଯ୍ୟନ୍ତ ଚାଲିଥିଲା।

ଭୁବନେଶ୍ୱର,୧୯/୬(NFID ବ୍ୟୁରୋ): ଅଘୋଷିତ ବିଦ୍ୟୁତକାଟ୍‌ ଓ ଲୋ-ଭୋଲ୍‌ଟେଜ୍‌ ସମସ୍ୟା ପ୍ରତିବାଦରେ ବିଜେପି ପକ୍ଷରୁ ଆଜି ଢେଙ୍କାନାଳ ବିଭାଗୀ...
20/06/2023

ଭୁବନେଶ୍ୱର,୧୯/୬(NFID ବ୍ୟୁରୋ): ଅଘୋଷିତ ବିଦ୍ୟୁତକାଟ୍‌ ଓ ଲୋ-ଭୋଲ୍‌ଟେଜ୍‌ ସମସ୍ୟା ପ୍ରତିବାଦରେ ବିଜେପି ପକ୍ଷରୁ ଆଜି ଢେଙ୍କାନାଳ ବିଭାଗୀୟ କାର୍ଯ୍ୟାଳୟ ଘେରାଉ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆଜି ଢେଙ୍କାନାଳ ଜିଲ୍ଲା ବିଜେପି ପକ୍ଷରୁ ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ପୂର୍ବତନ ନଗରପାଳ ସୁନୀଲ ଶର୍ମା ଓ ବରଷ୍ଠ ନେତା ରାମଚନ୍ଦ୍ର ପାତ୍ରଙ୍କ ନେତୃତ୍ବରେ ସହର ଉପକଣ୍ଠ କଲେଜ ବାଇପାସରେ ଥିବା ଟିପିସିଓଡିଏଲ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ଶତାଧିକ ବିଜେପି କର୍ମୀ ଯୋଗ ଦେଇଥିଲେ। ପରେ ଅଫିସରେ ତାଲା ପକାଇଥିଲେ ଉତ୍ତ୍ୟକ୍ତ ବିଜେପି କର୍ମୀ।

ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ଢେଙ୍କାନାଳ ଜିଲ୍ଲାରେ ଘନଘନ ବିଦ୍ୟୁତ କାଟକୁ ନେଇ ସାଧାରଣ ଜନତା ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ବର୍ଷା ପବନ ନ ହୋଇ ବି ଟିପିସିଓଡିଏଲ ପକ୍ଷରୁ ଅଯଥା ବିଦ୍ୟୁତ କାଟ ହେଉଛି। ଖାଲି ସେତିକି ନୁହେଁ ଅତ୍ୟଧିକ ବିଦ୍ୟୁତ୍ ବିଲ୍ ଆସୁଥିବା ନେଇ ମଧ୍ୟ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ଭୁବନେଶ୍ୱର,୧୯/୬(NFID ବ୍ୟୁରୋ): ଅଘୋଷିତ ବିଦ୍ୟୁତ କାଟକୁ ନେଇ ସାରା ରାଜ୍ୟରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଡାକରା ଦିଆଯାଇଛି । ରାଜଧାନୀର ଗ୍...
20/06/2023

ଭୁବନେଶ୍ୱର,୧୯/୬(NFID ବ୍ୟୁରୋ): ଅଘୋଷିତ ବିଦ୍ୟୁତ କାଟକୁ ନେଇ ସାରା ରାଜ୍ୟରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଡାକରା ଦିଆଯାଇଛି । ରାଜଧାନୀର ଗ୍ରୀଡକୋ ଅଫିସ ସମ୍ମୁଖରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଶହଶହ କଂଗ୍ରେସ କର୍ମୀ ଗ୍ରୀଡକୋ ଅଫିସ ସମ୍ମୁଖରେ ଘେରାଉ କରିଥିବାବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ ।ଗୋଟିଏ ପଟେ ପୁଲିସ କର୍ମୀ ଓ ଅନ୍ୟପଟେ ଥିଲେ କଂଗ୍ରେସ କର୍ମୀ । କଂଗ୍ରେସ କର୍ମୀ ବ୍ୟାରିକେଡ ଭାଙ୍ଗି ଗ୍ରୀଡକୋ ଅଫିସ ଭିତରକୁ ଧସେଇ ପଶିବାକୁ ଚେଷ୍ଟା କରୁଥିବାବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା । ଏହି ସମୟରେ ଗ୍ରୀଡକୋ ଅଫିସକୁ କଂଗ୍ରେସ କର୍ମୀ ଟମାଟୋ ମାଡ କରିଥିବା ଦେଖିବାକୁ ମିଳିଛି ।

କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି ଯେ, ରାଜ୍ୟରେ ତାତି ଅସହ୍ୟ ହେଉଥିବାବେଳେ ଅଘୋଷିତ ବିଦ୍ୟୁତ କାଟ ଜନଜୀବନକୁ ବ୍ୟତିବ୍ୟସ୍ତ କରି ଦେଉଛି । ଏ ନେଇ ଟାଟା ପାୱାରକୁ ସମାଲୋଚନା କରି ଜଟଣୀ ବିଧାୟକ ସୁର ରାଉତରାୟ କହିଛନ୍ତି, ଜ୍ୟରେ କଂଗ୍ରେସ ସରକାର ବେଳେ ବିଜୁଳି ବଳକା ହେଉଥିବାରୁ ଅନ୍ୟ ରାଜ୍ୟକୁ ବିକ୍ରି ହେଉଥିଲା । ଏବେ କିନ୍ତୁ ବଳକା ବିଦ୍ୟୁତ ହୋଇଥିଲେ ମଧ୍ୟ କାହିଁକି ବାରମ୍ବାର ବିଦ୍ୟୁତ କାଟ ହେଉଛି ? ତା ଛଡା ବିଜୁଳି କଟିବ ନାହିଁ ବୋଲି ନିକଟରେ ଟାଟା ପାୱାର କହିଥିଲା । ହେଲେ ନିୟମିତ ବିଦ୍ୟୁତ କାଟ ହେଉଛି ।

ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଭିତ୍ତିଭୂମି ସଜାଡିବା ପାଇଁ ଟାଟା ପୱାରକୁ ୨୦ ହାଜର କୋଟି ଦିଆ ଯାଇଥିଲା । ହେଲେ ଏଥିରୁ ମାତ୍ର ୫ ହଜାର କୋଟି ଖର୍ଚ୍ଚ କରିଛି ଟାଟା ପାୱାର । ଆଉ ୧୫ ହଜାର କୋଟି କାହିଁକି ଖର୍ଚ୍ଚ ହୋଇନି ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି ।

ଭୁବନେଶ୍ୱର,୧୯/୬(NFID ବ୍ୟୁରୋ): ବିହାରରେ ମହାମେଣ୍ଟ ସରକାରକୁ ଝଟକା | ନୀତିଶ ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ବିହାରର ପୂର୍ବତନ ମୁଖ୍ୟମନ୍...
20/06/2023

ଭୁବନେଶ୍ୱର,୧୯/୬(NFID ବ୍ୟୁରୋ): ବିହାରରେ ମହାମେଣ୍ଟ ସରକାରକୁ ଝଟକା | ନୀତିଶ ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନ ରାମ ମାଂଝୀଙ୍କ ଦଳ ହିନ୍ଦୁସ୍ତାନ ଆବାମ୍ ମୋର୍ଚ୍ଚା । ସୋମବାର ହିନ୍ଦୁସ୍ତାନ ଆବାମ୍ ମୋର୍ଚ୍ଚା ନୀତିଶ ସରକାରରୁ ନିଜର ସମର୍ଥନ ଫେରାଇ ନେଇଛି । ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମାଂଝୀଙ୍କ ପୁଅ ସନ୍ତୋଷ ସୁମନ ଏନେଇ ସୂଚନା ଦେବା ସହିତ, ରାଜ୍ୟପାଳ ରାଜେନ୍ଦ୍ର ଅର୍ଲେକରଙ୍କଠାରୁ ସମୟ ମଗାଯାଇଥିବା କଥା କହିଛନ୍ତି ।

