12/09/2024
ଆଶାର ପବିତ୍ର ତରଣୀ; ସାଇଙ୍କ ଏକାଦଶ ବାଣୀ
ସାଇବାବାଙ୍କର ଗ୍ରନ୍ଥ ଶ୍ରୀସାଇ ସତ୍ଚରିତ, ସାଇ ଆରତୀ ଏବଂ ଶ୍ରୀସାଇନାଥ ସ୍ତବନ ମଞ୍ଜରୀ ଯେପରି ଭକ୍ତମାନଙ୍କ ମଧ୍ୟରେ ପ୍ରସିଦ୍ଧ, ସେହିପରି ତାଙ୍କର ଏକାଦଶ ବାଣୀ । ଚିର ଦେଦୀପ୍ୟମାନ, ଅମୂଲ୍ୟ ଏହି ବାଣୀ ସଂସାର ସାଗରରେ ଉବୁଟୁବୁ ହେଉଥିବା ଭକ୍ତ ମଧ୍ୟରେ ସଞ୍ଚାର କରେ ନୂତନ ଆଶାର ଆଲୋକ । ମନରେ ଆଣିଦିଏ ଅଦ୍ଭୁତ ଆନନ୍ଦ, ଆସ୍ଥା ଏବଂ ବିଶ୍ୱାସ ।
ଶ୍ରୀସାଇବାବାଙ୍କର ବାଣୀ ସର୍ବଦା ସଂକ୍ଷିପ୍ତ ଓ ଗୂଢ଼ ଥିଲା । ସେ କେବେ ଲମ୍ବା ପ୍ରବଚନ ଦେଉନଥିଲେ । ଯାହା କିଛି କହୁଥିଲେ ଦୁଇ ଚାରିଟି ବାକ୍ୟରେ ତାଙ୍କର ବକ୍ତବ୍ୟ ସୀମିତ ରହୁଥିଲା । ମାତ୍ର ଏହାର ଅର୍ଥ ଗହନ ଓ ବ୍ୟାପକ ଥିଲା ।
ଏମିତି ଅନେକ ଭକ୍ତ ଅଛନ୍ତି ଯେଉଁମାନେ ବାବାଙ୍କର ଆରତୀ ଓ ଏକାଦଶ ବାଣୀକୁ ପ୍ରତିଦିନ ଗାୟନ ଓ ପଠନ କରିଥାନ୍ତି । କେବଳ ମନ୍ଦିରରେ ନୁହେଁ, ଯେଉଁଠାରେ ଥିଲେ ମଧ୍ୟ କିଛି ଭକ୍ତ ବାବାଙ୍କର ଆରତୀ ନିର୍ଦ୍ଧାରିତ ସମୟରେ ଗାୟନ କରିଥାନ୍ତି । ଗାଡ଼ି ଚଳାଉଥିବାବେଳେ, ରାସ୍ତାରେ ଗଲାବେଳେ ବା କର୍ମକ୍ଷେତ୍ରରେ ମନେ ମନେ ସେମାନେ ଆରତୀ ଗାୟନ କରୁଥିବା ମୁଁ ଦେଖିଛି । ସେମାନଙ୍କ ଭିତରୁ କିଛି ଭକ୍ତ ଅସମ୍ଭବ ଓ ଅପ୍ରତ୍ୟାଶିତ ଭାବରେ ବାବାଙ୍କର କୃପା ଲାଭ କରି ଭାଗ୍ୟ ବଦଳାଇ ଦେଇପାରିଥିବା ଦେଖିବାକୁ ମିଳିଛି ।
ବିନି ଚିତ୍ଲୁରି ନାମକ ଜଣେ ଭକ୍ତ ଯିଏକି ଆମେରିକାରୁ ଡାକ୍ତର ପେଶାରୁ ଆସି ଶିରିଡ଼ିରେ ସ୍ଥାୟୀ ବସବାସ କଲେ, ସେ ଦୀର୍ଘ ଷାଠିଏ ବର୍ଷ ଧରି ନିୟମିତ ଏକାଦଶ ବାଣୀ ପାଠ କରୁଥିôବା କହିଛନ୍ତି । ସେ ଏପରି ଅଧ୍ୟବସାୟ କାହିଁକି କରୁଥିଲେ ଏବଂ ତାର ଫଳ ତାଙ୍କୁ କିପରି ପ୍ରାପ୍ତ ହେଲା ତାହା ସେ ନିଜେ ଜାଣିଥିବେ । ତେବେ ଏହା ଯେ ତାଙ୍କ ହୃଦୟରେ ଏକ ଅଦ୍ଭୁତ ଆସ୍ଥା ଓ ବିଶ୍ୱାସ ସୃଷ୍ଟି କରିଥିବ ଏଥିରେ ସନେ୍ଦହ ନାହିଁ । କେବଳ ବିନି ଚିତ୍ଲୁରି ନୁହନ୍ତି, ସେହିପରି କୋଟି କୋଟି ଭକ୍ତ ବିଭିନ୍ନ ଉପାୟରେ ବାବାଙ୍କର କୃପା ଲାଭ କରିଥିବା ନଜିର ରହିଛି ।
ଏହି ଆଲେଖ୍ୟରେ ବାବାଙ୍କର ଏକାଦଶ ବାଣୀ ବିଷୟରେ ଆଲୋଚନା କରିବା । ମହାରାଷ୍ଟ୍ରରେ ଏହା ବାବାଙ୍କର ‘ଅକ୍ରା ବଚନେ’ ନାମରେ ପ୍ରସିଦ୍ଧ । ଅକ୍ରାର ଅର୍ଥ ଏଗାର । ମହାରାଷ୍ଟ୍ରର ଲୋକମାନେ ଏହାକୁ ବଡ଼ ଆନନ୍ଦ ଓ ଆଗ୍ରହ ସହକାରେ ପାଠ କରିଥାନ୍ତି । ଶିରିଡ଼ିର ସମାଧି ମନ୍ଦିରରେ ପ୍ରତ୍ୟହ କାକଡ଼ ଆରତି ଓ ସନ୍ଧ୍ୟା ଆରତି ପରେ ତଥା ଦିନର ବିଭିନ୍ନ ସମୟରେ ଏହା ଗାୟନ(ପ୍ଲେ) ହୋଇଥାଏ । ଶିରିଡ଼ିରେ ମରାଠି ଭାଷାରେ ଏହାର ଗାୟନ ହେଉଥିବାବେଳେ ଅନ୍ୟ ଭାଷାଭାଷୀ ଲୋକମାନେ ଏହାକୁ ସହଜରେ ବୁଝିବା ସମ୍ଭବ ହୁଏ ନାହିଁ । ଯଦିଓ ବାବାଙ୍କ ଆରତୀ ପୁସ୍ତକ, ଗୁରୁବାର ବ୍ରତ ବହି ଏବଂ ସତ୍ଚରିତ ଗ୍ରନ୍ଥ ଇତ୍ୟାଦିରେ ଏହି ଏକାଦଶ ବାଣୀ ସ୍ଥାନ ପାଇଥାଏ କିନ୍ତୁ ଲୋକମାନେ ଏହା ଉପରେ ବିଶେଷ ଦୃଷ୍ଟିପାତ କରିଥିବା ପରି ମନେ ହୁଏ ନାହିଁ । ସୁତରାଂ ଓଡ଼ିଶାର ସାଇଭକ୍ତମାନଙ୍କ ପାଇଁ ଏହି ଏକାଦଶ ବାଣୀର ମହିମା ଓ ମର୍ମାର୍ଥ ଉପରେ ଏହି ବିଶେଷ ଆଲେଖ୍ୟ ପ୍ରସ୍ତୁତ କରାଯାଇଛି । ଏହା ଧାରାବାହିକ କ୍ରମରେ ପ୍ରକାଶ କରାଯିବ ।
