08/11/2022
ଆ କା ମା ବୈ ......
ଡଙ୍ଗା ଭସାଣି ଏକ ମହାନ ଉତ୍କଳୀୟ ପରମ୍ପରା । କାର୍ତ୍ତିକ ପୂର୍ଣ୍ଣମୀର ପୂର୍ବ ପାହାନ୍ତା ପ୍ରହରରେ ଏହି ଉତ୍ସବ ପ୍ରତି ପୁରପଲ୍ଲୀରେ ପାଳିତ ହୁଏ । ଲୋକମାନେ ପ୍ରବହମାନ ନଦୀ, ସାଗର ତଥା ଜଳାଶୟରେ କଦଳୀ ପଟୁକାରେ ଡଙ୍ଗା ତିଆରି ସେଥିରେ ପାନ ଗୁଆ ଫୁଲ ଦୁବ ରାଶି ଧାନ ଯଅ ବିରି ଆଦି ଶସ୍ୟ ରଖି ଏକ କାଠି ବଳିତା ଜଳାଇ ଧର୍ମ ଏବଂ ଗଙ୍ଗା ମାତାଙ୍କୁ ପୂଜା କରି ଲୋକ କଲ୍ୟାଣ ନିମନ୍ତେ ପ୍ରାର୍ଥନା କରି ଭସାଇ ଥାଆନ୍ତି । ଶୀତଦିନେ ନଦୀର ଜଳସ୍ତର କମିଯାଏ, ତେଣୁ ଗୋ ଆଦି ପଶୁ ପକ୍ଷୀଙ୍କର ଖାଦ୍ୟ ଅଭାବ ଦୂର କରିବା ପାଇଁ ଏହା ହେଉଛି ଆମ ପୂର୍ବଜମାନଙ୍କ ଦ୍ବାରା ପରମ୍ପରା ରୂପ ଦିଆ ଯାଇଥିବା ଏକ ଉତ୍ତମ ଵ୍ୟଵସ୍ଥା । କଦଳୀ ପଟୁକା ହେଉଛି ଏକ ଜୈବ ପଦାର୍ଥ, ଏହା ସହଜରେ ପାଣିରେ ଭାସମାନ ହୋଇ ବହୁତ ଦୂରପର୍ଯ୍ୟନ୍ତ ଯାଇପାରେ ଏବଂ ମାଟିରେ ମଧ୍ୟ ଶୀଘ୍ର ମିଶିଯାଏ । କାଠି ବଳିତାର ଉତ୍ତାପରେ ଶସ୍ୟ ସବୁ ଉଷ୍ଣତା ପ୍ରାପ୍ତ ହୁଏ, ଡଙ୍ଗାଟି କୁଳରେ ଲାଗି ମାଟିରେ ମିଶିବା କ୍ଷଣି ତହିଁରେ ଥିବା ଶସ୍ୟ ଶିଘ୍ର ଗଜା ହୋଇ ଗଛ ହୋଇପାରିଥାଏ । କିଛି ଶସ୍ୟ ସିଧା ସଳଖ ମାଛ ଆଦି ଜଳଜୀବଙ୍କର ଖାଦ୍ୟ ହୁଏ ଆଉ କିଛି ମାଟିରେ ପଡି ତହିଁରୁ ଗଛ ହୁଏ । ଯଦ୍ବାରା ପଶୁମାନେ ଶୁଷ୍କ ନଦୀ ପୁଷ୍କରିଣୀର ପଠାରୁ ଏହାର ସବୁଜ ପତ୍ରକୁ ଖାଇ ଶୀତଦିନେ ମଧ୍ଯ ଉତ୍ତମ ସ୍ବାସ୍ଥ୍ୟ ଲାଭ କରନ୍ତି । ଗୋ ମହିଷାଦିଙ୍କ କ୍ଷୀର ପ୍ରଦାନରେ ଅନିୟମିତତା ଦୂର