
13/02/2025
ଇନଷ୍ଟିଚ୍ୟୁଟ ଅଫ ମ୍ୟାଥମାଟିକ୍ସ ଅନୁଷ୍ଠାନକୁ ସରକାରଙ୍କ ଅଣଦେଖା
ଭୁବନେଶ୍ୱର: Institute of Mathematic ରାଜ୍ୟ ସରକାରଙ୍କ ସାବତ ପୁଅ। ୨୭ ମେ ୧୯୯୯ ମସିହାରେ ଭୁବନେଶ୍ୱର ଠାରେ ପ୍ରତିଷ୍ଠା ହୋଇଥିବା ଏହି ଅନୁଷ୍ଠାନରେ ୨୫୦ ଛାତ୍ର-ଛାତ୍ରୀ ଅଧୟନ କରୁଥିବା ବେଳେ, ସେମାନଙ୍କ ମଧ୍ୟରୁ ୧୦ ଜଣ PHD କରୁଛନ୍ତି। ଏହି ଅନୁଷ୍ଠାନଟି ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ ଅଧୀନରେ ଥିବା ବେଳେ କ୍ରମାଗତ ଅବହେଳାର ଶିକାର ହୋଇ ଆସୁଛି। ଶିକ୍ଷା ଦାନ କରିବା ପାଇଁ ୨୦ ଟି ରୁ ଅଧିକ ଅଧ୍ୟାପକ ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ମାତ୍ର ୭ ଜଣ ଅଧ୍ୟାପକ କାର୍ଯ୍ୟରତ ଅଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ଯୋଗ ଦେଇଥିଲେ ମଧ୍ୟ ସେମାନଙ୍କ ଚାକିରି ସର୍ତ୍ତାବଳି ଓ ଅନ୍ୟ କେତେକ ଆନୁସଙ୍ଗିକ ସୁବିଧା ନଥିବାରୁ ସେମାନେ ମଧ୍ୟ ଶିକ୍ଷା ଦାନ ପାଇଁ ଇଛୁକ ହେଉ ନାହାନ୍ତି।
ରାଜ୍ୟ ସରକାରଙ୍କ ଏହି ମର୍ଯ୍ୟାଦା ସମ୍ପର୍ଣ୍ଣ ଅନୁଷ୍ଠାନରେ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନିଯୁକ୍ତି ମିଳିନାହିଁ। ସର୍ବଭାରତୀୟ ଯୋଗ୍ୟତା ଭିତ୍ତିକ ପରୀକ୍ଷାରେ କୃତ୍ତକାର୍ଯ୍ୟ ହୋଇ ଛାତ୍ର-ଛାତ୍ରୀମାନେ ଏଠାରେ ନାମ ଲେଖାଉଥିବା ବେଳେ ଏହାର ଶୈକ୍ଷିକ ବାତାବରଣ ସ୍ୱଚକ୍ଷୁରେ ନ ଦେଖିଲେ ବିଶ୍ୱାସ କରି ହେବ ନାହିଁ। ଅଧୁନା ଏହି ଅନୁଷ୍ଠାନରେ ଯଶବନ୍ତ ଜେନା ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି। ନିଜସ୍ୱ ପ୍ରଚେଷ୍ଟାରେ ନିର୍ଦ୍ଦେଶକ ଅନେକ କିଛି ଉନ୍ନତି ମୂଳକ କାର୍ଯ୍ୟ କରୁଥିଲେ ହେଁ ଏହା ସମୁଦ୍ରକୁ ଶଙ୍ଖେ ଭଳି ମନେ ହେଉଛି। ଓଡିଶାର ପ୍ରତିନିଧି ଧର୍ମେନ୍ଦ୍ର ପ୍ରଧାନ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ମନ୍ତ୍ରୀ ଅଛନ୍ତି। ତେଣୁ ଓଡିଶାବାସୀ ଓ ଗଣିତ ଅନୁଷ୍ଠାନର ଛାତ୍ର-ଛାତ୍ରୀମାନେ ତାଙ୍କ ଠାରୁ ଅନେକ କିଛି ଆଶା କରୁଥିବା ବେଳେ କେବେ କେନ୍ଦ୍ର ମନ୍ତ୍ରୀଙ୍କ ନଜର ଏହି ଅନୁଷ୍ଠାନ ଉପରେ ପଡ଼ିବ ତାହା ସମୟ କହିବ। ଅନେକ ରାଜ୍ୟରେ ଥିବା ଏପରି ଅନୁଷ୍ଠାନ ଗୁଡ଼ିକ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣକୁ ଯାଇଥିବା ବେଳେ ଓଡ଼ିଶାର ଏହି ମର୍ଯ୍ୟାଦା ସମ୍ପର୍ଣ୍ଣ ଅନୁଷ୍ଠାନଟି କେବେ କେନ୍ଦ୍ର ଅଧୀନକୁ ଆସିବ ତାହା ଦେଖିବାକୁ ବାକି ରହିଲା।