ସନ୍ତୋଷ ସୁମନ କହିଛନ୍ତି ଯେ, ଆମେ ସମସ୍ତ ବିକଳ୍ପ ଖୋଜିବାକୁ ଦିଲ୍ଲୀ ଯାଉଛୁ । ଦିଲ୍ଲୀରେ ଆମ ପାଇଁ ବିକଳ୍ପ ଖୋଲା ଅଛି । ସେଠାରେ ସମସ୍ତ ବିକଳ୍ପ ନେଇ ବିଚାର ବିମର୍ଶ ହେବ । ତେବେ ନିଶ୍ଚିତ ଭାବେ ଏନଡିଏଠାରୁ ଆମନ୍ତ୍ରଣ ପାଇଲେ ସେ ନେଇ ଆଲୋଚନା ହେବ ବୋଲି ସନ୍ତୋଷ ସୁମନ କହିଛନ୍ତି । ତା ସହିତ ତୃତୀୟ ପକ୍ଷ ମେଣ୍ଟ ନେଇ ମଧ୍ୟ ସେ କଥା ହେବେ ବୋଲି ସୂଚନା ଦେଇଛନ୍ତି । କିନ୍ତୁ ଏକଥା ସ୍ପଷ୍ଟ ଯେ, ସେ ନୀତିଶ ସରକାରଠୁ ନିଜର ସମର୍ଥନ ଫେରାଇ ନେଇଛନ୍ତି ।

ସୂଚନାଯୋଗ୍ୟ ଯେ, ବିହାର ମହାମେଣ୍ଟ ସରକାରରେ ହିନ୍ଦୁସ୍ଥାନ ଆବାମ୍ ମୋର୍ଚ୍ଚା ସଦସ୍ୟ ରହିଥିଲା । ଦଳ ପାଖରେ ୪ ଜଣ ବିଧାୟକ ରହିଛନ୍ତି । ତେବେ ୨୪୩ ବିଧାୟକ ବିଶିଷ୍ଟ ବିହାର ବିଧାନସଭାରେ ଶାସକ ମହାମେଣ୍ଟ ପାଖରେ ୧୬୦ ବିଧାୟକଙ୍କ ସମର୍ଥନ ରହିଛି । ଯେଉଁଥିରେ ଜନତା ଦଳ ୟୁନାଇଟେଡ୍, ରାଷ୍ଟ୍ରୀୟ ଜନତା ଦଳ, କଂଗ୍ରେସ ଏବଂ ତିନି ଜଣ ବାମପନ୍ଥୀ ବିଧାୟକ ମଧ୍ୟ ରହିଛନ୍ତି । ତେବେ ନିକଟରେ ନୀତିଶ କୁମାରଙ୍କ ସହ ବିବାଦ ପରେ ମହାମେଣ୍ଟ ସରକାରରେ ମନ୍ତ୍ରୀ ଥିବା ସନ୍ତୋଷ ସୁମନ ନିଜ ପଦରୁ ଇସ୍ତଫା ଦେଇଥିଲେ | ଏହାପରେ ସେ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବା ନେଇ ଚର୍ଚ୍ଚ ହେଉଥିଲା |

ଭୁବନେଶ୍ୱର,୧୯/୬(NFID ବ୍ୟୁରୋ): ବାଲେଶ୍ବର ଜିଲ୍ଲା ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ସିବିଆଇ ଆଜି ସୋର ସେକସନ ସିଗନାଲ ଜୁନିୟର ଇଂଜିନିୟର (ଜେ...
20/06/2023

ଭୁବନେଶ୍ୱର,୧୯/୬(NFID ବ୍ୟୁରୋ): ବାଲେଶ୍ବର ଜିଲ୍ଲା ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ସିବିଆଇ ଆଜି ସୋର ସେକସନ ସିଗନାଲ ଜୁନିୟର ଇଂଜିନିୟର (ଜେଇ)ଙ୍କ ଭଡ଼ା ଘରେ ଚଢ଼ଉ କରିଛି। ବାଲେଶ୍ବର ଜିଲ୍ଲା ସୋର ଥାନା ଅନ୍ତର୍ଗତ କମରପୁରସ୍ଥିତ ସୋର ସେକସନ ସିଗନାଲ ଜେଇ ଅମୀର ଖାନଙ୍କ ଠିକଣାରେ ଆଜି ସିବିଆଇ ଚଢ଼ଉ ପରେ ଘର ସିଲ କରିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ ସୋର ସେକସନ ସିଗନାଲ ଜୁନିୟର ଇଂଜିନିୟର ଅମୀର ଖାନ୍‌ଙ୍କ ଭଡ଼ାଘରେ ସିବିଆଇର ୪ ଜଣିଆ ଟିମ୍‌ ଆଜି ସକାଳ ୮ଟାରୁ ଚଢ଼ଉ କରିଥିଲେ। ସିବିଆଇର ଏହି ଟିମ୍‌ରେ ଓଆରପିର ୨ ଜଣ କନଷ୍ଟେବଳ ଓ ଅନ୍ୟ ୨ ଜଣ କର୍ମଚାରୀ ସାମିଲ ଥିଲେ। ସିବିଆଇ ଟିମ୍‌ ଆଜି ସକାଳ ୮ଟାରେ ସିଗନାଲ ଜେଇ ଶ୍ରୀ ଖାନଙ୍କ ଘରେ ପହଞ୍ଚି ଥିଲେ। କିନ୍ତୁ ସେଠାରେ କେହି ନଥିବାରୁ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ। ଶେଷରେ ସିବିଆଇ ଟିମ୍‌ ଭଡ଼ା ଘରକୁ ସିଲ କରିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗତ ୨ ତାରିଖ ଦିନ ବାହାନଗରେ ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍‌, ଯଶବନ୍ତପୁର-ହାୱଡା ଓ ଏକ ମାଲଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା କାରଣରୁ ୨୯୨ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା। ୧ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଶତାଧିକ ଗୁରୁତର ଥିଲେ। ଏହି ଦୁର୍ଘଟଣାକୁ ୧୭ ଦିନ ବିତି ଯାଇଥିଲେ ବି ଏବେ ସୁଦ୍ଧା କିଛି ଯାତ୍ରୀଙ୍କ ଚିକିତ୍ସା ବିଭିନ୍ନ ହସ୍‌ପିଟାଲରେ ଜାରି ରହିଛି।

ଭୁବନେଶ୍ୱର,୧୮/୬(NFID ବ୍ୟୁରୋ): ଆସନ୍ତା ମଙ୍ଗଳବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏହାକୁ ଆଖି ଆଗରେ ରଖି ପୁରୀରେ ଟ୍ରାଫିକ୍ ବ୍ୟବସ୍ଥାକୁ ଶୃଙ୍ଖ...
19/06/2023

ଭୁବନେଶ୍ୱର,୧୮/୬(NFID ବ୍ୟୁରୋ): ଆସନ୍ତା ମଙ୍ଗଳବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏହାକୁ ଆଖି ଆଗରେ ରଖି ପୁରୀରେ ଟ୍ରାଫିକ୍ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଲାଗି ଭକ୍ତଙ୍କ ଉଦ୍ଦେଶ୍ୟରେ ମାର୍ଗଦର୍ଶିକା ଜାରି ହୋଇଛି। ଏନେଇ ଆଜି ପୁରୀଠାରେ ଅତିରିକ୍ତ ଡିଜି ଅମିତାଭ ଠାକୁର ଏକ ସାମ୍ବାଦିକ ସମ୍ମିଳନୀ ସବିଶେଷ ସୂଚନା ଦେଇଛନ୍ତି।ତାଙ୍କର ସୂଚନା ଅନୁଯାୟୀ, ସମସ୍ତ ଆନ୍ତରାଜ୍ୟ ଓ ଲୋକାଲ୍ ଟୁରିଷ୍ଟ ବସ୍ ମାଳତୀପାଟପୁର ବସଷ୍ଟାଣ୍ଡରେ ରହିବ। ତେବେ ଲୋକାଲ୍ ନିୟମିତ ବସଗୁଡ଼ିକୁ ତାଳବଣିଆ ଅସ୍ଥାୟୀ ବସଷ୍ଟାଣ୍ଡକୁ ଯିବା ଲାଗ ଅନୁମତି ରହିଛି। ସମସ୍ତ ଅଟୋ ଓ ଟାଉନ ବସକୁ ପୁରୀ ଜିଲ୍ଲା ସ୍କୁଲ ଯାଏ ଯିବାକୁ ଅନୁମତି ମିଳିବ।

