28/08/2023
ଇଷ୍ଟଙ୍କ ଦାୟିତ୍ଵ-ଉଦଯାପନରେ ନିଜର ଲାଭ.
-------------------------------
ଶ୍ରୀ ଶ୍ରୀ ଠାକୁର ଖୁସୀ ମନରେ ତମାଖୁ ସେବନ କରୁଛନ୍ତି ।
ଏଇ ସମୟରେ ଶୈଳ-ମା ରାଗରେ ତମତମ ହୋଇ ଆସି କହିଲେ - ମୁଁ ଆଉ ତାଙ୍କ ଘରେ ରହିପାରିବି ନାହିଁ । (ସେ ଜଣଙ୍କର ଘରେ ଗୋଟିଏ ରୋଗୀର ଶୁଶ୍ରୂଷା କରୁଥିଲେ) । ଆଉ ଯିଏ ପାରିବ, ସେ ଯାଇ କରୁ । ମୁଁ ଏତେ ସହ୍ୟ କରିପାରିବି ନାହିଁ ।
ଶ୍ରୀ ଶ୍ରୀ ଠାକୁର (ଗମ୍ଭୀର କଣ୍ଠରେ ) :- ନ ପାରୁଛ ତ ଚାଲି ଆ ! ତୋତେ ରହିବାକୁ କିଏ କହୁଛି ? ସେମାନଙ୍କ ଭାଗ୍ୟରେ ଯାହା ଅଛି, ତାହା ହେବ । ତୁ କ'ଣ ମନେ କରିଛୁ, ତୋ ଛଡ଼ା ମୋର ଆଉ ଲୋକ ନାହାନ୍ତି ? ଆଉ, ଏହା ବି ମନେ କରିବୁ ନାହିଁ ଯେ, ଲୋକଙ୍କ ପାଇଁ କରି, ତୁ ସେମାନଙ୍କର ବା ମୋର ଖୁବ୍ ଉପକାର କରୁଛୁ । ଏଇ ଯେ କରିବାର ସୁଯୋଗ ଟିକକ ପାଇଛୁ, ସେଇ ତୋର ପରମ ଲାଭ । ଏସବୁ ବାଦ ଦେଇ ନିଜର ମର୍ଜି ଅନୁସାରେ ଚଳି ଦେଖୁନୁ କାହିଁକି ? ତା'ହେଲେ ମଜ୍ଜାଟା ବୁଝିପାରିବୁ ! ମନେ କର ନା ଯେ ମୋର ନିଜର ଗରଜରେ କାହାକୁ କିଛି କରିବାକୁ କହେ । ତୁ କର ବା ନ କର, ମୋର କିଛି ଅଟକି ଯିବ ନାହିଁ । କିନ୍ତୁ ନ କରି ଦେଖ -- ତୋ'ର ଦଶା କ'ଣ ହେଉଛି ? ଅହଙ୍କାର ଭଲ ନୁହଁ, ସେଥିରେ ପତନ ଅନିବାର୍ଯ୍ୟ । ପରମପିତାଙ୍କ ରାଜ୍ୟରେ ଖୁବ୍ ବିନୀତ ହୋଇ ରହିବାକୁ ପଡେ । ମୁଁ କେବଳ ତୋ କଥା କହୁନାହିଁ । ଅନେକଙ୍କର ଭାବ ଦେଖୁଛି - ସେମାନେ ଯେପରି ମୋରି ପାଇଁ କେତେ କ'ଣ କରୁଛନ୍ତି । କିନ୍ତୁ ସେମାନେ ଯେ ନିଜେ କେତେ ପରିମାଣରେ ରକ୍ଷା ପାଇ ଯାଉଛନ୍ତି, ପରମପିତା ଯେ ସେମାନଙ୍କର ଦୁର୍ଭୋଗ କେତେ ପରିମାଣରେ କାଟି ଦେଉଛନ୍ତି, ତାହା ଆଉ ସେମାନେ ଭାବି ପାରନ୍ତି ନାହିଁ ।
ଶୈଳ-ମା (କାନ୍ଦ କାନ୍ଦ ହୋଇ) :- ଠାକୁର ! ମୋର ଭୁଲ ହୋଇଛି, ଆଉ ମୁଁ ଏପରି କଥା କେବେ କହିବି ନାହିଁ ।
ଶ୍ରୀ ଶ୍ରୀ ଠାକୁର :- ନା, ତୋର ଭୁଲ କାହିଁକି ହେବ ? ତୋତେ ସେଠାକୁ ପଠାଇ ମୋ'ରି ଭୁଲ ହୋଇଛି । ତୁ ମୋ କଥାରେ ଏତେ କଷ୍ଟ କରିବାକୁ ଯିବୁ କାହିଁକି ? ଆଉ, ତୁ ମୋ କଥା ମାନି ଚଳିବୁ - ଏତେଟା ଅଭିମାନ ମଧ୍ୟ ମୋର ରହିବା ଉଚିତ୍ ନୁହେଁ । ତୁ ଚାଲି ଆ ସେଠାରୁ ।