ତେବେ ଆଲୋଚନାକୁ ଯିବା ପୂର୍ବରୁ ପ୍ରଥମେ ଦେଖିବା ଏହି ଏକାଦଶ ବାଣୀ କ’ଣ ଓ କିପରି ରଚନା ହେଲା । ବାବାଙ୍କର ଉକ୍ତି ସ୍ୱରୂପ ଏଗାରଟି ବାଣୀ ଏଥିରେ ସ୍ଥାନ ପାଇଛି, ଯାହା ଭକ୍ତ ଓ ପାଠକ ମନରେ ଅଦ୍ଭୁତ ପ୍ରତ୍ୟୟ ଆଣିଦିଏ । ବାବାଙ୍କର ସମସାମୟିକ ଜଣେ ଭକ୍ତ କେଶବ ମୋହିନୀରାଜ ପଣ୍ଡିତ ହେଉଛନ୍ତି ଏହାର ସଂକଳକ । ବାବାଙ୍କ ଆରତୀରେ ସ୍ଥାନ ପାଇଥିବା ନମସ୍କାରାଷ୍କକ (ଅନନ୍ତା ତୁଲାତେ କସେରେ ସ୍ତବାୱେ) ମଧ୍ୟ ତାଙ୍କ ଦ୍ୱାରା ରଚିତ । ସେ ଜଣେ ସରକାରୀ ଅଧିକାରୀ ଥିଲେ । ମାଲେଗାଓଁ, ନାସିକ ପ୍ରଭୃତି ସ୍ଥାନରେ ମାମଲତଦାର ଭାବରେ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ । ତେବେ ଏହି ‘ଅକ୍ରା ବଚନ’ ବା ଏକାଦଶ ବାଣୀ ସେ କେବେ ରଚନା କରିଥିଲେ ତାହା ସଠିକ୍ ଜଣାପଡ଼ୁନାହିଁ । ବାବାଙ୍କ ସମ୍ମତି ମଧ୍ୟ ଏହା ପଛରେ ଥିଲା କି ନାହିଁ ତାହା ବି ଜଣାନାହିଁ । ତେବେ ସମ୍ଭବତଃ ୧୯୨୩ ପରେ ଏହା ରଚନା ହୋଇଥିବା ଅନୁମାନ କରାଯାଉଛି । କାରଣ ଏଥିରେ ଯାହା ଉଲ୍ଲେଖ କରାଯାଇଛି ତାହା ସାଇ ସତ୍ଚରିତକୁ ଆଧାର କରି ହିଁ ଲେଖାହୋଇଥିବା ବିଶ୍ୱାସ କରାଯାଉଛି ।
ଏବେ ଏହି ଏକାଦଶ ବାଣୀର ମର୍ମାର୍ଥ ଆଲୋଚନା କରିବା । ପ୍ରଥମ ବାଣୀଟି ହେଉଛି ଶିରିଡ଼ି ମାଟିରେ ପାଦ ଦେବା ମାତ୍ରେ ତୁମର ସମସ୍ତ ଦୁଃଖ ଓ କ୍ଲେଶର ଅନ୍ତ ଘଟିବ । ଏହାର ଅର୍ଥ କ’ଣ? ଏକଥା କ’ଣ ବାବା ସ୍ୱୟଂ କହିଛନ୍ତି... ନା ମୋହିନୀରାଜ ଏହାକୁ ଉଲ୍ଲେଖ କରିଛନ୍ତି । ମୋହିନୀରାଜ ବାବାଙ୍କର ଜୀବଦ୍ଦଶାରେ ତାଙ୍କର ସାନ୍ନିଧ୍ୟ ଲାଭ କରିଥିଲେ ଏବଂ ସେତେବେଳର ଘଟଣା ସବୁକୁ ସ୍ୱଚକ୍ଷୁରେ ଦେଖିବାର ସୌଭାଗ୍ୟ ଲାଭ କରିଥିଲେ । ଶିରିଡ଼ିକୁ ଆସୁଥିବା ଭକ୍ତମାନେ କିଭଳି ଆସନ୍ନ ବିପଦ ଓ ଦୁଃଖକଷ୍ଟରୁ ମୁକ୍ତ ହେଉଥିଲେ ସେକଥା ଦେଖି ସେ ଏହା ଉଲ୍ଲେଖ କରିଛନ୍ତି କି? ବାବାଙ୍କର ଜୀବନୀ ଗ୍ରନ୍ଥ ଶ୍ରୀସାଇ ସତ୍ଚରିତକୁ ଅଧ୍ୟୟନ କଲେ ଶିରିଡ଼ି ମାଟିର ପବିତ୍ରତା ସମ୍ପର୍କରେ ଉଲ୍ଲେଖ ହୋଇଛି । ତେବେ ଏହି ଉକ୍ତିର ମର୍ମ ସମ୍ପର୍କରେ ଆଲୋଚନା କଲେ କେତେକ ପ୍ରଶ୍ନ ସ୍ୱତଃ ମନ ଭିତରେ ଆସୁଛି ।
ଆପଣ ଯେତେବେଳେ କୌଣସି ତୀର୍ଥାଟନରେ ଯାଉଛନ୍ତି, ସେଠାର ଅଧିଷ୍ଠାତା ଦେବତା ବା ଦେବୀଙ୍କର ଆରାଧନା କରିବା, ତାଙ୍କର ଚରଣରେ ମଥାନତ କରିବା ସ୍ୱାଭାବିକ କଥା । କାରଣ ସେହି ଦେବୀ ବା ଦେବତାଙ୍କର ଚରଣ ରଜରେ ସେହି ସ୍ଥାନ ପାବନ ହୋଇଯାଇଥାଏ, ତାର ପରିବେଶ ଏକ ଆଧ୍ୟାତ୍ମିକ ଓ ଦିବ୍ୟଭାବରେ ସ୍ପନ୍ଦିତ ହେଉଥାଏ । କିନ୍ତୁ ଆମପରି ଯେଉଁ ସାଧାରଣ ଲୋକମାନେ ଯାଇଥାଉ ଆମର କିଛି ସାମର୍ଥ୍ୟ ଅଛି କି? ଅଧିକାଂଶ ଲୋକ କିଛି ନା କିଛି ଉଦେ୍ଦଶ୍ୟ ରଖି ଶିରିଡ଼ି ଯାଇଥାନ୍ତି । ପ୍ରକୃତରେ ଦେଖିଲେ ଅଳ୍ପ କିଛି ମାତ୍ର ଭକ୍ତ ବିନା କୌଣସି ଉଦେ୍ଦଶ୍ୟରେ ଶିରିଡ଼ି ଯାତ୍ରା କରିଥାନ୍ତି । “ବାବା, ଆପଣଙ୍କ କୃପାରୁ ମୁଁ ଭଲରେ ଅଛି । ଆପଣ ଯାହା ଦେଇଛନ୍ତି, ସେଥିରେ ମୁଁ ସନ୍ତୁଷ୍ଟ । ଆପଣଙ୍କର କୁଶଳାଦି ପଚାରିବାକୁ ଆସିଛି । କାରଣ ହଜାର ହଜାର ଭକ୍ତ ପ୍ରତି ମୁହୂର୍ତ୍ତରେ ଆପଣଙ୍କୁ ପାଖକୁ ଆସି ଆପଣଙ୍କର ଅନୁଗ୍ରହ କାମନା କରୁଥିବେ । ଯେମିତି ମୁଁ କିଛି ବର୍ଷ ତଳେ କରୁଥିଲି ।’- ଏମିତି କିଏ କହୁଥିବେ କି! ଏମାନଙ୍କ ସଂଖ୍ୟା କେତେ ହେବ!!