ଏହାଛଡ଼ା ୨୪ଟି ସ୍ଥାନରେ ଗାଡି ପାର୍କିଂ ପାଇଁ ବ୍ୟବସ୍ଥା ହୋଇଛି। ୪ଚକିଆ ଯାନ ପାଇଁ ତାଳବଣିଆ ପାଖରେ ୬ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ଥିବା ବେଳେ ୨ଚକିଆ ପାଇଁ ଜଗନ୍ନାଥ ବଲ୍ଲଭ ଏବଂ ମାଟି ତୋଟା, ମଶାଣି ଚଣ୍ଡି, ବ୍ଲୁ ଫ୍ଲାଗ୍ ବିଚ୍ ଏବଂ ନୀଳାଚଳ ହୋଟେଲରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଏହି ଯାନବାହନ ଚଳାଚଳର ନିୟମାବଳୀ ୧୯ ତାରିଖ ରାତି ୧୨ଟାରୁ ୨୧ ତାରଖ ରାତି ୧୨ଟା ଯାଏ ଲାଗୁ ହେବ ଏବଂ ୨୮ ତାରିଖ ରାତି ୧୨ଟାରୁ ୨୯ ତାରିଖ ରାତି ୧୨ଟା ମଧ୍ୟ ଏହି ସମାନ ବ୍ୟବସ୍ଥା ଲାଗୁ ରହିବ।
ସେହିପରି ଭିନ୍ନକ୍ଷମ ଓ ବୟସ୍କଙ୍କ ପାଇଁ ମାଗଣା ଇ-ଯାନ ବ୍ୟବସ୍ଥା ହୋଇଛି । ରଥଯାତ୍ରା ପାଇଁ ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ବର-୬୩୭୦୯୬୭୧୦୦/୦୬୭୫୨୨୩୨୫୫୧ ଜାରି କରାଯାଇଛି । ଏଣେ ଆମ୍ବୁଲାନ୍ସ ପାଇଁ ଇ-କରିଡର ବ୍ୟବସ୍ଥା ଓ ଜରୁରୀ ସେବା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରର ବ୍ୟବସ୍ଥା କରାଯିବ। ପୁଲିସ ହସି ହସି ଲୋକଙ୍କ ସେବା କରିବ ବୋଲି ଅମିତାଭ ଠାକୁର କହିଛନ୍ତି।

ଭୁବନେଶ୍ୱର,୧୮/୬(NFID ବ୍ୟୁରୋ): ମଣିପୁରରେ ଲାଗି ରହିଥିବା ହିଂସାକୁ ନେଇ କଂଗ୍ରେସ ଲଗାତର ଭାବେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାରେ ଲାଗି...
19/06/2023

ଭୁବନେଶ୍ୱର,୧୮/୬(NFID ବ୍ୟୁରୋ): ମଣିପୁରରେ ଲାଗି ରହିଥିବା ହିଂସାକୁ ନେଇ କଂଗ୍ରେସ ଲଗାତର ଭାବେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାରେ ଲାଗିଛି । ଏହାରି ଭିତରେ ଆଜି ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ କାର୍ଯ୍ୟକ୍ରମ ପ୍ରସାରିତ ହୋଇଛି | ମଣିପୁର ହିଂସା ଓ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତକୁ ନେଇ କଂଗ୍ରେସ ଆଜି ପୁଣି ମୋଦିଙ୍କୁ ଟାର୍ଗେଟ କରିଛି | ଏହି କ୍ରମରେ ରବିବାର ଦିନ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଟ୍ୱିଟ କରି ପ୍ରଧାନମନ୍ତ୍ରୀଙ୍କୁ ଘେରି ଛନ୍ତି । ସେ ପ୍ରଶ୍ନ କରିଛନ୍ତି କି ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତରେ ପ୍ରଥମେ ମଣିପୁର ହିଂସା ସ୍ଥାନ ପାଇବା ଉଚିତ ଥିଲା । ହେଲେ ମଣିପୁର ହିଂସା ବ୍ୟତୀତ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ଯେଭଳି ମନ୍ କି ବାତ ଶୁଣାଇଲେ ସେଥିରୁ ଅନୁମାନ କରାଯାଉଛି କି, ମଣିପୁର ଭାରତର ଏକ ଅଂଶ ନୁହେଁ ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଣିପୁର ହିଂସାକୁ ନେଇ ଚିନ୍ତା ବ୍ୟକ୍ତ କରିବା ସହ ଟ୍ୱିଟରରେ ଲେଖିଛନ୍ତି କି, ସୀମାବର୍ତୀ ରାଜ୍ୟ ମଣିପୁରର ସ୍ଥିତି ଅନିଶ୍ଚିନ୍ତ ଓ ଅତ୍ୟଧିକ ସମ୍ବେଦନଶୀଳ । ହେଲେ ମନ୍ କି ବାତରେ ପ୍ରଧାନମନ୍ତ୍ରୀ ମଣିପୁର ହିଂସା ଉପରେ ପଦୁଟିଏ ନକହିବା ନେଇ ସେ ପ୍ରଧାନମନ୍ତ୍ରୀଙ୍କୁ ଘେରିଛନ୍ତି । ଏହାସହ ମଣିପୁର ହିଂସାକୁ ନେଇ ଗୃହମନ୍ତ୍ରୀ ବାରମ୍ବାର ବୈଠକ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ଗୋଟିଏ ବି ବୈଠକରେ କାହିଁକି ଅଧ୍ୟକ୍ଷତା କଲେ ନାହିଁ ତାହା ଉପରେ ସେ ପ୍ରଶ୍ନ ଉଠାଇଛନ୍ତି ।

ସେପଟେ ମଣିପୁର ହିଂସାକୁ ନେଇ ୧୦ଟି ବିରୋଧୀଦଳର ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାକୁ ଜୁନ ୧୦ ତାରିଖରୁ ଚିଠି ଲେଖିଛନ୍ତି । ହେଲେ ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କୌଣସି ଉତ୍ତର ମିଳିନାହିଁ ।

ଭୁବନେଶ୍ୱର,୧୮/୬(NFID ବ୍ୟୁରୋ): ଯାଜପୁର ସୂଚନା ଅଧିକାର କର୍ମୀ ସର୍ବେଶ୍ଵର ବେଉରାଙ୍କ ଗିରଫ ନିନ୍ଦା କରି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍...
19/06/2023

ଭୁବନେଶ୍ୱର,୧୮/୬(NFID ବ୍ୟୁରୋ): ଯାଜପୁର ସୂଚନା ଅଧିକାର କର୍ମୀ ସର୍ବେଶ୍ଵର ବେଉରାଙ୍କ ଗିରଫ ନିନ୍ଦା କରି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ପ୍ରେସମିଟ୍ କରି କହିଛନ୍ତି ଯେ, ‘ଶାସକ ଦଳର ୨୩ବର୍ଷ ଶାସନ ପୁରିଗଲା ହେଲେ ରାଜ୍ୟରେ ଅବସ୍ଥା ସୁଧୁରିବା ପରିବର୍ତ୍ତେ ଦିନକୁ ଦିନ ବିଗିଡିବାରେ ଲାଗିଛି। ୨୩ ବର୍ଷ ଭିତରେ ବିଜେଡି ଓଡିଶାକୁ ଉଇ ଭଳି ଭିତରୁ ଖାଇ ନଷ୍ଟ କରି ସାରିଲେଣି। ରାଜ୍ୟରେ ଦୁର୍ନୀତି ଲୁଚାଇବା ପାଇଁ ବିଜୁ ଜନତା ଦଳ ଆକ୍ରୋଶର ରାଜନୀତି କରୁଛି । ଯିଏ ବିଜେଡିର କ୍ଷମତାକୁ ଚ୍ୟାଲେଞ୍ଜ କଲା ତାକୁ ଆକ୍ରମଣ କରାଯାଉଛି ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ଏହାର ଏକ ଜ୍ୱଳନ୍ତ ଉଦାହରଣ ଘଟଣା ଘଟିଛି ଯାଜପୁରରେ। ବିଜେପି କର୍ମୀ ତଥା ଯାଜପୁର ସୂଚନା ଅଧିକାର କର୍ମୀ ସର୍ବେଶ୍ଵର ବେଉରାଙ୍କ ଗିରଫ ନିନ୍ଦା କରି ଏମିତି ଅଭିଯୋଗ କରିଛି ବିଜେପି। କ୍ଷମତାକୁ ଆକ୍ରମଣ କରିବାରୁ ତାଙ୍କୁ ମିଛ ମାମଲାରେ ଗିରଫ କରାଯାଥିବା ସେ ପ୍ରେସମିଟରେ କହିଛନ୍ତି।