ହୁଏ, ଆମ ପିଲାମାନଙ୍କୁ ଏହି ପ୍ରାକୃତିକ ଗୋ-ଦୁଗ୍ଧରୁ ଭରପୁର ପୁଷ୍ଟିସାର ମିଳିଥାଏ । ଭୂମିରେ ଫାଟ ନହୋଇ ଧରିତ୍ରୀ ଶସ୍ୟଶ୍ୟାମଳ ଓ ମନୋହର ଦିଶେ । ବିଭିନ୍ନ ନଦୀ କୂଳରେ ଭିନ୍ନ ଭିନ୍ନ ଜନଜାତି ବସବାସ କରନ୍ତି । ପ୍ରବହମାନ ସ୍ରୋତ ଏହି ବୀଜକୁ ପବନର ସହାୟତାରେ ବୋହି ନେଇ ନଦୀ କୂଳରେ ପହଞ୍ଚାଇ ଦିଏ । ଶୀତଦିନର କାକର ବିନ୍ଦୁ ଏବଂ ମାଟିର ଉର୍ବରତା ପାଇ ଶସ୍ୟ ସବୁ ଗଛରେ ପରିଣତ ହୁଅନ୍ତି । ସେଠାରେ ଲୋକମାନେ ଏହି ଶସ୍ୟରୁ ଗଛ ହେଲେ ତାହାର ଯତ୍ନ ନେଇଥାଆନ୍ତି ଓ ଖରାଦିନ ସରିବା ବେଳକୁ ସେହି ଗଛ ସବୁରେ ଫଳ ହେଲେ ତାହା ସେମାନଙ୍କର ଖାଦ୍ୟ ଶସ୍ୟର ଅଭାବ ଦୂର କରେ । ଏପରି ଭାବରେ ଆମେ ଏହି କାର୍ତ୍ତିକ ମାସରେ କେବଳ ଯେ ଏକ ଡଙ୍ଗା ଭସାଉ ତାହା ନୁହେଁ ବରଂ ପରସ୍ପରକୁ ସାହାଯ୍ଯ ସହଯୋଗର ଏକ ଉଷ୍ଣ ଅନୁଭବ ପ୍ରେରଣ କରିଥାଉ । କଥାରେ ଅଛି 'ପରୋପକାରାୟ ସ୍ବର୍ଗାୟ', ଅନ୍ୟମାନଙ୍କୁ ଆମେ ପହଞ୍ଚାଉଥିବା ବା ଅନ୍ଯମାନଙ୍କଠାରୁ ଆମକୁ ପ୍ରାପ୍ତ ହେଉଥିବା ଏହି ସହଯୋଗରେ ସମସ୍ତଙ୍କର ନାମ ମଧ୍ୟ ଉହ୍ୟ ରହିଥାଏ, ଯଦ୍ବାରା ଦାତା ଓ ଗ୍ରହୀତା ମଧ୍ଯରେ ଶ୍ରେଷ୍ଠ କିମ୍ବା ନ୍ୟୁନ ଭାବନା ମଧ୍ଯ ଆସେନାହିଁ । ପାନ ଓ ଗୁଆ ସୁସମ୍ପର୍କ ସ୍ଥାପନର ଏକ ଶୁଭ ଦ୍ରବ୍ୟ ଭାବରେ ମାନ୍ୟତା ପାଏ । ତେଣୁ ଏହି ଡଙ୍ଗାରେ ଉତ୍ତମ ସମ୍ପର୍କ ସ୍ଥାପନର ଚିହ୍ନ ସ୍ବରୂପ ଆମେ ପାନ ଗୁଆ ରଖିଥାଉ । ପାରସ୍ପରିକ ସହୋଯୋଗ ଓ ସହୃଦୟତାର ଏହା ଏକ ସୁନ୍ଦର ତଥା ସୁବ୍ୟବସ୍ଥିତ ପରିକଳ୍ପନା ।
🙏