ଏବେ ଏକାଦଶ ବାଣୀର ପ୍ରଥମ ବାଣୀଟିକୁ ମରାଠି ଭାଷାରେ ଯେପରି ଉଲ୍ଲେଖ କରାଯାଇଛି ତାକୁ ଉଦ୍ଧାର କରିବା:-
ଶିରିଡ଼ିସା ଜ୍ୟାଚେ ଲଗଥିଲ ପୟା
ତଲାଥି ଅପୟା ସର୍ବ ଥ୍ୟାଚେ ।
ଏଠାରେ ‘ଲଗଥିଲ ପୟା’ର ଅର୍ଥ ହେଉଛି ସେହି ପବିତ୍ର ଭୂମିରେ ପାଦ ଦେବା ମାତ୍ରେ, ବା ସେହି ମାଟିକୁ ପାଦ ସ୍ପର୍ଶ କରିବା ମାତ୍ରେ..... ଏହାର ଗୂଢ଼ାର୍ଥକୁ ଯଦି ଆଲୋଚନା କରାଯାଏ ତାହେଲେ କୁହାଯାଇପାରିବ ଭକ୍ତର ଆତ୍ମା ଜାଗ୍ରତ ହୋଇ ଉଠେ, ଠିକ୍ ଓ ଭୁଲ୍ର ସଂକେତ ମିଳିଯାଏ ଏବଂ ତାପରେ କେଉଁ ମାର୍ଗ ଅନୁସରଣ କରିବା ଉଚିତ ସେ ସମ୍ପର୍କରେ ଜଣେ ସଚେତନ ହୋଇଯାଏ । ଅନ୍ୟଥା ଜଣେ ଯଦି କେବଳ ବ୍ୟାଗପତ୍ର ଧରି ଶିରିଡ଼ି ପହଞ୍ଚିଯାଏ ତାର ସବୁ ବିପଦ ଟଳିଯିବ କି? ଭଗବାନ ବା ସାଇନାଥ ପ୍ରଭୁଙ୍କର କୃପା ଲାଭ କରିବା ପାଇଁ ନିଜର ଆଚାର ବ୍ୟବହାର ଠିକ୍ ନକରି ଆମେ ଏହା ଆଶା କରିବା ଯଥାର୍ଥ କି?
ଉଦାହରଣ ସ୍ୱରୂପ ବିନି ଚିତ୍ଲୁରି ଏଠାରେ ତାଙ୍କର ନିଜର ଅନୁଭୂତି ବର୍ଣ୍ଣନା କରିଛନ୍ତି । ଡାକ୍ତର ଚାକିରୀରୁ ଅବସର ଗ୍ରହଣ କରିବା ପରେ ୧୯୯୪ରେ ମୁଁ ଭାରତ ଫେରିବାକୁ ସ୍ଥିର କଲି । ତେବେ ଅବଶିଷ୍ଟ ଜୀବନ କେଉଁଠି କଟେଇବି ଜାଣିପାରୁନଥିଲି । ଶିରିଡ଼ିରେ ରହିବାକୁ ମୋର ଇଛା ଥିଲା, କିନ୍ତୁ ତାହା ସମ୍ପୂର୍ଣ୍ଣ ଭାବରେ ବାବାଙ୍କ ଉପରେ ନିର୍ଭର କରୁଥିଲା । ମୋର ପରିବାର ଲୋକେ ଓ ବନ୍ଧୁବାନ୍ଧବମାନଙ୍କର ପ୍ରତିକ୍ରିୟା ଦେଖି ମୁଁ ଆଶ୍ଚର୍ଯ୍ୟାନ୍ୱିତ ହେଲି । ମୋର ମାଆ, ଯିଏକି ବାବାଙ୍କ ପ୍ରତି ସମର୍ପିତ ଭକ୍ତ ଥିଲେ ସେଠାରେ ମୋତେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ କହି ବାରଣ କଲେ । ମୋର ବନ୍ଧୁମାନେ ଏକଥା ଶୁଣି ହସିଲେ ଏବଂ ବର୍ଷ ଶେଷ ବେଳକୁ ମୁଁ ଆମେରିକା ଚାଲିଯିବା ନିଶ୍ଚିତ ବୋଲି କହିଲେ । ମୁଁ କିନ୍ତୁ ଶିରିଡ଼ିରେ ରହିବି ବୋଲି ଦୃଢ଼ ନିଷ୍ପତ୍ତି କରିସାରିଥିଲି । ଅବଶ୍ୟ ବାସ୍ତବିକତା ଦୃଷ୍ଟିରୁ ମୋତେ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ମୁଁ ଜାଣୁଥିଲି; କିନ୍ତୁ ମୋର ଆଧ୍ୟାତ୍ମିକ ଜୀବନର ଭବିତବ୍ୟ ମୋତେ ବେଶୀ ଆନେ୍ଦାଳିତ କରୁଥିଲା । ଶିରିଡ଼ିର ପାବନ ଧରାରେ ଚାଲିବା ପାଇଁ ମୁଁ ନିଜକୁ ଯୋଗ୍ୟ କରିବାକୁ ପ୍ରୟାସ କରୁଥିଲି । ତେଣୁ ୧୯୯୫ ବର୍ଷଟି ମୁଁ କିଛି ସାଧନାରେ କଟାଇବାକୁ ମନ କଲି । ମୁଁ ସ୍ଥିର କଲି ୧ ଲକ୍ଷ ୨୫ ହଜାର ଥର ପ୍ରଦକ୍ଷିଣ କରିବି । ଏହାସହ ସାଇ ସତ୍ଚରିତ ସାପ୍ତାହିକ ପାରାୟଣ (ନଅ ଥର) ଏବଂ ନାମ ଜପ କରିବି । ପ୍ରଦକ୍ଷିଣ ସାରିବାକୁ ମୋତେ ନଅ ମାସ ଲାଗିଗଲା । ଶେଯ ଆରତୀ ସରିବା ପରେ ରାତିର ଶାନ୍ତ ସ୍ନିଗ୍ଧ ପରିବେଶରେ ମୁଁ ପ୍ରଦକ୍ଷିଣରେ ବାହାରୁଥିଲି । ଏହି ସମୟରେ ମୋତେ କିଛି ସାଥୀ ମିଳିଗଲେ । ଶ୍ରୀମତୀ ଗୋନ୍ଦକର ମତେ ଗୋଟିଏ ରୁମ୍ ଯୋଗେଇଦେଲେ ଯେହେତୁ ମୋର ଆପାର୍ଟମେଣ୍ଟ କାମ ସରିନଥିଲା । ଆହୁରି ମଧ୍ୟ ମୋ ପାଇଁ ଭୋଜନ ବ୍ୟବସ୍ଥା କରିଦେଲେ ଏବଂ ମୋତେ ଯେପରି କେହି