ଏହାସହ ସର୍ବେଶ୍ବରଙ୍କ ଗିରଫ ପ୍ରସଙ୍ଗରେ ଲେଖାଶ୍ରୀ କହିଛନ୍ତି, “ଯାଜପୁର ଜିଲ୍ଲାରେ ଖଣି ଲୁଟକୁ ସାମ୍ନାକୁ ଆଣିଥିଲେ ସର୍ବେଶ୍ଵର । ଡଙ୍କାରୀ ଏବଂ ବିଛାଖଣ୍ଡି ବେଆଇନ ଖଣି ଲୁଟ ବନ୍ଦ କରିବା ସହ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ସର୍ବେଶ୍ଵର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସ୍ଥାନୀୟ ବିଧାୟକ ପ୍ରଣବ ବଳବନ୍ତରାୟଙ୍କର ବେଆଇନ ଇଟା ଭାଟିକୁ ବି ବିରୋଧ କରିଥିଲେ ସର୍ବେଶ୍ଵର । ତେଣୁ ବିଭିନ୍ନ ସମୟରେ ତାଙ୍କ ବିରୋଧରେ ମିଛ ମାମଲା କରିଛି ପ୍ରଶାସନ । ପୂର୍ବରୁ ୨୦୨୧ରେ ବି ତାଙ୍କ ଉପରେ ବୋମାମାଡ଼ ହୋଇଥିଲା ।

ଉଈ ଭଳି ଓଡ଼ିଶାକୁ ଖାଇ ଖୋଳ କରି ସାରିଲାଣି ବିଜେଡି । ଏସବୁକୁ ଚାପିବାକୁ ଏବେ ଏମିତି ରାଜନୀତି କରୁଛି ଶାସକ ଦଳ । ସେହିପରି ଯାଜପୁରରେ ଖଣି ଖାଦାନ ବେଆଇନ ଖନନକୁ ଲୋକାୟୁକ୍ତ ପ୍ରତିବନ୍ଧକ ଲଗାଇଥିବାବେଳେ ଭିଜିଲାନ୍ସକୁ ଦାୟିତ୍ଵ ଦିଆଯାଇଥିଲା ଏହି ଦୁଇଟି ଖନନ ମାମଲାର ତଦନ୍ତ ପାଇଁ । କିନ୍ତୁ ସେଠାରେ ବେଆଇନ ଭାବେ ଖନନ ଚାଲିଥିବାବେଳେ ବିରୋଧ କଲେ ତାଙ୍କ ନାଁରେ ମିଥ୍ଯା କେସ୍ ଲଗାଇ ଥାନାରେ ଗିରଫ କରାଯାଉଛି ବୋଲି ପ୍ରେସ୍‌ମିଟରେ କହିବା ସହ ବିଜେଡି ଉପରେ ବର୍ଷିଛନ୍ତି ଲେଖାଶ୍ରୀ ।

ସେ ଆହୁରି କହିଛନ୍ତି ଯେ, “ହିଂସାର କୌଣସି ଅନ୍ତ ନାହିଁ । ଏଭଳି ହିଂସାର ରାଜନୀତି ରାଜ୍ୟ ପାଇଁ ମଙ୍ଗଳ ନୁହେଁ। ସର୍ବେଶ୍ଵରଙ୍କ ନାଁରୁ ମିଛ ମାମଲା ପ୍ରତ୍ୟାହାର କରି ବିନା ଦୋଷରେ ଖଲାସ କରାଯାଉ । ନହେଲେ ଶାସକ ଦଳର ଦୁର୍ନୀତିଗ୍ରସ୍ତ ନେତାଙ୍କୁ ବିଜେପି ଘରୁ ବାହାର କରେଇ ଦେବ ନାହିଁ ।” ଏହା କହିବା ସହ ଅସହିଷ୍ଣୁ ରାଜନୀତି ତଥା ହିଂସା ରାଜନୀତିରୁ ଅବ୍ୟାହତ ରହିବାକୁ ପ୍ରେସମିଟ ଜରିଆରେ ଚେତାବନୀ ଦେଇଛି ବିଜେପି ।

ଭୁବନେଶ୍ୱର,୧୮/୬(NFID ବ୍ୟୁରୋ): ମୟୂରଭଞ୍ଜରେ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ବିରୋଧ । ଶିକାରୀ ଗୁଳିରେ ମୃତ ଫରେଷ୍ଟରଙ୍କ ଶବ ସତ୍କାର ବେଳେ ବ...
19/06/2023

ଭୁବନେଶ୍ୱର,୧୮/୬(NFID ବ୍ୟୁରୋ): ମୟୂରଭଞ୍ଜରେ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ବିରୋଧ । ଶିକାରୀ ଗୁଳିରେ ମୃତ ଫରେଷ୍ଟରଙ୍କ ଶବ ସତ୍କାର ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ଘେରିଛନ୍ତି ଲୋକେ । ଶୁକ୍ରବାର ରାତିରେ ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଗୁଳିରେ ଫରେଷ୍ଟର ମାଟି ହାଁସଦାଙ୍କ ମୃତ୍ୟୁ ହୋଇଥିଲା । ଆଜି ତାଙ୍କ ଶେଷକୃତ୍ୟରେ ଯୋଗ ଦେବା ପାଇଁ ପହଞ୍ଚିଥିଲେ ମନ୍ତ୍ରୀ ଶ୍ରୀ ମାରାଣ୍ଡି ।

ଲୋକଙ୍କ ଅଭିଯୋଗ ଅନୁସାରେ, ଦକ୍ଷିଣ ଶିମିଳିପାଳର ଏସିଏଫ୍ ବିଭିନ୍ନ ସମୟରେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କୁ ମାନସିକ ନିର୍ଯାତନା ଦେଉଛନ୍ତି । ଯାହାବି ଘଟିଛି ସେ ସବୁ ପାଇଁ ଲୋକେ ବରିଷ୍ଠ ଅଧିକାରୀଙ୍କୁ ଦାୟୀ କରିଛନ୍ତି । ଲୋକେ କହିଛନ୍ତି, ସରକାର କହୁଛନ୍ତି ବନ କର୍ମଚାରୀଙ୍କ ପାଇଁ ସାହାଯ୍ୟ କରାଯାଉଛି, କିନ୍ତ ତାହା ଯଥେଷ୍ଟ ନୁହେଁ । ସାହାଯ୍ୟ ଯଥେଷ୍ଟ ହୋଇଥିଲେ ଜଣେ ଫରେଷ୍ଟରଙ୍କର ମୃତ୍ୟୁ ଗୁଳିରେ ହୋଇ ନଥାନ୍ତା ବୋଲି କହିଛନ୍ତି ଫରେଷ୍ଟର ଗାର୍ଡ ଶଶାଙ୍କ ଶେଖର । ତେବେ ଲୋକଙ୍କ ହୋ ହଲ୍ଲା ଭିତରେ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି, ସରକାର ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି । ମୁଁ ଶୋକସନ୍ତପ୍ତ ପରିବାରକୁ ଭେଟିବାକୁ ଆସିଛି । ଆରସିସିଏଫଙ୍କ ସହ କଥା ହୋଇଛି, ସରକାର ଗୁରୁତ୍ୱ ଦେଇ ନଜର ରଖିଛନ୍ତି ।

ଅନ୍ୟପଟେ ଏସିଏଫଙ୍କ ବିରୋଧରେ ଆସିଥିବା ଅଭିଯୋଗରେ ଆରସିସିଏଫ୍ ପ୍ରକାଶ ଚନ୍ଦ୍ର ଗୋଗିନେନି କହିଛନ୍ତି, ଏସିଏଫ୍ ବିଶ୍ୱାଳ ଜଣେ ଭଲ ବ୍ୟକ୍ତି । ସେ ବନ କର୍ମଚାରୀମାନଙ୍କ କାର୍ଯ୍ୟ ତଦାରଖ କରନ୍ତି । ତେବେ ମାନସିକ ନିର୍ଯାତନା ଅଭିଯୋଗ ଚିନ୍ତାର ବିଷୟ । ଏନେଇ ତଦନ୍ତ କରି ଯାହା ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଆରସିସିଏଫ୍ ।