ଶୈଳ ମା କାନ୍ଦିବାକୁ ଲାଗିଲେ ।
ପରେ ଶ୍ରୀ ଶ୍ରୀ ଠାକୁର କହିଲେ :- ମୁଁ ଯାହା କରିବାକୁ କହେ, ତାହା କରିବାକୁ ଯାଇ ଯେଉଁ କଷ୍ଟ କରିବାକୁ ହୁଏ, ସେଇ କଷ୍ଟକୁ ଯଦି ହସ ହସ ମୁହଁରେ ସହ୍ୟ କରି ନପାର, ସେଥିରେ ଯଦି ମୋ ଉପରେ ବିରକ୍ତି, ଆକ୍ରୋଶ ବା ଅଭିମାନ ଆସେ, ସେ କାମ ବରଂ ନ କରିବା ହିଁ ଭଲ । ଏଇ ବିରକ୍ତି ବା ଆକ୍ରୋଶ ପ୍ରକାଶ କରି ତୋର ନିଜର ହିଁ କ୍ଷତି କରୁଛୁ । ଆଜିକାଲି ତୁ ଅଳ୍ପକେ ଅସ୍ଥିର ହୋଇ ଉଠୁଛୁ । ମୋର ଅନୁରୋଧ ବା ସୁଆଗ ସହିବା ପାଇଁ ଧୈର୍ଯ୍ୟ ତୋ'ର ନାହିଁ । ତେଣୁ, ବର୍ତ୍ତମାନ ଅବସ୍ଥାରେ ତୋ'ର କିଛିଦିନ ବିଶ୍ରାମ ନେଇ ଦେଖିବା ଭଲ ।ପରେ ଯଦି ଆଗ୍ରହ ହୁଏ, ନିଜ ଆଡୁ ଗରଜ ବୋଲି ଭାବୁ, ତା'ହେଲେ କରିବୁ ।
ଶୈଳ-ମା :- ମୋର ବିଶ୍ରାମ ଦରକାର ନାହିଁ । ମୁଁ ଏକ୍ଷଣି ସେଠାକୁ ଚାଲିଯାଉଛି ।
ଶ୍ରୀ ଶ୍ରୀ ଠାକୁର ପରେ ହସି ହସି କହିଲେ :- ମୁଁ ଲୋକଙ୍କୁ ଖୋସାମଦ କରେ ବୋଲି, ସେମାନେ ମନେ କରନ୍ତି, ପ୍ରତ୍ୟେକେ ମୋ ପାଇଁ ଅପରିହାର୍ଯ୍ୟ । ହଁ, ଗୋଟିଏ ଦିଗରୁ ଅପରିହାର୍ଯ୍ୟ ତ ଠିକ୍, କାରଣ ପ୍ରତ୍ୟେକଙ୍କର ସୁସ୍ଥତା, ସ୍ବସ୍ଥତା , ସୁଦୀର୍ଘ ଜୀବନ ମୋର ଆତ୍ମସ୍ବାର୍ଥ ସହିତ ଜଡିତ । ତେଣୁ ତୋଷାମୋଦ,ବରାମୋଦ କରି ମଧ୍ୟ ଚେଷ୍ଟା କରେ ଯେପରିକି ପ୍ରତ୍ୟେକେ ସତକାର୍ଯ୍ୟରେ ବ୍ୟାପୃତ ଥାଆନ୍ତୁ । କିନ୍ତୁ ଅଧିକାଂଶ ଲୋକ ଏତେ ବେକୁବ ଯେ , ସେମାନେ ମନେ କରନ୍ତି, ସେଇମାନେ ହିଁ ମୋତେ oblige (ଅନୁଗୃହୀତ) କରୁଛନ୍ତି ।
ମୌଖିକ ହୁଏତ କହୁଛନ୍ତି, ଠାକୁରଙ୍କ କାମ କରି ମୁଁ ଧନ୍ୟ ହୋଇଛି, କିନ୍ତୁ ଭିତରେ ଭିତରେ ଅନ୍ୟଭାବ ଥାଏ । ଭାବନ୍ତି - ଠାକୁରଙ୍କ ପାଇଁ ମୁଁ ଯଥେଷ୍ଟ କରିଛି । ଏଇ ପ୍ରକାର ଅହଙ୍କାରରୁ ବହୁ ଉପସର୍ଗ ସୃଷ୍ଟି ହୁଏ । ଭାବନ୍ତି - ସଂଘ ଓ ପରିବେଶ ମୋ ପାଖେ ଋଣୀ । ତହିଁରୁ ଆସେ ପ୍ରତ୍ୟାଶା । ପ୍ରତ୍ୟାଶାର ପୂରଣ ନ ହେଲେ ଆସେ ଅନୁଯୋଗ, ଅଭିଯୋଗ, ଅଭିମାନ ଦୋଷ ଦର୍ଶନ ଇତ୍ୟାଦି ସାର ହୁଏ । ଶେଷ ପର୍ଯ୍ୟନ୍ତ ହୁଏତ ତିଷ୍ଠି ପାରନ୍ତି ନାହିଁ । ଆଉ ଯଦି ବା ରହିଯା'ନ୍ତି ଆବର୍ଜନା ଜମୁଥାଏ, ପରିଷ୍କାର କରିପାରନ୍ତି ନାହିଁ ।
( ଆଲୋଚନା ପ୍ରସଙ୍ଗ--ତୃତୀୟ )