ହଇରାଣ କରିବେ ନାହିଁ ସେଥିପାଇଁ ତାଙ୍କ ହୋଟେଲର କର୍ମଚାରୀମାନଙ୍କୁ ତାଗିଦ୍ କଲେ । ସେମାନେ ମୋର ଖଟ ପାଖରେ ଖାଇବା ଥାଳି ରଖି ଚାଲିଯାଉଥିଲେ ଯେପରି ନିଦରୁ ଉଠିଲେ ମୁଁ ତାକୁ ଖାଇପାରିବି । କିଛିଦିନ ପରେ ମୁଁ ଜରିନେ(ମୂଳ ସାଇ ସତ୍ଚରିତ ଗ୍ରନ୍ଥର ଇଂରାଜୀ ଅନୁବାଦକ)ଙ୍କ ସହ ରହିଲି । ଶିବନେସନ ସ୍ୱାମୀ ମଧ୍ୟ ସେ ସମୟରେ ଶିରିଡ଼ିରେ ରହୁଥିଲେ । ସେ ସ୍ଥାନୀୟ ପୋଷ୍ଟମାଷ୍ଟରଙ୍କୁ ମୋ ପାଇଁ ଗୋଟିଏ ରୁମ୍ ଯୋଗାଇଦେବାକୁ କହିଲେ ।
ସାଇ ସତ୍ଚରିତ ପାରାୟଣରେ ଦୁଇଜଣ ସାଂଗ ମୋ ସହ ଯୋଗଦେଲେ । ପାରାୟଣ ସରିବା ପରେ ଆମେ ନାମ ଜପ କରୁଥିଲୁ । ଦିନରେ ଅନ୍ତତଃ ପାଞ୍ଚ ହଜାର ନାମ ଜପ କରୁଥିଲୁ । ଏଥିପାଇଁ ପାଞ୍ଚ ହଜାର ଦାନା ଥିବା ମାଳା କିଣିଲୁ । ଏହା ସହ ସବୁ ଆରତୀରେ ଯୋଗଦେଲୁ । ବର୍ଷେ ଧରି ଏହିପରି ଚାଲିଲା, ତାପରେ ମୋ ସାଂଗମାନେ ଚାଲିଗଲେ ।
ମୁଁ ଶିରିଡ଼ିରେ ରହିବାକୁ ଯେତେବେଳେ ସ୍ଥିର କଲି, ଏହା ଦୁଇ ପାଖ ଧାରୁଆ ଖଣ୍ଡା ସଦୃଶ ଥିଲା । କାରଣ ଏଭଳି ଏକ ତୀର୍ଥ ସ୍ଥାନରେ ରହିଲେ ତାର ଉଭୟ ଭଲ ଓ ଭୟଙ୍କର ପ୍ରଭାବର ସାମ୍ନା କରିବାକୁ ପଡ଼ିଥାଏ । ଏଠାରେ ସାମାନ୍ୟ ଭୁଲ ପାଇଁ କଠିନ ଶାସ୍ତିର ସମ୍ମୁଖୀନ ହେବାକୁ ପଡ଼ିଥାଏ ତ ସାମାନ୍ୟ ଭଲ କର୍ମର ବହୁଗୁଣ ଲାଭକାରୀ ପ୍ରଭାବ ହୋଇଥାଏ ।
୧୯୯୬ରେ ମୋର ଆପାର୍ଟମେଣ୍ଟ ସମ୍ପୂର୍ଣ୍ଣ ହୋଇଗଲା ଏବଂ ମୁଁ ସେଠାକୁ ଚାଲିଗଲି । ତେବେ ସେଠାରେ ରହିବା ପରେ ମୋର ଅନୁଭବ ହେଲା ଶିରିଡ଼ିରେ ରହିବା କେତେ କଷ୍ଟକର । ସେତେବେଳେ ପାଣିର ଘୋର ସଂକଟ । ବିଜୁଳି ବାରମ୍ବାର କଟୁଥିଲା । କାମ କରିବା ପାଇଁ ଜଣେ ସହାୟିକା ମିଳିବା ଓ ସେ ନିୟମିତ ଭାବରେ ରହିବା ଆହୁରି କଷ୍ଟସାଧ୍ୟ ଥିଲା । କାରଣ ସେତେବେଳେ ନୂଆ ନୂଆ ହୋଟେଲ ଖୋଲୁଥିବାରୁ ସେମାନେ ସେଠାକୁ ଚାଲିଯାଉଥିଲେ । ଆହୁରି ସବୁଠାରୁ ବଡ଼ ସମସ୍ୟା ଥିଲା ଜଣେ ଭଲ ଡାକ୍ତର ପାଇବା, ଯିଏ ମୋର ଦୀର୍ଘମିଆଦୀ ରୋଗର ନିୟମିତ ଦେଖାଶୁଣା କରିବେ । ମୁଁ ମଧୁମେହ ରୋଗରେ ପୀଡ଼ିତ ଥିଲି । ନିୟମିତ ରକ୍ତ ପରୀକ୍ଷା କରିବା ଓ ଔଷଧ ଆଣିବା ସୁବିଧା ନଥିଲା । ମୋର ଦରଜ କାନ୍ଧ ପାଇଁ ଫିଜିଓଥେରାପିଷ୍ଟ ମିଳିଲେ ନାହିଁ, ଫଳରେ ମତେ ପଚିଶି ମାଇଲ ଦୂର ଲୋନି ଗ୍ରାମକୁ ଯିବାକୁ ପଡ଼ୁଥିଲା । ମୋର ଦରକାରୀ ଗ୍ରୋସରୀ ଯଥା ଓଟ୍ସ ଏବଂ ଅଲିଭ ଅଏଲ ମିଳୁନଥିଲା । ଏହିପରି ସମସ୍ୟା ଭିତରେ ବର୍ଷ ଶେଷବେଳକୁ ମୁଁ ପ୍ରାୟ ଅତିଷ୍ଠ ହୋଇ ଫେରିଯିବା କଥା ଚିନ୍ତା କରୁଥିଲି । ଶରୀର ଏତେ ଭାରାକ୍ରାନ୍ତ ହୋଇଥିଲା ଯେ ଯେତେବେଳେ ମୁଁ ଶୋଉଥିଲି କାଠ ଗଣ୍ଡି ପରି ପଡ଼ିଯାଉଥିଲି । ନିଦ ଭାଙ୍ଗିଲା ବେଳକୁ ଅବଶ୍ୟ ନିକଟବର୍ତ୍ତୀ ମଙ୍ଗଳ କାର୍ଯ୍ୟାଳୟରୁ ଭାସି ଆସୁଥିବା ସୁରଧୁନି ମୋର ଉଦବିଗ୍ନ ମନକୁ ଏକ ପ୍ରକାର ଅଦ୍ଭୁତ ଶାନ୍ତି ପ୍ରଦାନ କରୁଥିଲା । ଏହି ସମୟରେ ଜଣେ ଉପଯୁକ୍ତ ସହାୟିକା ମିଳିଗଲା, ତାପରେ ସବୁ ଠିକ୍ଠାକ୍ ଚାଲିଲା ।