ଭୁବନେଶ୍ୱର,୧୮/୬(NFID ବ୍ୟୁରୋ): ଆଜି ପଞ୍ଜାବର ଆମ୍ ଆଦମୀ ପାର୍ଟି (ଆପ୍) ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।...
19/06/2023

ଭୁବନେଶ୍ୱର,୧୮/୬(NFID ବ୍ୟୁରୋ): ଆଜି ପଞ୍ଜାବର ଆମ୍ ଆଦମୀ ପାର୍ଟି (ଆପ୍) ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଗୁରୁଦାସପୁରଠାରେ ଅନୁଷ୍ଠିତ ଏକ ଜନସଭାରେ ଯୋଗ ଦେଇ ଶାହ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସହ ସାରା ଦେଶରେ ଗସ୍ତରେ ସମୟ ବିତାଉଥିବାରୁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଖରାପରୁ ଖରାପ ହେବାରେ ଲାଗିଛି । ବେଳେବେଳେ ଭାବିଥାଏ ଭଗବନ୍ତ ମାନ ମୁଖ୍ୟମନ୍ତ୍ରୀ ନା ପାଇଲଟ୍ ।

ନରେନ୍ଦ୍ର ମୋଦୀ ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ବିଜେପିର ଜନସମ୍ପର୍କ ଅଭିଯାନ ଅବସରରେ ଏକ ରାଲିକୁ ସମ୍ବୋଧିତ କରି ଶାହା କହିଛନ୍ତି, “ମୋର ପୁରା ଜୀବନରେ ମୁଁ ଆପ୍ ନେତୃତ୍ୱାଧୀନ ସରକାର ଭଳି ସରକାର ଦେଖିନାହିଁ ଯିଏ ଫମ୍ଫା ପ୍ରତିଶ୍ରୁତି ଦେଇଥାଏ। ଭଗବନ୍ତ ମାନଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କର କେବଳ ଗୋଟିଏ କାମ ଅଛି। ଯଦି କେଜ୍ରିଓ୍ଵାଲଙ୍କୁ ଚେନ୍ନାଇ ଯିବାକୁ ପଡ଼େ, ତେବେ ତାଙ୍କୁ ଚେନ୍ନାଇ ନେବା ପାଇଁ ସେ ବିମାନଯୋଗେ ଦିଲ୍ଲୀ ଯାଆନ୍ତି। ଯଦି କେଜ୍ରିଓ୍ଵାଲଙ୍କୁ କୋଲକାତା ଯିବାକୁ ପଡ଼େ, ତେବେ ମାନ ବିମାନ ଧରି ତାଙ୍କୁ କୋଲକାତା ନେଇଯାଆନ୍ତି।

ସେ ଆହୁରି କହିଛନ୍ତି ଯେ, କେଜ୍ରିୱାଲଙ୍କ ଦେଶବ୍ୟାପୀ ଗସ୍ତର ଆୟୋଜନ କରୁଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ । ମୁଁ ପ୍ରାୟତଃ ଭାବିଥାଏ ଯେ ସେ ମୁଖ୍ୟମନ୍ତ୍ରୀ ନା ପାଇଲଟ୍ । ତାଙ୍କର ସମସ୍ତ ସମୟ କେଜ୍ରିୱାଲଙ୍କ ଗସ୍ତରେ ବିତିଯାଉଛି ଏବଂ ଏହାର ପରିଣାମ ସ୍ୱରୂପ ପଞ୍ଜାବର ଆଇନ ଶୃଙ୍ଖଳା ପରିସ୍ଥିତି ଖରାପରୁ ଖରାପ ହେବାରେ ଲାଗିଛି ବୋଲି ଶାହ କହିଛନ୍ତି ।

ତେବେ ଏହି ପ୍ରସଙ୍ଗରେ ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ମାନ ଙ୍କୁ ଟାର୍ଗେଟ କରିଥିଲେ | ସେ କହିଥିଲେ ଯେ ମାନ ନିଜ ପଦର ଅପବ୍ୟବହାର କରୁଛନ୍ତି | ଆଉ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଦ୍ଧିଷ୍ଟ ହେଲିକ୍ୟାପ୍ଟରରେ ସେ ଅରବିନ୍ଦ କେଜ୍ରିୱାଲଙ୍କୁ ଧରି ଦେଶ ସାରା ବୁଲି ବୁଲି ବିରୋଧୀ ଦଳର ନେତାମାନଙ୍କୁ ଭେଟୁଛନ୍ତି |

ଭୁବନେଶ୍ୱର,୧୮/୬(NFID ବ୍ୟୁରୋ): ଶିକାରୀଙ୍କ ଗୁଳିରେ ବନ କର୍ମଚାରୀଙ୍କ ପ୍ରାଣ ଯିବାପରେ ଆନ୍ଦୋଳନ ଡାକରା ଦେଇଛି ଓଡିଶା ଅଣଗେଜେଟେଡ୍ ବନସେବା ସ...
19/06/2023

ଭୁବନେଶ୍ୱର,୧୮/୬(NFID ବ୍ୟୁରୋ): ଶିକାରୀଙ୍କ ଗୁଳିରେ ବନ କର୍ମଚାରୀଙ୍କ ପ୍ରାଣ ଯିବାପରେ ଆନ୍ଦୋଳନ ଡାକରା ଦେଇଛି ଓଡିଶା ଅଣଗେଜେଟେଡ୍ ବନସେବା ସଂଘ। ଆଜି(ସୋମବାର)ଠୁ ବନକର୍ମଚାରୀଙ୍କ ପ୍ରତୀକ ଆନ୍ଦୋଳନ ଡାକରା ଦିଆଯାଇଛି । ଡ୍ୟୁଟିରେ ରହି ପାଟ୍ରୋଲିଂ ନକରି ପ୍ରତୀକ ଆନ୍ଦୋଳନ କରିବାକୁ କହିବା ସହ ୫ ଦଫା ଦାବି ନେଇ ଜୁଲାଇ ୮ ପର୍ଯ୍ୟନ୍ତ ପ୍ରତୀକ ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇଛି ସଂଘ । ଦାବି ପୂରଣ ନହେଲେ ଜୁଲାଇ ୧୦ରୁ ଲୋୟର ପିଏମଜିରେ ସମୂହ ଆନ୍ଦୋଳନ ପାଇଁ ମଧ୍ୟ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଏନେଇ ସଂଘ ତରଫରୁ ୨୯ଟି ଜୋନର କର୍ମକର୍ତ୍ତାଙ୍କୁ ନେଇ କରାଯାଇଥିବା ବୈଠକ ପରେ ଏପରି ନିଷ୍ପତ୍ତି ନିଆଯାଇଛି । ଗତ ମେ ୨୨ ତାରିଖରେ ବନବିଭାଗ କର୍ମଚାରୀ ବିମଳ ଜେନାଙ୍କ ହତ୍ୟା ଏବଂ ପରେ ଫରେଷ୍ଟର ମାଥି ହାସଦାଁଙ୍କୁ ମଧ୍ୟ ୧୬ ଜୁନରେ ହତ୍ୟା କରାଯିବା ପରେ ଏଭଳି ନିଷ୍ପତ୍ତି ନେଇଛି ସଂଘ । ସୋମବାର ଠାରୁ ୫ ହଜାର ୩୭୬ ଫରେଷ୍ଟଗାର୍ଡ, ୨ ହଜାର ୫୩୦ ଫରେଷ୍ଟର, ୨୮୨ ଜଣ ଡେପୁଟି ରେଞ୍ଜର ପ୍ରତୀକ ଭାବରେ ଆନ୍ଦୋଳନରେ ସାମିଲ ହେବେ ବୋଲି ଜଣାପଡିଛି । ଅର୍ଥାତ୍ ଡ୍ୟୁଟିରେ ରହି ମଧ୍ୟ ପାଟ୍ରୋଲିଂ କରିବେ ନାହିଁ । ଜୁଲାଇ ୮ତାରିଖ ପର୍ଯ୍ୟନ୍ତ ପ୍ରତୀକ ଆନ୍ଦୋଳନ କରାଯିବା ନେଇ ଚେତାବନୀ ଦିଆଯାଇଛି ।

