04/11/2023
ମୁଁ ତମରି ଭିତରେ ଥାଏ !
------ନିରଞ୍ଜନ ସେଠୀ
ବିରହ ରାଗିଣୀ ଅନ୍ତଃ ସ୍ୱରୂପିଣୀ
ପଲ୍ଲବିତ ପାଟରାଣୀ
ଝଙ୍କୃତ ଝୁମୁକା ଗଭା ମଣ୍ଡି ଖୋସା
ଲମ୍ବା କେଶୀ ଫୁଲ ବେଣୀ !
ମହ୍ଲାର ମୋଦେ ମହକେ ସୁଷମା
ମୃଦୁ ମୃଦୁ ଚାଲି ଠାଣି
ନିଦୁଆ ସଞ୍ଜରେ ଅନ୍ଧାର ଘୋଡଣି
ଖୋଜଇ ପରସ ମୁଣି !
ଜହ୍ନ ରାଇଜରେ ତାରାଙ୍କ ରୋଷଣି
ଝୋଟି ଆଙ୍କେ ଭୂଇଁ ପରେ
ସପନ ବୁଣଇ ଚିତ୍ର ଲେଖା ଛବି
ଆଖିର କଜ୍ଜଳ ଗାରେ !
ମନ ମଶାଣିରେ ଘାସ ଫୁଲ ଲାଗେ
ଶୀତଳ ତନ୍ଦ୍ରମା ତରୁ
ଆଭାରେ ଆବୃତ ଅଲୋଡ଼ା ପରାଣ
ଦିଶେ ଯେହ୍ନେ ମହା ମେରୁ !
ଅସୀମ ଆକାଶେ ଚାହିଁ କାଶତଣ୍ଡୀ
ଅଣ୍ଟା ଦୋହଲେଇ ନାଚେ
ଅଶ୍ରୁଳ ନୟନେ ଅସରନ୍ତି ଦୁଃଖ
ମୁହଁକୁ ଲୁଚେଇ ବଞ୍ଚେ !
ଅଳସୀ କନ୍ୟା ଅଳସ ତୁଟାଏ
ତଟରେ ତଟିନୀ ସାଜି
ମଲା ଜହ୍ନକାନ୍ତି ଚହଟି ଦିଶଇ
ଅନ୍ଧାର ସୁଷମା ଭାଜି !
ଆହାଃ କି ସୁନ୍ଦର ତରୁ ଦୁର୍ବାଦଳ
ଦୈହିକ କାମନା ବେଣୁ
ଗୁଣୁଗୁଣୁ ତାନେ ଗୁମୁରି ଗୁମୁରି
ବୁଣି ଦିଏ ସୁଧା ରେଣୁ !
ଅସରନ୍ତି ଦୁଃଖ କାମନା ବାସନା
ମରୁପ୍ରାନ୍ତେ ମରିଯାଏ
ମୁଁ ନଥାଇ ମୋ ନିଜର ଭିତରେ
ତମରି ଭିତରେ ଥାଏ !
ମୁଁ ତମରି ଭିତରେ ଥାଏ !
------------=--