ଏସବୁ ଲେଖିବାର କାରଣ ହେଲା, ସେହି ସମୟରେ ବହୁ ଲୋକ ଶିରିଡ଼ିକୁ ଛୁଟି କଟାଇବା ଭଳି ଆସୁଥିଲେ । ଶିରିଡ଼ି ଏକ ପିକନିକ୍ ସ୍ପଟ କି ବେଳାଭୂମି ନୁହେଁ । ଆହୁରି ମଧ୍ୟ କେତେକ ନବ ଦମ୍ପତି ଓ ଯୁବକ ଯୁବତୀମାନେ ଚଭାଡ଼ି ଓ ଅନ୍ୟାନ୍ୟ ସ୍ଥାନରେ ଯେପରି ବେଶ ପୋଷାକରେ ବୁଲି ଫଟୋ ଉଠାଉଥିଲେ ତାହା ଶୋଭନୀୟ ନଥିଲା । ଏସବୁ ଆଚରଣ ପାଇଁ ଶିରିଡ଼ି ଉପଯୁକ୍ତ ସ୍ଥାନ ନୁହେଁ । ଗୁରୁଙ୍କ କୃପା ଅନୁଗ୍ରହ ପାଇଁ ଜଣକୁ ନିଜକୁ ଯୋଗ୍ୟ କରିବାକୁ ହେବ । କଠିନ ଅଧ୍ୟୟନ ଓ ଗଭୀର ଅଧ୍ୟବସାୟ ଦ୍ୱାରା ଶରୀର ଯେତେବେଳେ ଅସ୍ଥି କଂକାଳସାର ଏବଂ ରକ୍ତ ପାଣି ଭଳି ହୋଇଯିବ ସେତେବେଳେ ଯାଇ ଗୁରୁକୃପା ଲାଭ ହେବ । ତେଣୁ ସେ ପର୍ଯ୍ୟନ୍ତ ଏହି ମାର୍ଗରେ କଠିନ ଯାତ୍ରା ପାଇଁ ଜଣକୁ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ପଡ଼ିବ ।
ମହଲସାପତିଙ୍କ ଦୃଷ୍ଟାନ୍ତରୁ ଆମେ ଏଥିରୁ ବେଶ୍ କିଛି ଶିକ୍ଷା ଲାଭ କରିପାରିବା । ମହଲସାପତିଙ୍କ ବିଷୟରେ କିଛି ଲେଖିବା କଠିନ, କାରଣ ସେ କେବଳ ଜଣେ ଭକ୍ତ ନଥିଲେ, ଜଣେ ସନ୍ଥ ରୂପୀ ଭକ୍ତ ଭାବରେ ବାବାଙ୍କ ଚରଣରେ ପୂର୍ଣ୍ଣ ସମର୍ପିତ ଥିଲେ । ସେ ଖଣ୍ଡୋବା ମନ୍ଦିରର ପୂଜକ ଥିଲେ, ବଡ଼ ନିଷ୍ଠାରେ ଭଗବାନଙ୍କର ସେବା କରୁଥିଲେ । ପ୍ରତିଦିନ ମହଲସାପତି ପୁରାଣ ପାଠ କରୁଥିଲେ । ଜେଜୁରୀକୁ ପ୍ରତିବର୍ଷ ଗୋଦାବରୀରୁ ପବିତ୍ର ଜଳ ନେଇ ପାଲକୀ ଯାତ୍ରାରେ ଯାଉଥିଲେ । କାଶୀରାମ ସିମ୍ପି, ଅପା ଜଗଲେ ଏବଂ ମହଲସପାତି -ଏହି ତିନିଜଣ ସମଭାବାପନ୍ନ ବ୍ୟକ୍ତି ଶିରିଡ଼ିକୁ ଆସୁଥିବା ସାଧୁ ସନ୍ଥମାନଙ୍କର ସେବା ଯନô କରି ଆନନ୍ଦ ଲାଭ କରୁଥିଲେ । ଦେବୀଦାସ, ଜାନକୀଦାସ ଏବଂ ଗଙ୍ଗାଗୀର ମହାରାଜଙ୍କ ଭଳି ସନ୍ଥମାନଙ୍କର ଶିରିଡ଼ି ରହଣି ସମୟରେ ଏମାନେ ତାଙ୍କର ସେବା କରୁଥିଲେ ଏବଂ ସେମାନଙ୍କଠାରୁ ଯାହା କିଛି ଶିକ୍ଷା ଲାଭ କରିଥିଲେ । ହିନ୍ଦୁ ଓ ମୁସଲମାନ ସନ୍ଥଙ୍କ ଭିତରେ ମହଲସାପତିଙ୍କ ମନରେ ଭେଦଭାବ ନଥିଲା ଏବଂ ଉଭୟଙ୍କର ସେ ସମାନ ଦୃଷ୍ଟିରେ ସେବା କରୁଥିଲେ । ସେହି ସମୟର ପରିସ୍ଥିତିରେ ଏହା ଏକ ଉଚ୍ଚତର ଭାବନା ଓ ଉପଲବ୍ଧି ଥିଲା । ମହଲସାପତିଙ୍କର ଅଳ୍ପ କିଛି ଜମିବାଡ଼ି ଥିଲା କିନ୍ତୁ ସେଥିରୁ କିଛି ଅମଳ ହେଉନଥିଲା । ବଣିଆ ବୃତ୍ତିରୁ ମଧ୍ୟ ତାଙ୍କର ଆୟ ବିଶେଷ ନ ଥିଲା । ମାତ୍ର ଏଥିପ୍ରତି ସେ ବିଶେଷ ଧ୍ୟାନ ଦେଉନଥିଲେ; କିନ୍ତୁ ତାଙ୍କ ପରିବାରକୁ ଏଥିପାଇଁ ଯଥେଷ୍ଟ ସଂଘର୍ଷ କରିବାକୁ ପଡ଼ୁଥିଲା । ମହଲସାପତି ଆଧ୍ୟାତ୍ମିକ ପଥରେ ଧନକୁ ଏକ ପ୍ରତିବନ୍ଧକ ବୋଲି ମନେକରି ସାଧ୍ୱୀ ଫ୍ରାନ୍ସିସ୍ଙ୍କ ଭଳି ପ୍ରାଚୁର୍ଯ୍ୟ ମଧ୍ୟରେ ଦାରିଦ୍ର୍ୟକୁ ଆଦରି ନେଇଥିଲେ । କାହାଠାରୁ ଦାନ ଦକ୍ଷିଣା ମଧ୍ୟ ଗ୍ରହଣ କରୁନଥିଲେ । ଏହା ତାଙ୍କର ଆଧ୍ୟାତ୍ମିକ ପ୍ରଗତିରେ ପ୍ରତିବନ୍ଧକ ସୃଷ୍ଟି କରିବ ବୋଲି ସେ ମନେ କରୁଥିଲେ ।