ତେବେ ଏହି ସମୟ ମଧ୍ୟରେ ଯେଉଁ ୫ ଦଫା ଦାବି ରହିଛି ତାହା ଯଦି ସରକାର ପୂରଣ ନକରନ୍ତି ତେବେ ଆସନ୍ତା ୧୦ ତାରିଖରୁ ଭୁବନେଶ୍ୱର ଲୋୟର ପିଏମଜିରେ ସମୂହ ଆନ୍ଦୋଳନକୁ ଓହ୍ଲାଇବ ସଂଘ । ତେବେ ହେଉଛି ୫୦ଟି ସ୍ଥାନରେ ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ, ୱେଲଫେୟାର ଫଣ୍ଡ, ସର୍କଲ ରି ଅର୍ଗାନାଇଜେସନ୍ , ରେଞ୍ଜ୍ ସେକ୍ସନ ଏବଂ ବିଟ୍ ଗୁଡିକର ରିଭିଜନ୍ ସହ ଆଡିକ୍ଟେଡ୍ ନମ୍ବର ବଢାଇବା ଭଳି ୫ଟି ପ୍ରମୁଖ ଦାବି ରହିଛି ।

ପ୍ରମୁଖ ଦାବି ଗୁଡିକ ହେଲା:
୨୦୦୯ରେ ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ସେମାନଙ୍କୁ ୫୦ଟି ଲୋକେସନରେ ରଖାଯିବା ଆବଶ୍ୟକ । ହେଲେ ଆଜି ପର୍ଯ୍ୟନ୍ତ ରଖାଯାଇ ନାହିଁ, ସେମାନଙ୍କୁ ତୁରନ୍ତ ବିଭିନ୍ନ ସ୍ଥାନରେ ରଖିବାର ବ୍ୟବସ୍ଥା କରାଯାଉ।
ୱେଲଫେୟାର ଫଣ୍ଡ ଗଠନ ହୋଇନାହିଁ । ତେବେ ଏହାକୁ ଖୁବ ଶୀଘ୍ର କରାଯାଉ ।
3.ସର୍କଲ ରିଅର୍ଗାନାଇଜେସନ କରାଯାଉ ।

4.ରେଞ୍ଜ ସେକ୍ସନ ବିଟ ରିଭିଜନ୍ କରିବାର ଆଵଶ୍ୟକତା ରହିଛି, ତାହା ବର୍ତ୍ତମାନ ସମୟରେ ହୋଇପାରିନାହିଁ ।

ସହାୟତା ରାଶି ତେଲେଙ୍ଗାନା ସରକାରଙ୍କ ଭଳି ଦିଆଯାଉ ।
ଏହିଭଳି ୫ ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇବେ ଓଡିଶା ଅଣଗେଜେଟେଡ୍ ବନସେବା ସଂଘ । ଏନେଇ ରାଜ୍ୟ ସଭାପତି ଜଗବନ୍ଧୁ ପାତ୍ର କହିଛନ୍ତି ଯେ, “ଶିକାରୀ ମର କିମ୍ବା ମାର ଅବସ୍ଥାରେ ରହୁଛନ୍ତି । ତାଙ୍କ ନିକଟରେ ବିଭିନ୍ନ ପ୍ରକାରର ହତିଆର ରହିଛି, ବନ୍ଧୁକ ଅଛି, ଆମ ନିକଟରେ କିଛି ନାହିଁ । ଯାହା ଫଳରେ ଶିକାରୀଙ୍କ ଆଗରେ ମୃତ୍ୟୁବରଣ କରିବା ସୁନିଶ୍ଚିତ ।” ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଛି।

ଭୁବନେଶ୍ୱର,୧୬/୬(NFID ବ୍ୟୁରୋ): ପୁଣି ଶିକାରୀ ଗୁଳିରେ ଗଲା ଆଉ ଜଣେ ବନ କର୍ମଚାରୀଙ୍କ ଜୀବନ। ଏଥର ଶିମିଳିପାଳ ଅଭୟାରଣ୍ୟର ଦକ୍ଷିଣରେ ଶିକାରୀଙ...
18/06/2023

ଭୁବନେଶ୍ୱର,୧୬/୬(NFID ବ୍ୟୁରୋ): ପୁଣି ଶିକାରୀ ଗୁଳିରେ ଗଲା ଆଉ ଜଣେ ବନ କର୍ମଚାରୀଙ୍କ ଜୀବନ। ଏଥର ଶିମିଳିପାଳ ଅଭୟାରଣ୍ୟର ଦକ୍ଷିଣରେ ଶିକାରୀଙ୍କ ଗୁଳିରେ ଜଣେ ଫରେଷ୍ଟରଙ୍କ ପ୍ରାଣହାନି ଘଟିଛି। ସେ କେନ୍ଦୁମୁଣ୍ଡି ରେଞ୍ଜ ବାରାହକାମୁଡ଼ାର ଫରେଷ୍ଟର ମାଟିଆ ହାଁସଦା (୪୫) ବୋଲି ଜଣାଯାଇଛି।

ଶିମିଳିପାଳ ଅଭୟାରଣ୍ୟର ଗାମୁଛାଝରଣ ନିକଟରେ ଗତକାଲି ରାତି ପ୍ରାୟ ୨ଟା ବେଳେ ଏହି ଘଟଣା ଘଟିଥିବାର ସୂଚନା ମିଳିଛି। ରାତିରେ ବନ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ୬ ଜଣ ଶିକାରୀ ସେମାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ମାଟିଆ ହଁ।ସଦାଙ୍କ ଦେହରେ ଗୁଳିଟିଏ ବାଜିବାରୁ ସେ ଘଟଣାସ୍ଥଳରେ ଟଳିପଡ଼ିଥିଲେ। ତାଙ୍କୁ ତତକ୍ଷଣାତ୍ କରଞ୍ଜିଆ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ଘଟଣାସ୍ଥଳରେ ଉତ୍ତର ଶିମିଳିପାଳର ଉପନିର୍ଦେଶକ ସାଈ କିରଣ, କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ ଓ କରଞ୍ଜିଆ ଉପଖଣ୍ଡ ପୁଲିସ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାରେ ବନ ବିଭାଗ ପକ୍ଷରୁ ଏଦେଲବେଡ଼ା ବୁରୁସାହିରୁ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଗତ ମାସରେ ଶିମିଳିପାଳ ଅଭୟାରଣ୍ୟରେ ଶିକାରୀମାନେ ଗୁଳି କରି ବିମଳ କୁମାର ଜେନା ନାମକ ଜଣେ ବନରକ୍ଷୀଙ୍କୁ ହତ୍ୟା କରିଥିଲେ। ତାଙ୍କ ଘର ବାରିପଦା ଟାଉନ୍‌ ଥାନା ଭଞ୍ଜପୁର ଅଞ୍ଚଳରେ। ଶିକାରୀଙ୍କ ଗୁଳିରେ ଶିମିଳିପାଳ ଅଭୟାରଣ୍ୟର ବନରକ୍ଷୀ ବିମଳ ଜେନାଙ୍କ ମୃତ୍ୟୁ ଘଟଣାରେ ମୟୂରଭଞ୍ଜ ଜିଲ୍ଲା ପୁଲିସର ସ୍ପେଶାଲ୍‌ ସ୍କ୍ବାଡ୍‌କୁ ପରେ ଅବଶ୍ୟ ମିଳିଥିଲା ବଡ଼ ସଫଳତା। ଜଙ୍ଗଲରେ ଦୀର୍ଘ ୪୮ ଘଣ୍ଟାର କମ୍ବିଂ ଅପରେସନ୍ ଓ ବିଭିନ୍ନ ସ୍ଥାନରେ ଖାନତଲାସ ପରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ବନ୍ଧୁକ ଓ ଅଫୁଟା ଗୁଳି ମଧ୍ୟ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ, ବାଙ୍ଗିରିପୋଷି ବ୍ଲକ୍‌ ବଡ଼ଗାଁ ପଞ୍ଚାୟତ ସୁନାପୋଷି ଗ୍ରାମର ପୂର୍ବତନ ସରପଞ୍ଚ ବୁଦ୍ଧଦେବ ସିଂ (୫୨), କୁଆଳି ଗ୍ରାମର ଶୁକୁଲାଲ ମାରାଣ୍ଡି (୩୭) ଓ ସୁନାପୋଷି ଜରଗାଡେହି ଗ୍ରାମର ଜୁଗୁଳୁ ସିଂ (୩୮)।