ପ୍ରଥମେ ପ୍ରଥମେ ବାବା ଜଣେ ସାଧାରଣ ବ୍ୟକ୍ତି ଭାବରେ ଆଚରଣ କରୁଥିଲେ । ଫଳରେ ଶିରିଡ଼ିର ଗ୍ରାମବାସୀ ତାଙ୍କୁ ଜଣେ ମାମୁଲି ଫକିର ବୋଲି ମନେ କରୁଥିଲେ । କିନ୍ତୁ ମହଲସାପତି ଏଥିରେ ବ୍ୟତିକ୍ରମ ଥିଲେ । ସେ ବାବାଙ୍କର ଆଧ୍ୟାତ୍ମିକ ଶକ୍ତିକୁ ସଠିକ୍ ଭାବରେ ଆକଳନ କରିପାରିଥିଲେ ଏବଂ ପ୍ରଥମରୁ ତାଙ୍କ ପ୍ରତି ଗଭୀର ସମ୍ମାନ ପ୍ରଦର୍ଶନ କରିଥିଲେ । ସେ ତାଙ୍କର ପ୍ରାୟ ସମୟ ବାବାଙ୍କ ସାନ୍ନିଧ୍ୟରେ କଟାଉଥିଲେ । ରାତିରେ ବାବାଙ୍କ ସହ ଦ୍ୱାରକାମାୟୀରେ ଶୋଉଥିଲେ । ବାବା ତାଙ୍କୁ ଅତ୍ୟନ୍ତ କଠିନ କାମ ଦେଉଥିଲେ ଯାହା ଅନ୍ୟ କାହା ପକ୍ଷରେ ସମ୍ଭବ ନଥିଲା । ‘ତୁମେ ବସିରହ, ନିଦରେ ଢ଼ୁଳେଇବ ନାହିଁ । ମୋ ଛାତି ଉପରେ ହାତ ରଖି ମୋର ହୃତଗତିକୁ ଲକ୍ଷ୍ୟ କରୁଥିବ । ଯେପରି ମୋର ନାମସ୍ମରଣ ବନ୍ଦ ନହୁଏ । ଯଦି ସ୍ୱାଭାବିକ ଭାବରେ ମତେ ନିଦ ଆସିଯାଏ ତାହେଲେ ମୋର ନାମ ସ୍ମରଣ ବନ୍ଦ ହୋଇଯିବ । କିନ୍ତୁ ମହଲସାପତି ନିଦ ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିନଥିବାରୁ ମଝିରେ ମଝିରେ ତାଙ୍କୁ ନିଦ ଆସିଗଲେ ତାଙ୍କର ହାତ କଠିନ ହୋଇଯାଉଥିଲା । ବାବା ସେତେବେଳେ ତାଙ୍କୁ ଉଠାଇ ଦେଉଥିଲେ । ଏହିପରି ଭାବରେ ବାବା ଓ ମହଲସାପତି ଉଭୟ ରାତିରେ ଶୋଉନଥିଲେ । ବାବା ନାମ ସ୍ମରଣ ଦ୍ୱାରା ବିଭିନ୍ନ ସ୍ଥାନର ତାଙ୍କର ଅସଂଖ୍ୟ ଭକ୍ତଙ୍କର କଲ୍ୟାଣ କରୁଥିଲେ ଏବଂ ମହଲସାପତି ବାବାଙ୍କ ନିକଟରେ ଜଗି ରହି ତାଙ୍କର ସେବା ନିଷ୍ଠା ସହକାରେ କରୁଥିଲେ । ମହଲସାପତିଙ୍କ ପାଇଁ ଏହା ଏକପ୍ରକାର ତପସ୍ୟା ଥିଲା ।
ଇନ୍ଦ୍ରିୟାଦି ବିଷୟ ଉପରେ ମଧ୍ୟ ମହଲସାପତି ନିୟନ୍ତ୍ରଣ ହାସଲ କରିଥିଲେ । କ୍ଷୁଧା ଉପରେ ତାଙ୍କର ନିୟନ୍ତ୍ରଣ ଥିଲା । ଥରେ ପନ୍ଦରଦିନ ପର୍ଯ୍ୟନ୍ତ ନଖାଇ ସେ ରହିଯାଇଥିଲେ । ଉପବାସ ଦ୍ୱାରା ପୁଣ୍ୟ ଲାଭ ହୁଏ ବୋଲି ଧାରଣାରୁ ସେ ଅନେକ ଉପବାସ ବ୍ରତ କରୁଥିଲେ । ତାଙ୍କର ଏହି ପ୍ରକାର ଆଚରଣ ଯୋଗୁ ତାଙ୍କ ପରିବାର ଅନେକ କଷ୍ଟର ସମ୍ମୁଖୀନ ହୋଇଥିଲେ । କିଛି କାଳ ପରେ ସେ ତାଙ୍କର ବୃତ୍ତି ମଧ୍ୟ ତ୍ୟାଗ କରି ଭିକ୍ଷା ମାଗି ଜୀବନ ଚଳାଇଲେ ।
ତାତ୍ୟା ପାଟିଲ ମଧ୍ୟ ଦ୍ୱାରକାମାୟୀରେ ବାବାଙ୍କ ସହ ଶୟନ କରୁଥିଲେ । ମହଲସାପତିଙ୍କର ସଂସାର ପ୍ରତି ବୈରାଗ୍ୟ ଭାବ ଆସିଯାଇଥିଲା । ୧୮୮୬ରେ ତାଙ୍କର ଏକମାତ୍ର ପୁତ୍ରର ଦେହାନ୍ତ ହୋଇଗଲା । ତାଙ୍କର ତିନିଜଣ କନ୍ୟା ଅବଶ୍ୟ ଥିଲେ । ବାବା ତାଙ୍କୁ କହିଲେ ‘ଅରେ ଭଗତ୍ ଏ ଫକିରର କଥା ଶୁଣ । ମୋ କଥା କେବେ ଅସତ୍ୟ ହୁଏ ନାହିଁ । ତୁମେ ଏଠାକୁ ଆସି ଶୋଉଛ, ଘରକୁ ଯାଉନ । ତୁମର ଖାଲି ଝିଅ ଅଛନ୍ତି, ସେମାନେ ତେନ୍ତୁଳି ଫଳ ଭଳି । ପୁଅ ହେଉଛି ଆମ୍ବ । ଘରକୁ ଯାଅ, ତୁମର ନିଶ୍ଚୟ ପୁଅଟିଏ ହେବ ।’ ବାବାଙ୍କର ଏହି ଆଶୀର୍ବାଣୀ ସତ୍ତ୍ୱେ ମହଲସାପତି ରାଜି ହେଲେ ନାହିଁ । ଅବଶ୍ୟ ବନ୍ଧୁ କାଶୀରାମ ତାଙ୍କୁ ବୁଝାଇ ଘରକୁ ନେଇ ଛାଡ଼ି ଦେଇ ଆସିଲେ । ତାପରେ ସେ ଘରକୁ ଯିବା ଆରମ୍ଭ କଲେ । ଏହା ୧୮୮୬ ଜନ୍ମାଷ୍ଟମୀ ସମୟର କଥା । ୧୮୮୭ ମସିହା ଜନ୍ମାଷ୍ଟମୀ ବେଳକୁ ତାଙ୍କର ପୁତ୍ର ସନ୍ତାନଟିଏ ହେଲା । ପୁତ୍ର ଜନ୍ମ ହେବା ପରେ ସେ ପୁଣି ତାଙ୍କର ପୁରଣା ପ୍ରତିଜ୍ଞାରେ ଅଟଳ ରହି ସାଂସାରିକ ବନ୍ଧନରୁ ଦୂରେଇ ରହିଲେ । ମହଲସାପତିଙ୍କର ଆଧ୍ୟାତ୍ମିକ ଜୀବନ ଏହିପରି ଭାବରେ ସାର୍ଥକ ଓ ସଫଳ ହୋଇଥିଲା ।
ମୋ ସମ୍ମୁଖରେ ଏହିଭଳି ଏକ ଉଦହାରଣ ଥିବା ସତ୍ତ୍ୱେ ମୋ ପାଇଁ ଏହା କଷ୍ଟକର ପଥ ଥିଲା । ଷାଠିଏ ବର୍ଷ ଧରି ମୁଁ ବାବାଙ୍କର ଏକାଦଶ ବାଣୀ ଆବୃତ୍ତି କରିଆସୁଥିଲି । ମାତ୍ର ସେହି ସମୟରେ ମୁଁ ତାର ଗୂଢ଼ ଅର୍ଥ ସମ୍ପର୍କରେ ଅଜ୍ଞ ଥିଲି । ମୁଁ ମନରେ ଦୃଢ଼ ନିଶ୍ଚିତ ଥିଲି ଯେ ଶିରିଡ଼ିରେ ରହିଲେ ମୋର ସମସ୍ତ କଷ୍ଟର ଅନ୍ତ ହୋଇଯିବ । ୧୯୯୬ରେ ମୁଁ ମୋର ଆପାର୍ଟମେଣ୍ଟକୁ ଗଲି । ଏହା ମତେ ଖୁସି ଆଣିଦେଲା । କିନ୍ତୁ ବର୍ଷ ଶେଷ ବେଳକୁ ମୁଁ ଅସୁସ୍ଥ ଓ କ୍ଲାନ୍ତ ହୋଇପଡ଼ିଲି । ମୋର ମଧୁମେହ ଓ କୋଲେଷ୍ଟ୍ରଲ ବହୁତ ବଢ଼ିଯାଇଥିଲା । ମୋର ଚିନ୍ତା ବଢ଼ିଗଲା, କାରଣ ଆମ ପରିବାରରେ କାହାର ଡାଇବେଟିସ୍ ନଥିଲା । ମୁଁ ବଡ଼ ଚିନ୍ତାରେ ପଡ଼ିଲି, କାରଣ ସୁଗାର ଫ୍ରି ଓ ଡାଇବେଟିସ ପାଇଁ ଉପଯୋଗୀ ପରିବା ଓ ଖାଦ୍ୟ ଶିରିଡ଼ିରେ ମିଳୁନଥିଲା । ନାସିକ ଓ ପୁନାରୁ ମାସିକିଆ ସଉଦା ମଗାଇ ଏହି ସମସ୍ୟାକୁ କୌଣସି ପ୍ରକାରେ ଅତିକ୍ରମ କଲି । ତେବେ ହଠାତ ଜାଣିବାକୁ ପାଇଲି ଯେ ବାବାଙ୍କର ପ୍ରସାଦ ବି ମୁଁ ପାଇପାରିବି ନାହିଁ । କାରଣ ଅଧିକାଂଶ ପ୍ରସାଦ ମିଠା, ଲହୁଣି ଓ ଚିନି ଆଦିରେ ତିଆରି ହେଉଥିଲା । ଏହା ଶୁଣିବା ପରେ ମୋର ହୃଦୟ ଦୁଃଖରେ ଭାଙ୍ଗିପଡ଼ିଲା । ଆଗରୁ ମୁଁ ବାବାଙ୍କର ପ୍ରସାଦ ପାଇବା ପାଇଁ ଲମ୍ବା ଧାଡ଼ିରେ ପ୍ରତୀକ୍ଷା କରି ରହୁଥିଲି, ସେଥିରୁ ଟିକିଏ ପାଇବା ପରେ ଘରକୁ ଫେରୁଥିଲି । କେହି ମୋତେ ପ୍ରସାଦ ଦେଲେ ମୁଁ ତାକୁ ଆନନ୍ଦରେ ଧରି ଘରକୁ ଫେରୁଥିଲି । ଏବେ କେହି ଦେଲେ ମୁଁ ମନା କରିବି କିପରି? ମୋ ପାଇଁ ଏହା ସବୁଠାରୁ କଠିନ ସମସ୍ୟା ଥିଲା । ଏହା ବାବାଙ୍କ ପ୍ରତି ଅବମାନନା ହେବ ବୋଲି ମତେ ଲାଗୁଥିଲା ।
କ’ଣ କରିବି ମୁଁ ବୁଝିପାରୁନଥିଲି । ଶେଷରେ ଦ୍ୱାରକାମାୟୀକୁ ଦୌଡ଼ିଲି ଏବଂ ଆକୁଳ ହୋଇ କାନ୍ଦି କାନ୍ଦି ବାବାଙ୍କୁ ପ୍ରାର୍ଥନା କଲି । ବାବା, ମତେ ମୋର କର୍ମଫଳ ଭୋଗିବାକୁ ପଡ଼ିବ, ମୁଁ ଜାଣିଛି । ତେବେ ଆପଣଙ୍କ ଶିରିଡ଼ିରେ ମୋର କାହିଁକି ଏପରି ଦୁର୍ଦ୍ଦଶା? ଆଉ କେଉଁଠି ହୋଇଥିଲେ ହୋଇନଥାନ୍ତା । ଏବେ ଆପଣଙ୍କର ପ୍ରସାଦ ପାଇଲେ ମୁଁ କ’ଣ କରିବି? ମନା କରିବା ପାଇଁ ତ ମତେ ଭୀଷଣ ଭୟ ଲାଗୁଛି । ତେଣେ ଡାକ୍ତରମାନଙ୍କର ପରାମର୍ଶ ମାନିବାକୁ ଆପଣ କଡ଼ା ପରାମର୍ଶ ଦେଉଛନ୍ତି । ବାବା, ଆପଣ ହିଁ କୁହନ୍ତୁ ମୁଁ କ’ଣ କରିବି? ଏହା କହି ମୁଁ ଗୋଟିଏ କୋଣରେ ବସି ପଡ଼ିଲି.. । ହଠାତ ମୋ କାନରେ ଯେମିତି ଶୁଣାଗଲା ତୁମେ ପ୍ରସାଦକୁ ମନା କରିବନାହିଁ । କେହି ପ୍ରସାଦ ଦେଲେ ଶ୍ରଦ୍ଧାରେ ଗ୍ରହଣ କରି କୌଣସି ଶିଶୁ, ଭିକାରୀ କିମ୍ବା କୁକୁରକୁ ଦେଇଦେବ । ଏକଥା ଲେଖିବାର କାରଣ ବାବାଙ୍କର ପ୍ରଥମବାଣୀର ମର୍ମାର୍ଥ ମୁଁ ସେତେବେଳେ ବୁଝିଲି । କେବଳ ଦେହ ଧରି