ଭୁବନେଶ୍ୱର,୧୭/୬(NFID ବ୍ୟୁରୋ): ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକଙ୍କୁ ଭିଜିଲାନ୍ସ ଗିରଫ କରିଥିବା ଜଣାଯାଇଛି। ତାଙ୍କର ଆ...
18/06/2023

ଭୁବନେଶ୍ୱର,୧୭/୬(NFID ବ୍ୟୁରୋ): ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକଙ୍କୁ ଭିଜିଲାନ୍ସ ଗିରଫ କରିଥିବା ଜଣାଯାଇଛି। ତାଙ୍କର ଆୟଠାରୁ ୨୬୮% ଅଧିକ ସଂପତ୍ତି ଠାବ କରିବା ପରେ ଭିଜିଲାନ୍ସ ଏହି ପଦକ୍ଷେପ ନେଇଛି।

ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍‌ସ ଟିମ୍‌ ବ୍ରଜେନ୍ଦ୍ର ନାୟକଙ୍କ ୫ଟି ସ୍ଥାନରେ ଚଢଉ କରିଥିଲେ। ଭୁବନେଶ୍ୱର ଏବଂ ପୁରୀ ଜିଲ୍ଲାରେ ଏହି ଚଢଉ ଚାଲିଥିଲା। ଭୁବନେଶ୍ୱରର ଭୀମଟାଙ୍ଗୀ, ହାଉସିଂ ବୋର୍ଡ କଲୋନିରେ ଥିବା ଘର, ରାଜାରାଣୀ କଲୋନିରେ ଥିବା ପ୍ଲଟ ନଂ ୩୮୪ ଓ ୩୮୫, ପୁରୀ ଜିଲ୍ଲା ନିମାପଡ଼ାର ସୁନୁଗରଡ଼ି ଗାଁରେ ଥିବା ପୈତୃକ ଘର ଓ ଫାର୍ମହାଉସରେ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଥିଲା। ଏହି ଚଢଉ ବେଳେ ବ୍ରଜେନ୍ଦ୍ର ନାୟକଙ୍କର ଭୁବନେଶ୍ୱରରେ ୫ଟି ବଡ଼ କୋଠା, ନିମାପଡ଼ାରେ ଫାର୍ମ ହାଉସ, ନିମାପଡ଼ାରେ ୧୦ଟି ଦୋକାନ ଘର ଥିବା ମାର୍କେଟ କଂପ୍ଲେକ୍ସ, ୭ଟି ପ୍ଲଟ, ଦେଢ଼ କୋଟି ଟଙ୍କାର ଜମା ଓ ଦାମୀ କାର୍ ଠାବ ହୋଇଥିଲା।
ଓଡ଼ିଶା ଭିଜିଲାନ୍ସର ୨ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଚଢଉ କରାଯାଇଥିଲା। ଭୁବନେଶ୍ୱର ସ୍ୱତନ୍ତ୍ର ଜଜ୍, ଭିଜିଲାନ୍ସଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟର କ୍ଷମତା ବଳରେ ଚଢଉ କରାଯାଇଥିଲା।

ଭୁବନେଶ୍ୱର,୧୭/୬(NFID ବ୍ୟୁରୋ): ପୁଣି ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ରାୟଗଡା ଜିଲ୍ଲା ଅମ୍ବାଦଳା ରେଳ ଷ୍ଟେସନ ନିକଟରେ ଏଭଳି ଘଟଣା...
18/06/2023

ଭୁବନେଶ୍ୱର,୧୭/୬(NFID ବ୍ୟୁରୋ): ପୁଣି ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ରାୟଗଡା ଜିଲ୍ଲା ଅମ୍ବାଦଳା ରେଳ ଷ୍ଟେସନ ନିକଟରେ ଏଭଳି ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ବିଶାଖାପାଟଣାରୁ ବକ୍ସାଇଟ୍ ନେଇ ଏକ ମାଲ ବୋଝେଇ ଟ୍ରେନ୍ ଲାଞ୍ଜିଗଡ ସ୍ଥିତ ବେଦାନ୍ତ ଆଲୁମିନା ରିଫାଇନାରୀ ପ୍ଲାଣ୍ଟକୁ ଯାଉଥିବା ବେଳେ ଅମ୍ବାଦଳା ରେଳ ଷ୍ଟେସନ ନିକଟରୁ ମାତ୍ର ୨ଶହ ମିଟର ଦୂରରେ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଯାଇଛି ।

ପାଖରେ ଅନ୍ୟ ତିନୋଟି ଲାଇନ ଥିବାରୁ ରେଳ ଚଳାଚଳରେ କୌଣସି ବାଧା ସୃଷ୍ଟି ହୋଇନଥିଲେ ମଧ୍ୟ ରେଳ ବାରମ୍ବାର ଦୁର୍ଘଟଣା ଓ ଲାଇଚ୍ୟୁତକୁ ନେଇ ଲୋକଙ୍କ ମନରେ ଆତଙ୍କ ଦେଖାଦେଇଛି ।

ଗତ କିଛି ମାସ ତଳେ ମଧ୍ୟ ସେହି ସ୍ଥାନରେ ଏକ ମାଲ ବୋଝେଇ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା । ଖବର ପାଇ ରେଳ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲାଇନରୁ ସେହି ବଗିଗୁଡିକୁ କାଢିବାର କାର୍ଯ୍ୟ ଜାରି ରହିଛି ।

ଭୁବନେଶ୍ୱର,୧୭/୬(NFID ବ୍ୟୁରୋ): ପଶ୍ଚିମବଙ୍ଗର କୁଚବିହାରଠାରେ କେନ୍ଦ୍ର ମନ୍ତ୍ରୀ ନିଶିଥ ପ୍ରମାଣିକଙ୍କ କାର ଉପରେ ଆକ୍ରମଣ ହୋଇଛି। କେନ୍ଦ୍ର ମ...
18/06/2023

ଭୁବନେଶ୍ୱର,୧୭/୬(NFID ବ୍ୟୁରୋ): ପଶ୍ଚିମବଙ୍ଗର କୁଚବିହାରଠାରେ କେନ୍ଦ୍ର ମନ୍ତ୍ରୀ ନିଶିଥ ପ୍ରମାଣିକଙ୍କ କାର ଉପରେ ଆକ୍ରମଣ ହୋଇଛି। କେନ୍ଦ୍ର ମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ଟିଏମସି ସମର୍ଥକମାନେ ତାଙ୍କ ଗାଡି ଉପରେ ଆକ୍ରମଣ କରିଛନ୍ତି | ପୁଲିସ ଉପସ୍ଥିତିରେ ଏଭଳି ଆକ୍ରମଣ ହୋଇଥିବାରୁ ଏଥିରେ ପୁଲିସର ହାତ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି |

ତେବେ ଆଗକୁ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ | ଏଥିପାଇଁ ନାମାଙ୍କନ ଆରମ୍ଭ ହେବା ଦିନଠାରୁ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ହିଂସା ଜାରି ରହିଛି। ନାମାଙ୍କନ ଯାଞ୍ଚର ଶେଷ ଦିନରେ କୁଚବିହାରରେ ବିଜେପି ଏବଂ ଟିଏମସି ସମର୍ଥକମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିବାବେଳେ ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ନିଶିଥ ପ୍ରମାଣିକ ମଧ୍ୟ ଉପସ୍ଥିତ ଥିଲେ। ସେ ଅଭିଯୋଗ କରିଛନ୍ତି ଯେ ଟିଏମସି ସମର୍ଥକମାନେ ତାଙ୍କ କାର ଉପରେ ଆକ୍ରମଣ କରିଥିଲେ।

କେନ୍ଦ୍ର ମନ୍ତ୍ରୀ ନିଶିଥ ପ୍ରମାଣିକଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ବିଜେପି ରାଜ୍ୟ ସଭାପତି ସୁକାନ୍ତ ମଜୁମଦାର ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କୁ ସୂଚନା ଦେଇଛନ୍ତି। ରାଜ୍ୟପାଳଙ୍କୁ ଭେଟିବା ପରେ ବିଜେପି ରାଜ୍ୟ ସଭାପତି କହିଛନ୍ତି, “ମୁଁ ରାଜ୍ୟପାଳଙ୍କୁ ହିଂସା ବିଷୟରେ ସବୁକିଛି କହିଥିଲି। ପଞ୍ଚାୟତ ନିର୍ବାଚନ ସମୟରେ ପଶ୍ଚିମବଙ୍ଗରେ ଘଟୁଥିବା ହିଂସାକୁ ରୋକିବା ପାଇଁ ସେ ଆମକୁ ସମସ୍ତ ସକ୍ରିୟ ତଥା ପ୍ରଭାବଶାଳୀ ପଦକ୍ଷେପ ନେବାକୁ କହିଛନ୍ତି।” ସେ ଆମକୁ କହିଛନ୍ତି ଯେ ସମସ୍ତ ବ୍ୟବସ୍ଥା କରାଯିବ।