ଶିରିଡ଼ି ଚାଲିଗଲେ ଯଦି ସମସ୍ତ କଷ୍ଟର ଅନ୍ତ ହୋଇଯିବ ତାହେଲେ ପ୍ରତିଦିନ ଯେଉଁ ହଜାର ହଜାର ବ୍ୟକ୍ତି ଶିରିଡ଼ି ଯାଉଛନ୍ତି ସେମାନଙ୍କର ସବୁ ଦୁଃଖକଷ୍ଟ ଦୂର ହୋଇଯିବା କଥା । ଆଜିକାଲି ପ୍ରତିଦିନ ଶହ ଶହ ସଂଖ୍ୟାରେ ବସ୍, ଟ୍ରେନ, କାର୍ ଇତ୍ୟାଦି ଭକ୍ତମାନଙ୍କୁ ନେଇ ଶିରିଡ଼ିରେ ପହଞ୍ଚୁଛନ୍ତି । କ’ଣ ସେ ସମସ୍ତେ ଦୁଃଖରୁ ମୁକ୍ତ ହୋଇଯାଉଛନ୍ତି । ମହାରାଷ୍ଟ୍ର ସଡ଼କ ପରିବହନ ନିଗମ ଦ୍ୱାରା ଚାଳିତ ବସ୍ର ଡ୍ରାଇଭର ଓ କଣ୍ଡକ୍ଟରମାନେ ପ୍ରତିଦିନ ଶିରିଡ଼ି ଯାଉଛନ୍ତି । ସେମାନେ ବାବାଙ୍କର ଭକ୍ତ ହୋଇଥାଆନ୍ତୁ କି ନାହିଁ କର୍ତ୍ତବ୍ୟବଶତଃ ପ୍ରତିଦିନ ଶିରିଡ଼ି ଯାଉଛନ୍ତି । ଏହାର ଅର୍ଥ ସେମାନେ କଣ ନିଜର କର୍ମ ଫଳ ଭୋଗ କରିବେ ନାହିଁ । ବିଭିନ୍ନ ପ୍ରକାର ବ୍ୟକ୍ତି ଶିରିଡ଼ି ଆସୁଛନ୍ତି । ଏହା ମଧ୍ୟରେ ଚୋରତସ୍କର, ଅପରାଧୀ ବି ଅଛନ୍ତି । ସେମାନଙ୍କର ପାପ କର୍ମର କ’ଣ ପରିଣାମ ନାହିଁ? ଆଉ କେତେକ ଅସାଧୁ ଓ ମନ୍ଦ ଉଦେ୍ଦଶ୍ୟ ନେଇ ଆସୁଛନ୍ତି । ଶିରିଡ଼ି ଆସିଗଲେ ବୋଲି ସେମାନଙ୍କର ପାପ କଣ ପ୍ରଶମିତ ହୋଇଯିବ । ସେହିପରି କାମ, କ୍ରୋଧ, ବାସନା ଓ ଅହଂକାରରେ ବଶୀଭୂତ ଥିଲେ ଶିରିଡ଼ି ତୀର୍ଥଯାତ୍ରା କିପରି ସହାୟତା କରିବ? କେବଳ ଶିରିଡ଼ିକୁ ଚାଲିଗଲେ କିଛି ହେବ ନାହିଁ, ଯଦି ଜଣେ ନିଜର ଆଚରଣ ଶୁଦ୍ଧ କରିବନାହିଁ । ବେଳେବେଳେ ତୀର୍ଥଯାତ୍ରାରୁ ଘରକୁ ଫେରୁଥିବାବେଳେ ଦୁର୍ଘଟଣା ଘଟିବାର ସୂଚନା ମିଳେ ଏବଂ ଆତ୍ମୀୟମାନଙ୍କ ପାଇଁ ନୂଆ ଦୁଃଖ ଓ ପୀଡ଼ା ଜାତହୁଏ । ଅତଏବ ଏହାର ପ୍ରକୃତ ଗୂଢ଼ାର୍ଥ ବୁଝିବାକୁ ହେବ । ବାବା ସଶରୀରରେ ଥିବାବେଳେ ଭିନ୍ନ ଭିନ୍ନ ଭକ୍ତଙ୍କୁ ଭିନ୍ନ ଭିନ୍ନ ଅନୁଭୂତି ଦେଉଥିଲେ । ଆଜି ମଧ୍ୟ ସେହି ଧାରା ଅବ୍ୟାହତ ରହିଛି । ବାବାଙ୍କ ଆରତୀରେ ଗୋଟିଏ ପ୍ରସିଦ୍ଧ ଉକ୍ତି ରହିଛି ଯାହାର ଭାବ ଯେପରି ତାକୁ ସେପରି ଅନୁଭବ ପ୍ରାପ୍ତ ହୋଇଥାଏ । ସେହିପରି ଯାହାର ଯେମିତି କର୍ମ ଅନୁସାରେ ତାକୁ ସେହିପରି ଫଳ ପ୍ରାପ୍ତ ହୋଇଥାଏ । ହୁଏତ ଶିରିଡ଼ି ମାଟିରେ ପାଦ ଦେବା ପରେ ଜଣକୁ ଉତ୍ତମ କର୍ମ କରିବା ପାଇଁ ସୁଯୋଗ ଓ ଅବସର ପ୍ରାପ୍ତ ହୋଇଥାଏ । କିନ୍ତୁ ତାକୁ ନିରନ୍ତର ଭାବରେ ବଜାୟ ରଖି ଆଗକୁ ବଢ଼ାଇବା ଆମର ଧ୍ୟେୟ ଓ କତ୍ତର୍ବ୍ୟ ହେବା ଉଚିତ । (ଆଲେଖ୍ୟ: ବିନି ଚିତ୍ଲୁରି; ଯିଏକି ଶିରିଡ଼ିରେ ବାସକରି ବାବାଙ୍କ ଉପରେ ଗବେଷଣା କରି ଅନେକ ଅଜଣା ଓ ଅନାଲୋଚିତ ତଥ୍ୟ ଆବିଷ୍କାର କରିଛନ୍ତି ଓ ଏକାଧିକ ପୁସ୍ତକ ରଚନା କରିଛନ୍ତି । ନିଜର କଷ୍ଟ ଓ ଯନ୍ତ୍ରଣାକୁ ସେ ଏଠାରେ ଉଲ୍ଲେଖ କରିଛନ୍ତି; କିନ୍ତୁ ବାବାଙ୍କର କାମ କରିବାରେ ଏହା ତାଙ୍କୁ ବାଧା ଦେଇନାହିଁ କି ତାଙ୍କର ମନୋବଳ ହ୍ରାସ କରିନାହିଁ । ବରଂ କାମ କରିବାକୁ ଏହା ତାଙ୍କ ଭିତରେ ଅଧିକ ପ୍ରେରଣା ଓ ଦୃଢ଼ତା ସଞ୍ଚାର କରିଛି । ତାଙ୍କୁ ହିଁ ପ୍ରକୃତ ଭକ୍ତ କୁହାଯାଇପାରିବ ।)
For monthly Subscription of Sai Nirmalya please whatsapp 094374 42444