ଉଲ୍ଲେଖ ଥାଉ କି ପଞ୍ଚାୟତ ନିର୍ବାଚନକୁ ନେଇ ପଶ୍ଚିମବଙ୍ଗର ଅନେକ ସ୍ଥାନରୁ ହିଂସା ଖବର ଆସିଛି। ଗତ ଶନିବାର (ଜୁନ୍ ୧୭), ବୀରଭୂମ ଜିଲ୍ଲାର ଶାନ୍ତିନିକେତନରେ ୨୮ଟି ଅଫୁଟା ବୋମା ମିଳିବା ପରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଲଗାତାର ଦୁଇ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଜିଲ୍ଲାରେ ବୋମା ଜବତ କରାଯାଇଛି। ଏହାପୂର୍ବରୁ ଶୁକ୍ରବାର ମଧ୍ୟ ଟିଏମସି କାର୍ଯ୍ୟାଳୟ ପଛରେ ନିର୍ମିତ ଏକ ଘରୁ ୨୦ଟି ବୋମା ଜବତ କରାଯାଇଥିଲା ।

ଭୁବନେଶ୍ୱର,୧୭/୬(NFID ବ୍ୟୁରୋ): ଆଜି ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପରେ ବିଜେଡି ନେତ୍ରୀ ...
18/06/2023

ଭୁବନେଶ୍ୱର,୧୭/୬(NFID ବ୍ୟୁରୋ): ଆଜି ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହାର ଜବାବ ରଖିଛନ୍ତି। ଗଣମାଧ୍ୟମର ପ୍ରତିନିଧିଙ୍କୁ ଶ୍ରୀମୟୀ କହିଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଭାବେ ଦାଇତ୍ୱ ଦେବାପରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କ ନିଦ ହଜି ଯାଇଛି | ଯାହାଫଳରେ ସେ କେବଳ ଗୁରୁତ୍ୱହୀନ ପ୍ରସଙ୍ଗ ଉଠାଇ ବିବାଦ ସୃଷ୍ଟି କରୁଛନ୍ତି। ସେ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଦେଖି ଭୟଭୀତ ହୋଇପଡ଼ିଛନ୍ତି। ବିକାଶମୂଳକ କାର୍ଯ୍ୟ କାହିଁକି ଅପରଜିତାଙ୍କୁ ପସନ୍ଦ ଆସୁନି ବୋଲି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି।

ଅପରାଜିତା ଷଡ଼ଙ୍ଗୀ ଯେବେଠାରୁ ଚାକିରି ଛାଡି ରାଜନୀତିରେ ସାମିଲ ହୋଇଛନ୍ତି, ସେହିଦିନଠାରୁ ସେ ଜଣେ ରାଜନୈତିକ ବ୍ୟକ୍ତିତ୍ୱ। ହେଲେ ଆଶ୍ଚର୍ଯ୍ୟର କଥା, ସେ ତାଙ୍କ ବ୍ୟୁରୋକ୍ରାଟିକ୍ ମାଇଣ୍ଡସେଟରୁ ବାହାରିପାରିନାହାଁନ୍ତି। ଲୋକଙ୍କ ବିକାଶ ପାଇଁ କାମ କରିବା ହେଉଛି ଜଣେ ରାଜନୈତିକ ଲୋକଙ୍କ ମୁଖ୍ୟ ଏଜେଣ୍ଡା। ହସ୍ପିଟାଲରେ ପହଞ୍ଚି ଲୋକଙ୍କ ଦୁଃଖ ବୁଝିବା କେଉଁଠି ଭୁଲ ରହିଲା? ପ୍ରକଳ୍ପକୁ ତୁରନ୍ତ ମଞ୍ଜୁରୀ ଦେଇ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ ଶେଷ କରିବାରେ ଭୁଲ କେଉଁଠି ରହିଲା ବୋଲି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସାଂସଦ ଦେଇଥିବା ପ୍ରତିଶ୍ରୁତି କୁଆଡେ ଗଲା? କ୍ୟାପିଟାଲ ରିଙ୍ଗ୍ ରୋଡ୍, ମଡେଲ ରେଲୱେ ଷ୍ଟେସନ୍, କୋଷ୍ଟାଲ ହାଇୱେ ଭଳି ପ୍ରକଳ୍ପ କେବଳ କାଗଜ କଲମରେ ସୀମିତ ରହିଯାଇଛି।

ସୂଚନାଯୋଗ୍ୟ, ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ନାଁ ନନେଇ ଆଜି ରାଜ୍ୟ ସରକାରଙ୍କ ସଚିବଙ୍କୁ ଟାର୍ଗେଟ କରିଥିଲେ। ରାଜ୍ୟରେ ଶାସନ ବ୍ୟବସ୍ଥା ହାଇଜାକ ହୋଇଯାଇଛି। ରୁଲ୍ ବୁକର ଉଲ୍ଲଙ୍ଘନ କରି ସଚିବ ଜନସଭା କରୁଛନ୍ତି। ଉନ୍ନୟନ ପ୍ରକଳ୍ପର ଘୋଷଣା କରୁଛନ୍ତି । ସଚିବ ପହଞ୍ଚିବା ପୂର୍ବରୁ ନିର୍ବାଚିତ ଜନପ୍ରତିନିଧି ତାଙ୍କ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି ବୋଲି କହିଥିଲେ। ଆହୁରି ମଧ୍ୟ ସେ କହିଥିଲେ ଯେ, ଆମ ଓଡ଼ିଶାରେ ନିର୍ବାଚିତ ଜନ ପ୍ରତିନିଧିମାନେ ନେତୃତ୍ୱ ନେଉଛନ୍ତି ନା ସମ୍ପୂର୍ଣ ଶାସନ ବ୍ୟବସ୍ଥା ନିର୍ଦ୍ଧିଷ୍ଟ ଅଧିକାରୀଙ୍କ ଦ୍ୱାରା ହରଣ ହୋଇ ସାରିଛି? ମାନ୍ୟବର ମୁଖ୍ୟମନ୍ତ୍ରୀ କଣ ଜଣେ ନିମ୍ନପଦସ୍ଥ ସଚିବ ସ୍ତରର ଅଧିକାରୀଙ୍କୁ ରାଜ୍ୟସାରା ବୁଲି ବୁଲି ପ୍ରକଳ୍ପ ଏବଂ ଯୋଜନା ଘୋଷଣା କରିବା ପାଇଁ ବିଧିବଦ୍ଧ ଭାବେ ଅଧିକାର ପ୍ରଦାନ କରିଛନ୍ତି କି? ଏହି କାର୍ଯ୍ୟକ୍ରମରେ ସମସ୍ତ ନିର୍ବାଚିତ ଲୋକ ପ୍ରତିନିଧି ବିଧାୟକ, ସାଂସଦ ଏବଂ ମନ୍ତ୍ରୀଙ୍କୁ ଅଣଦେଖା କରିବା କିମ୍ବା ଅନୁପସ୍ଥିତ ରହିବା ପାଇଁ ନିର୍ଦେଶ ଦିଆଯାଇଛି କି? କେତକ ସ୍ଥାନରେ ନିର୍ବାଚିତ ସାଂସଦ, ବିଧାୟକମାନଙ୍କୁ ଫୁଲତୋଡ଼ା ଧରି ନିମ୍ନପଦସ୍ଥ ସରକାରୀ ସଚିବ ସ୍ତରର ଅଧିକାରୀଙ୍କୁ ସ୍ୱାଗତ କରିବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଛନ୍ତି କି ?

Address

At/po/Udar
Balangir
767067

Telephone

+919556342224

Website

Alerts

Be the first to know and let us send you an email when NFID TV posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to NFID TV:

Videos

Share


Other News & Media Websites in Balangir

Show All